ରାୟଗଡ଼ା: ଚାନ୍ଦିଲି ଥାନା ରିଭଲକଣା-ରାମପୁର ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପାର୍କିଂ ହୋଇଥିବା ଟ୍ରାକ୍ଟର ଡାଲାରେ ବାଇକ୍ ପିଟି ହେବା ଯୋଗୁ ବାଇକ ଚାଳକ ରଇତ ହିମିରିକାଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ବାଇକ୍ ଆରୋହୀ ସୁନୀଲ ହିମିରିକା, ଆନିସ ହୁଇକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାଜପଥ ଅବରୋଧ କରିଥିବା ବେଳେ ଚାନ୍ଦିଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ରାଜପଥ ଅବରୋଧ ହଟିଛି। ରାୟଗଡ଼ା ମେଡ଼ିକାଲରେ ଶବ ବ୍ୟବଚ୍ଛେଦ ପରେ ରଇତଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
କଲ୍ୟାଣସିଂହପୁରର କରକରିଆ ଲଇଚନଙ୍କ ଟ୍ରାକ୍ଟର ଚିପସ ବୋଝେଇ କରି ରିଭଲକଣାରୁ କଲ୍ୟାଣସିଂହପୁର ଅଭିମୁଖେ ଯାଉଥିଲା। ସନ୍ଧ୍ୟାରେ ରିଭଲକଣା ନିକଟରେ ଚକା ପମ୍ପଚର ହୋଇଯିବାରୁ ଟ୍ରାକ୍ଟର ରାସ୍ତା ଉପରେ ଅଟକି ରହିଥିଲା। ଡ୍ରାଇଭର ପମ୍ପଚର ପକାଇବାକୁ ଯାଇଥିବା ସମୟରେ ବାଇକ ଯୋଗେ କଲଟିଗୁଡାରୁ ବାହାରି ରାମପୁର ଅଭିମୁଖେ ବାଇକରେ ଯାଉଥିବା ୩ ଯୁବକ ଭାରସାମ୍ୟ ହରାଇ ଟ୍ରାକ୍ଟର ପଛରେ ପିଟି ହୋଇ ଯାଇଥିଲେ। କୁହୁଡ଼ି ଯୋଗୁ ରାସ୍ତା ଦେଖାନଯିବାରୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଟ୍ରାକ୍ଟର ଡାଲାରେ ପିଟି ହେବା ପରେ ତିନି ବାଇକ୍ ଆରୋହୀ ଗୁରୁତର ଆହତ ହୋଇ ରାସ୍ତା ଉପରେ ଛିଟିକି ପଡିଥିଲେ। ଗୁରୁତର ଯୁବକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମବାସୀ ଦୌଡ଼ି ଆସି ଉଦ୍ଧାର କରି ଆମ୍ବୁଲାନସ୍ ଜରିଆରେ ରାୟଗଡ଼ା ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ମେଡ଼ିକାଲ୍ ସ୍ଥାନାନ୍ତର ସମୟରେ ରାସ୍ତାରେ ରଇତ ହିମିରିକାଙ୍କ ମୃତ ହୋଇଥିଲା। ଅନ୍ୟ ଦୁଇ ଆରୋହୀ ସୁନୀଲ, ଆନିସଙ୍କୁ ରାୟଗଡ଼ା ମେଡ଼ିକାଲରେ ଚିକିତ୍ସା ପରେ କୋରାପୁଟ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଖବର ପାଇ ମୃତ ଓ ଗୁରୁତର ଆରୋହୀ ଗ୍ରାମବାସୀ ଓ ସଂପର୍କୀୟ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କରିଥିଲେ। ବେଆଇନ ଭାବେ ରାସ୍ତା ଉପରେ ଟ୍ରାକ୍ଟର ପାର୍କିଂ ହୋଇଥିବା କାରଣରୁ ଦୁର୍ଘଟଣା ଘଟିଥିବାରୁ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଆନ୍ଦୋଳନକାରୀ ଅଡ଼ି ବସିଥିଲେ। ଚାନ୍ଦିଲି ପୁଲିସ୍ ଟ୍ରାକ୍ଟର ମାଲିକ ସହ ଆଲୋଚନା କରି ପ୍ରତିଶ୍ରୁତି ଦେବା ପରେ ରାଜପଥ ଅବରୋଧ ହଟିଥିଲା।