ଐତିହ୍ୟ ଭାଙ୍ଗି ବେପାର ଆରମ୍ଭ : ଏମାର ମଠ ଜାଗାରେ ବାଇକ୍‌ ଷ୍ଟାଣ୍ଡ୍

ଭକ୍ତ ଦେବେ ଦୁଇ ଘଣ୍ଟାକୁ ୧୦ ଟଙ୍କା, ପୁରୀ ପୌରସଂସ୍ଥା ଡାକିଲା ନିଲାମ

ପୁରୀ : ପୁରୀ ହେବ ଐତିହ୍ୟ ନଗରୀ। ଭକ୍ତ ଓ ସ୍ଥାନୀୟ ବାସିନ୍ଦା ହେବେ ଉପକୃତ । ଏ ପ୍ରକାର ଆଭିମୁଖ୍ୟ ନେଇ ରାଜ୍ୟ ସରକାର ପୁରୀ ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଐତିହ୍ୟ କରିଡରକୁ ବିଶ୍ବସ୍ତରୀୟ କରିବାକୁ ରୂପ‌ ରେଖ ପ୍ରସ୍ତୁତ କରିଛନ୍ତି। ପୁରୀ ବିକାଶ ପାଇଁ ଏଠାରେ ୧୭ରୁ ଅଧିକ ପ୍ରାଚୀନ ତଥା ଐତିହ୍ୟ ସଂପନ୍ନ ମଠକୁ ମାଟିରେ ମିଶାଇ ଦିଆଯାଇଛି। ସରକାର ଐତିହ୍ୟ ଭାଂଗି କ’ଣ କରିବାକୁ ଚାହୁଁଛନ୍ତି ସେ ନେଇ ଲୋକେ ବ୍ୟଗ୍ର ଥିବା ବେଳେ ପୁରୀ ପ୍ରଶାସନ କିନ୍ତୁ ଲୋକଙ୍କ ସବୁ ସପ୍ନକୁ ଚୂରମାର କରିବାକୁ ପ୍ରାରମ୍ଭିକ ଉଦ୍ୟମ କରିଛି। ୭୦୦ ବର୍ଷର ରାମାନୁଜ ସଂପ୍ରଦାୟ ଏମାର ମଠକୁ ଭାଂଗି ତା’ ଛାତି ଉପରେ ମୋଟର ସାଇକଲ (ବାଇକ୍‌) ଷ୍ଟାଣ୍ଡ ଠିଆ କରିଛି।

ସମସ୍ତଙ୍କୁ ଚକିତ କଲା ଭଳି ଏମାର ମଠର ଛାତି ଉପରେ ପୁରୀ ପୌର ସଂସ୍ଥ‌ା‌ ମୋଟର ସ‌ାଇକଲ ଷ୍ଟାଣ୍ଡ୍‌ ପାଇଁ ପାଇଁ ନିଲାମ ଡାକିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ
ପାଇଛି। ଗତ ୨୪ ତାରିଖ ଦିନ ପୁରୀ ପୌର ପ୍ରଶାସନ ସିଂହଦ୍ବାର ସମ୍ମୁଖ ମାଟିମଣ୍ଡପ ସାହି ( ଯାହା ଏମାର ମଠର ଜାଗା ଥିଲା) ସେଠାରେ ମୋଟର ସାଇକଲ ଟେଣ୍ଡର ଡାକି ରାଜ୍ୟ ସରକାରଙ୍କ ପୁରୀ ବିକାଶ କାମକୁ ସନ୍ଦେହ ଘେରକୁ ଟାଣିଛନ୍ତି। ପୁରୀ ପୌରସଂସ୍ଥା ଟେଣ୍ଡର ବିଜ୍ଞପ୍ତି ନଂ-୭୧୭ରେ ପୁରୀ ଶ୍ରୀମନ୍ଦିର ସମ୍ମୁଖ ( ମାଟିମଣ୍ଡପ ସାହି, ଯାହା ଏମାର ମଠ ଜାଗା ଥିଲା)ରେ ଏକ ମୋଟର ସାଇକଲ ଷ୍ଟାଣ୍ଡ୍‌ କରିବେ। ଗତ ୨୮ ତ‌ାରିଖ‌ରେ ଟେଣ୍ଡର ଆବେଦନର ଶେଷ ତାରିଖ ଥିବା ବେଳେ ୨୯ ତାରିଖରେ ଟେଣ୍ଡର ଚୂଡାନ୍ତ ‌ହୋଇଛି। ପାର୍କିଂ ପାଇଁ ଦର ଧାର୍ଯ୍ୟ ମଧ୍ୟ କରାଯାଇଛି। ଦୁଇ ଚକିଆ ଯାନ ଦୁଇ ଘଣ୍ଟା ରଖିଲେ ୧୦ ଟଙ୍କା, ୬ ଘଣ୍ଟା ରଖିଲେ ୨୦ ଟଙ୍କା, ୧୨ ଘଣ୍ଟା ରଖିଲେ ୩୦ ଟଙ୍କା ଓ ୨୪ ଘଣ୍ଟା ରଖିଲେ ୪୦ ଟଙ୍କା ଆଦାୟ କରାଯିବ।

