ରାସ୍ତାରୁ ବାଇକ୍‌ ଖସି ଦୁଇ ଆରୋହୀ ମୃତ ଓ ଜଣେ ଆହତ

ମାଲକାନଗିରି: ଶୁକ୍ରବାର ରାତି ପ୍ରାୟ ୩ଟା ବେଳେ ମାଲକାନଗିରି ନିକଟବର୍ତ୍ତୀ ଚମ୍ପାଖାରି ଠାରେ ଗୋଟାଏ ବାଇକ୍‌ ରାସ୍ତାରୁ ବାହାରି ଯାଇ ପ୍ରାୟ ୧୦ ଫୁଟ୍‌ ତଳକୁ ଗଡ଼ି ଯାଇ ନିର୍ମାଣାଧୀନ କଂକ୍ରିଟ୍‌ ଆପ୍ରୋଚ୍‌ ଓ୍ଵାଲ୍‌ରେ ପିଟି ହୋଇଯିବାରୁ ଦୁଇ ଜଣ ଆରୋହୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି।

ମୃତ ବାଇକ୍‌ ଆରୋହୀମାନେ ହେଲେ ବନମାଳୀ ସିକୁଡୁ ଏବଂ ସଞ୍ଜୟ ସିକୁଡୁ। ଉଭୟଙ୍କ ବୟସ ୩୫ ରୁ ୪୦ ବର୍ଷ ମଧ୍ୟରେ ହେବ। ଆହତ ବ୍ୟକ୍ତିଙ୍କର ପରିଚୟ ମିଳି ନାହିଁ। ତାଙ୍କୁ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ସେମାନେ ବାହୁଡ଼ାଯାତ୍ରା ଦେଖିବାକୁ ବ୍ରେଜାଙ୍ଗାବାଡ଼ାରୁ ମାଥିଲି ଯାଇ ରାତିରେ ଘରକୁ ଫେରୁଥିଲେ।

ମାଲକାନଗିରି ପୁଲିସ ଘଟଣାସ୍ଥଳରୁ ପୁଲିସ ଶବ ଉଦ୍ଧାର କରିଛି। ବ୍ୟବଚ୍ଛେଦ ପରେ ଶବ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର