ବୈପାରିଗୁଡ଼ା: ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିବା ଜଣାପଡିଛି। ରବିବାର ସକାଳ ନଅଟା ସମୟରେ ରାଞ୍ଚି-ବିଜୟଓ୍ବାଡା ୩୨୬ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀପୁର ଛକ ଠାରେ ଜନୈକ ବାଇକ୍ ଆରୋହୀ ଟ୍ରକ୍ ସହ ଧକ୍କା ଖାଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଛନ୍ତି। ମୃତ ଜଣକ ହେଲେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଖାଡାଗୁଦି ଗ୍ରାମର ଚନ୍ଦ୍ର ଖିଲ (୨୮)। ସେ ଶନିବାର ଦିନ ନିଜ ପରିବାର ସହ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ମୁଦୁଲିଗୁଡା ଗ୍ରାମରେ ରହୁଥିବା ନିଜ ଶଳାଙ୍କ ଘରକୁ ବୁଲିବା ପାଇଁ ଆସି ସେଠାରେ ରାତ୍ରୀଯାପନ କରିଥିଲେ। ରବିବାର ସକାଳୁ କୈାଣସି କାମରେ ବୈପାରିଗୁଡା ଆସି ମୁଦୁଲିଗୁଡା ଫେରୁଥିବା ବେଳେ ଲକ୍ଷ୍ମୀପୁର ଛକ ଠାରେ ଏକ କୋଇଲା ବୋଝେଇ ଟ୍ରକ (ଟିଏସ୍ ୦୮ ୟୁଇ ୯୧୩୫) ଚନ୍ଦ୍ରଙ୍କୁ ସାଇଡ ଦେଇ ଆଗକୁ ବଢ଼ୁଥିବା ବେଳେ ବାଇକ୍ ସହ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୂ ଘଟିଥିଲା।
ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ବାଇକ୍ ଏବଂ ଟ୍ରକକୁ ଜବତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ଆଣିଛି। ତେବେ ଖବର ପାଇ ଚନ୍ଦ୍ରଙ୍କ ପତ୍ନୀ ଏବଂ ପରିବାରର ଅନ୍ୟମାନେ ବୈପାରିଗୁଡା ଥାନାରେ ପହଞ୍ଚିଥିଲେ ଏବଂ ବୈପାରିଗୁଡା ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥରେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଥାନା ଆଇଆଇସି ଅଶ୍ବିନୀ ପଟ୍ଟନାୟକ ଏବଂ ତହସିଲଦାର ସ୍ନିଗ୍ଧା ରାଣୀ ଚୌଧୁରୀ ମୃତ ପରିବାରର ଲୋକମାନଙ୍କୁ ରାସ୍ତାରୋକରୁ ଓହରିବାକୁ କହିଥିଲେ। କିନ୍ତୁ ପରିବାର ଲୋକେ କ୍ଷତିପୂରଣ ଦେବା ଦାବିରେ ଅଟଳ ରହିଥିଲେ। ଶେଷରେ ଜୟପୁର ଏସଡିପିଓ ହରିଶ୍ ବିସି ଘଟଣାସ୍ଥଳରେ ପହଂଚି ଟ୍ରକ ମାଲିକ ସହ କଥାବାର୍ତ୍ତା ହେଇ ସୋମବାର କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତାରୁ ହଟିଥିଲେ।
ସୋମବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି। ପୁଲିସ ସୂଚନା ଅନୁଯାୟୀ ଟ୍ରକଟି କୋଇଲା ବୋଝେଇ କରି ହାଇଦ୍ରାବାଦ ଅଭିମୁଖେ ଯାଉଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଥାନାରେ ଆତ୍ମସମର୍ପଣ କରିଥିବା ପୁଲିସ ପ୍ରକାଶ କରିଛି।