ତେବେ ଏହାକୁ ନେଇ ସାଧାରଣ ଭକ୍ତ ଓ ପୁରୀବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଶାସନର ଏପ୍ରକାର ‌ଲାଭଖୋର ମନୋବୃତ୍ତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଏହାକୁ ନେଇ ଆଉ ଏକ ଅଡୁଆ ସ୍ଥିତି ମଧ୍ୟ ଉପୁଜିଛି। ଏ ଜାଗାର ମାଲିକ ଶ୍ରୀମନ୍ଦିର ପ୍ରଶାସନର ‌ହୋଇଥିଲା ବେଳେ ପୌର ସଂସ୍ଥ‌ା ଏଠାରେ ଅନଧିକାର ଚର୍ଚ୍ଚା କରୁଥିବା ଅଭିଯୋଗ ‌ହୋଇଛି। ଗୋଟିଏ ପଟେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଲାମ ମୁକ୍ତ କରିବାକୁ ଯୋଜନା ହେଉଥିବା‌ ବେଳେ ଏବେ ଐତିହ୍ୟ ସ୍ଥଳ ଉପରେ ପୌରସଂସ୍ଥା ମୋଟର ସାଇକଲ ଷ୍ଟାଣ୍ଡ ପାଇଁ ନିଲାମ ଡାକିବା ଘଟଣା ଲଜ୍ଜାଜନକ ବୋଲି ମତ ପ୍ରକାଶ ପାଇଛି। ଏ ନେଇ ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ଉଚିତ ମଣି ନାହାନ୍ତି।

ଏ ସଂପର୍କରେ ରାଜ୍ୟ ବିଜେପି ଉପସଭାପତି ତଥା ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶଙ୍କର୍ଷଣ ପରିଡ଼ା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଐତିହ୍ୟ ଭାଙ୍ଗି ବାଇକ୍‌ ଷ୍ଟାଣ୍ଡ୍‌ ନିଲାମ ଦେବା ମଠ ସଂସ୍କୃତି ପ୍ରତି ଘୋର ଅପମାନ। ଶ୍ରୀମନ୍ଦିର ସହିତ ମଠ ସଂସ୍କୃତି ଓତଃପ୍ରୋତଃ ଭାବେ ଜଡ଼ିତ। ମାତ୍ର ସରକାର ମଠ ଭାଙ୍ଗି ସେଥିରେ ବ୍ୟବସାୟ ମନୋଭାବ ରଖିବା ନିନ୍ଦନୀୟ।

ଏ ସଂପର୍କରେ ରାଜ୍ୟ କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ସେବାୟତ ବିଶ୍ୱାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଐତିହ୍ୟ ଭାଙ୍ଗି, ସରକାରଙ୍କ ବ୍ୟବସାୟ ମନୋବୃତ୍ତି ଗ୍ରହଣୀୟ ନୁହେଁ। କେବଳ ବାଇକ୍‌ ଷ୍ଟାଣ୍ଡ୍‌ ନୁହେଁ, ବଡ଼ଆଖଡ଼ା ମଠ ଜାଗାରେ ଜୋତା ଷ୍ଟାଣ୍ଡ୍‌ ନିର୍ମାଣ କରାଯାଇ ପ୍ରାଚୀନ ମଠ ସଂସ୍କୃତିକୁ ଅପମାନିତ କରାଯାଇଛି।

ସମ୍ବନ୍ଧିତ ଖବର