ବାଇକ୍‌ ଚୋରାଇ ନେଇ ଗ୍ୟାରେଜ୍‌ରେ କାଟିଦେଲେ

ଭାପୁର: ରାସ୍ତା କଡ଼ରେ ବାଇକ୍‌ ରଖି ଜଣେ ଚାଷୀ ବିଲକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଦୁଇଜଣ ଯୁବକ ବାଇକ୍‌ଟିକୁ ଧରି ଚମ୍ପଟ ମାରିଥିଲେ। ଚୋରା ବାଇକ୍‌ଟିକୁ ଗୋଟିଏ ଗ୍ୟାରେଜ୍‌‌ରେ ମାତ୍ର ୨୬ଶହ ଟଙ୍କାରେ ବିକ୍ରି କରିଦେବା ପରେ ବାଇକ୍‌କୁ ଖଣ୍ଡଖଣ୍ଡ କରି କାଟି ବିକ୍ରି କରିବାକୁ ଉଦ୍ୟମ ଚାଲିଥିଲା। ତେବେ ଖବର ପାଇ ଫତେଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କ ସମେତ ୩ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଖବର ମୁତାବକ, ଭାପୁର ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ତାଙ୍କର କଳାରଙ୍ଗର ହିରୋ ବାଇକ୍‌(ଓଡି ୦୨ ବିଏକ୍ସ ୯୫୭୪)କୁ ଫତେଗଡ଼-ଭାପୁର ରାସ୍ତା ପାର୍ଶ୍ବରେ ରଖି ବିଲକୁ ଯାଇଥିଲେ। ସେଠାରୁ ଫେରି ଦେଖନ୍ତି ତ ତାଙ୍କ ବାଇକ୍‌ଟି ସେ ରଖିଥିବା ସ୍ଥାନରେ ନଥିଲା।

ଏ ସମ୍ପର୍କରେ କୃଷ୍ଣଚନ୍ଦ୍ର ଫତେଗଡ଼ ଥାନାରେ ଅଭିଯୋଗ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ଫତେଗଡ଼ ଥାନା ଅଧିକାରୀ ସୁଜିତ କୁମାର ଦାସଙ୍କ ତତ୍ତ୍ବାବଧାନରେ ଭାପୁର ପୁଲିସ ବିଟ୍‌ହାଉସ୍‌ ଅଧିକାରୀ ମହମ୍ମଦ ଜାଫରୁଲ୍ଲା ସଦଳବଳ ବିଜିପୁର ପଞ୍ଚାୟତସ୍ଥିତ ଏକ ବାଇକ୍‌ ଗ୍ୟାରେଜ୍‌ରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଗ୍ୟାରେଜ୍‌ ମାଲିକ ରାକମା ପଞ୍ଚାୟତ ଶାଳଝରିଆ ଗ୍ରାମର ମୃତ୍ୟୁଞ୍ଜୟ ଦାଶ ଓରଫ ଲିଟୁ (୨୩) ବାଇକ୍‌ଟିକୁ ଖଣ୍ଡଖଣ୍ଡ କରି କାଟି ପକାଇଥିବା‌ ଦେଖିବାକୁ ପାଇଥିଲେ। ପୁଲିସ ଖଣ୍ଡବିଖଣ୍ଡିତ ବାଇକ୍‌କୁ ଜବତ କରିବା ସହିତ ଲିଟୁକୁ ଥାନାକୁ ଆଣି ପଚରାଉଚରା କରିଥିଲା। ଫତେଗଡ଼ ଗ୍ରାମର କାଳିଆ ସ୍ବାଇଁ(୨୫) ଓ ଦୀପକ ସାହୁ (୩୦) ତାକୁ ଏହି ବାଇକ୍‌ଟି ବିକ୍ରି କରିଥିବା ଲିଟୁ ପୁଲିସକୁ କହିଥିଲା। ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଖଣ୍ଡପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଅଭିଯୁକ୍ତ କାଳିଆ ନାମରେ କଟକ ଜିଲ୍ଲା ବୈଦେଶ୍ବର ଓ ଖୋର୍ଦ୍ଧା ବେଗୁନିଆ ଥାନାରେ ବିଭିନ୍ନ ମାମଲା ରହିଛି।

ସମ୍ବନ୍ଧିତ ଖବର