ଫେସ୍‌ବୁକ୍ ବନ୍ଧୁତାରୁ ବାଇକ୍ ଚୋରି, ଭୁବନେଶ୍ବରରୁ ଧରାହେଲା ବାଇକ୍ ସହ ଚୋର

ସୋର : ଫେସ୍‌ବୁକ୍ ବନ୍ଧୁତ୍ବରୁ ଧୋକାବଜି। ନିବିଡ ବନ୍ଧୁତ୍ବ ବାହାନାରେ ଚାଟିଙ୍ଗ, କଲିଙ୍ଗ କରି ପରିବାର ସହ ସମ୍ପର୍କ ଯୋଡିଲା। ବିଶ୍ବାସରେ ବାନ୍ଧିହୋଇ ବନ୍ଧୁ ଘରକୁ ନିମନ୍ତ୍ରିତ ହେଲା। ବୁଲିଯିବା ବାହାନାରେ ରାସ୍ତା ମଝିରେ ବୋକା ବନେଇ ବାଇକ୍ ନେଇ ଫେରାର ହୋଇଗଲା। ବାଇକ୍‌ଟିକୁ ଭୁବନେଶ୍ବରରେ ଅନ୍ୟ ଜଣେ ବନ୍ଧୁ ଦେଖିବାକୁ ପାଇ ଖବର ଦେବାରୁ ସୋର ପୁଲିସ ବାଇକ୍ ସହ ଲୁଟେରାକୁ ଧରିବାକୁ ସକ୍ଷମ ହୋଇଛି। ଏଭଳି ଏକ ଘଟଣା ଘଟିଛି ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ବିଦୁ ନିକଟରେ।

ସୂଚନା ମୁତାବକ, କିଛିଦିନ ତଳେ ସାରଗାଁର ଶାନ୍ତନୁ ରାଉତଙ୍କ ସହ ଖୋର୍ଦ୍ଧା ଜିଲ୍ଲା ଗଣ୍ତରପୁର ଅ‌ଳଞ୍ଚଳର ଦୁଷ୍ମନ୍ତ ସୁବୁଦ୍ଧିଙ୍କ ସହ ଫେସ୍‌ବୁକରେ ବନ୍ଧୁତା ହୋଇଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ବ ନିବିଡ଼ ହେବାରେ ଲାଗିଲା। ହଠାତ୍‌ ଶୁକ୍ରବାର ଦିନ ଦୁଷ୍ମନ୍ତ ସାରଗାଁରେ ପହ‌ି ଶାନ୍ତନୁଙ୍କୁ ଚମକାଇ ଦେଇଥିଲେ। ନୂଆ ବନ୍ଧୁଙ୍କୁ ପାଇ ଶାନ୍ତନୁ ଘରକୁ ଡ଼ାକିଥିଲେ। ଦୁଇଦିନ ଧରି ରହିବା ପରେ ରବିବାର ସକାଳେ ଉଭୟ ସୋର ବୁଲିବା ପାଇଁ ଶାନ୍ତନୁଙ୍କ ନୂଆ ସୁଜକି ଜିକ୍ସର ବାଇକ୍‌ରେ ବାହାରି ଯାଇଥିଲେ। ବିଦୁ ନିକଟରେ ଛିଡ଼ାହୋଇ ଜଳପାନ କରୁଥିବା ସମୟରେ ଦୁଷ୍ମନ୍ତ ଟିକିଏ ବୁଲିଆସିବା ପାଇଁ କହି ବାଇକ୍ ଚାବି ମାଗି ଫେରାର ହୋଇଯାଇଥିଲା। ବହୁ ସମୟ ପର୍ଯ୍ୟନ୍ତ ଦୁଷ୍ମନ୍ତ ନଫେରିବାରୁ ଖୋଜାଖୋଜି କରି ନିରାଶ ହେବା ପରେ ସୋର ଥାନାରେ ଅଭିଯୋଗ କରିଥିଲେ।

ତେବ‌େ ଶାନ୍ତନୁଙ୍କ ଜଣେ ବନ୍ଧୁ ରବିବାର ସଂଧ୍ୟାରେ ବାଇକ୍‌ଟିକୁ ମଞ୍ଚେଶ୍ବର ଥାନା ସ୍ଥିତ ଏକ ଶୌଚାଳୟ ପାଖରେ ଥିବା ଦେଖି ତୁରନ୍ତ ଶାନ୍ତନୁଙ୍କୁ ଜଣାଇଥିଲେ। ଖବର ପାଇ ଆଇଆଇସି ମଧୁମିତା ମହାନ୍ତି ‌ମଞ୍ଚେଶ୍ବର ଥାନା ସହ ଯୋଗାଯୋଗ କରିଥିଲେ। ମଞ୍ଚେଶ୍ବର ଥାନା ପୁଲିସ ସେଠାରେ ଚଢ଼ାଉ କରି ବାଇକ୍‌ଟିକୁ ଜବତ କରିବା ସହ ଦୁଷ୍ମନ୍ତଙ୍କୁ ଗିରଫ କରିଥିଲା। ସୋର ଥାନା ପୁଲିସର ଏକ ଟିମ୍ ରାତିରେ ମଞ୍ଚେ‌ଶ୍ବରରେ ପହଞ୍ଚିବା ପରେ ମଞ୍ଚେଶ୍ବର ଥାନା ପୁଲିସ ଦୁଷ୍ମନ୍ତଙ୍କୁ ଜିମା ଦେବା ସହ ବାଇକ୍‌କୁ ଦେଇଥିଲା। ଆଜି ପୁଲିସ କେସ୍‌ ନଂ-୨୨/୨୧ରେ ଏକ ମାମଲା ରୁଜୁ କରି ଦୁଷ୍ମନ୍ତକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର