କୋମନା : କୋମନା ଥାନା ଝଗ୍ରାହୀ ବିଶିବାହାଲ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ କୋମନା ଥାନା କୁଟ୍ରିବାହାଲି ଗାଁର ଭୋଳାନାଥ ପୋଢ଼ (୪୦ ବର୍ଷ) ବୋଲି ଜଣାପଡ଼ିଛି। ସେ ନିଜ ବାଇକ୍‌ (ସିଜି ୨୨ଏସି-୫୪୨୧)ରେ ପନିପରିବା ବିକ୍ରି କରି ଘରକୁ ଫେରୁଥିଲେ। ରାତି ୮ଟାରେ ଏହି ରାସ୍ତାରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କାଦେଇ ଫେରାର ହୋଇ ଯାଇଥିଲା।

Advertisment

ଖବର ପାଇ କୋମନା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ କୋମନା ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଭୋଳାନଥଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କୋମନା ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରିଛି। ମଙ୍ଗଳବାର ଶବ ବ୍ୟବଚ୍ଛେଦ ହେବ। ମୃତକଙ୍କ ଗୋଟିଏ ପୁଅ ଓ ୨ ଝିଅ ଅଛନ୍ତି। ୨୦ ବର୍ଷର ପୁଅ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଘରେ ସ୍ତ୍ରୀ ଓ ୨ଝିଅ ଅଛନ୍ତି। ଭୋଳାନାଥଙ୍କ ମୃତ୍ୟୁ ପରେ ପରିବାର ଲୋକେ ଅସହାୟ ହୋଇପଡ଼ିଛନ୍ତି। ପରିବାରକୁ ସରକାରୀ ସହାୟତା ଯୋଗାଇବା ପାଇଁ ସାଧାରଣରେ ଦାବି ହୋଇଛି।