ଲଇକେରା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍ ଭାତଲଇଡ଼ା ପଞ୍ଚାୟତ କାଙ୍କମାଲ ଗ୍ରାମର ଯବାନ ମକରଧ୍ବଜ ନାଏକ ଭାରତୀୟ ଆର୍ମିର ନବମ ବିହାର ରେଜିମେଣ୍ଟରେ କାମ କରୁଥିବା ବେଳେ, ରୋଗାକ୍ରାନ୍ତ ହୋଇ ୟୁପିର ମିରଟଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ରବିବାର ଏକ ସ୍ଵତନ୍ତ୍ର ବିମାନ ଯୋଗେ ତାଙ୍କ ପାର୍ଥିବ ଶରୀର ଝାରସୁଗୁଡ଼ାକୁ ଅଣାଯାଇ ଥିଲା। ଏହାପରେ ମହାପ୍ରୟାଣ ଗାଡ଼ିରେ ତାଙ୍କର ଜନ୍ମଭୂମି କାଙ୍କମାଲକୁ ଅଣାଯାଇ ଥିଲା। ସହିଦ ମକରଧ୍ବଜଙ୍କ ପାର୍ଥିବ ଶରୀର ଗାଁ’ରେ ପହଞ୍ଚିବା ପରେ ପରିବେଶ ଶୋକାକୁଳ ହୋଇପଡ଼ି ଥିଲା। ଗ୍ରାମବାସୀ ଓ ବନ୍ଧୁ ପରିଜନ ଶେଷ ଦର୍ଶନ କରିବାପରେ ବିଳମ୍ବିତ ରାତିରେ ଗାଁ’ ମଶାଣିରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏକମାତ୍ର ପୁଅ ଦିପେଶ ମୁଖାଗ୍ନି ଦେଇଥିଲେ। ସହିଦ ମକରଧ୍ବଜଙ୍କ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ମଶାଣିକୁ ନିଆଯାଇ ଥିଲା। ଏହି ସମୟରେ ଲଇକେରା ତହସିଲଦାର ମୂରଲୀଧର ଉର୍ମାଲ, ବିଡିଓ ଅଲେଖ ଘୁଟା, ଥାନାଧିକାରୀ ଦିଲ୍ଲୀପ ବେହେରା ଓ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ। ସହିଦ ମକରଧ୍ବଜଙ୍କ ପରିବାରରେ ବାପା ଭଗବାନ ନାଏକ, ମାଆ ଜେମାଦେଇ, ବିଧବା ପତ୍ନୀ ହେମଲତା ଓ ପୁଅ ଦିପେଶ ଅଛନ୍ତି।