ଚୋରି ରାକେଟ୍‌ର ପର୍ଦ୍ଦାଫାସ; ୫ ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ କୋର୍ଟଚାଲାଣ

ରୁପ୍ରା : କଳାହାଣ୍ଡି ଜିଲ୍ଲା ନର୍ଲା ପୁଲିସ୍ ଏକ ବାଇକ୍ ଚୋରି ରାକେଟ୍‌ର ପର୍ଦ୍ଦାଫାସ କରିଛି। ୫ ଚୋରି ବାଇକ୍‌ ଉଦ୍ଧାର କରିବା ସହ ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବୁଧବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ ଗଙ୍ଗାଧର ମେହେର ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ, ଗତ ସୋମବାର ଦେପୁର ନିକଟ ସିନାଙ୍ଗଭଟା ଗ୍ରାମର ନରେଶ ଜାଲଙ୍କ ବାଇକ୍ (ଓଡି ୦୮କ୍ୟୁ-୨୧୯୫)କୁ ତାଙ୍କ ବଡ଼ଭାଇ କୁମୁଦ ଜାଲ ନେଇ ଲାଞ୍ଜିଗଡ଼ ରୋଡ୍ ଯାଇଥିଲେ। ସେଠାରୁ ତାଙ୍କ ବାଇକ୍ ଚୋରି ହୋଇଥିବା ବେଳେ ନରେଶ ଏନେଇ ନର୍ଲା ଥାନାରେ ଅଭିଯୋଗ କରିଥିଲେ। ସେହି ଦିନ ସନ୍ଧ୍ୟାରେ ଉକ୍ତ ବାଇକ୍‌କୁ ନେଇ ଜଣେ ଯୁବକ ରୁପ୍ରାର ଏକ ଗ୍ୟାରେଜ୍‌କୁ ଆସିଥିବା ବେଳେ ନରେଶଙ୍କ ଜଣେ ସାଙ୍ଗ ଦେଖି ସ୍ଥାନୀୟ ଲୋକଙ୍କୁ କହିଥିଲେ। ପରେ ସ୍ଥାନୀୟ ଲୋକ ଉକ୍ତ ଚୋରକୁ କାବୁ କରି ନର୍ଲା ଥାନା ଓ ପଲମ ଫାଣ୍ଡିକୁ ଜଣାଇଥିଲେ। କିଛି ସମୟ ପରେ ଫାଣ୍ଡି ଅଧିକାରୀ ଅକ୍ଷୟ ପ୍ରସାଦ ପଟ୍ଟନାୟକ ଓ ନର୍ଲା ଏଏସ୍ଆଇ କାର୍ତ୍ତିକ ନାଏକ ସଦଳବଳ ପହଞ୍ଚି ମୁସ୍କୁଟି ପଞ୍ଚାୟତ କୁଟେନ ଗୋବିନ୍ଦପୁର ଗ୍ରାମର ରୋମାଞ୍ଚଳ ସାହୁକୁ କାବୁ କରି ନର୍ଲା ଥାନାକୁ ନେଇଥିଲେ। ଅଧିକ ପଚରାଉଚୁରା ପରେ ଏକ ରାକେଟ୍ ରହିଥିବା ପୁଲିସ୍ ଜାଣିପାରିଥିଲା।

ପରେ ମୁଖ୍ୟ ଅଭିଯୁକ୍ତ ରୋମାଞ୍ଚଳର ସୂଚନା ମତେ ରୁପ୍ରାର ପୀତାମ୍ବର ମେହେର, କେସିଙ୍ଗା ଦୁର୍ଗା ମଣ୍ଡପପଡ଼ାର ଲିଙ୍ଗରାଜ ସୁନା ଓ ଦୀପୁ ନାଏକ ଏବଂ କୁର୍ଲୁପଡ଼ାର ଅଭି ବାଗଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା। ପରେ ବିଭିନ୍ନ ସ୍ଥାନରୁ ୫ଟି ଚୋରି ବାଇକ୍ ଉଦ୍ଧାର କରାଯିବା ସହ ଉକ୍ତ ୫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ପୁଲିସ୍‌ ସୂଚନା ଦେଇଛି।

ସମ୍ବନ୍ଧିତ ଖବର