ଲେଫ୍ରିପଡ଼ା : ଅଚଳ ହୋଇ ପଡ଼ିଛି ବିଲେଇବାହାଲ ପାଇପ ଜଳ ଯୋଗାଣ ପ୍ରକଳ୍ପ

ଲେଫ୍ରିପଡ଼ା (ସୁନ୍ଦରଗଡ଼): ସୁନ୍ଦରଗଡ଼ ଜିଲ୍ଲାର ଉପାନ୍ତ ଅଂଚଳ ଭାବେ ପରିଚିତ ଲେଫ୍ରିପଡ଼ା ବ୍ଲକ୍‌ର ଅନେକ ଗାଁ ଗଣ୍ତା ଆଜି ପ୍ରଶାସନର ଦୃଷ୍ଟି ଅଢ଼ୁଆଳରେ ରହିଯାଇଛି। ସ୍ବାଧୀନତାର ଦୀର୍ଘ ୭୪ ବର୍ଷ ପରେ ମଧ୍ୟ ଏହି ଅଂଚଳବାସୀ ସର୍ବ ନିମ୍ନ ମୌଳିକ ସୁବିଧା ପାଇବାରୁ ବଂଚିତ ଥିବାବେଳେ ଏହି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଘାଟି ତଥା ଉପାନ୍ତ ଅଂଚଳ ପ୍ରତି ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ଏହି ଅଂଚଳ ତଥା କଥିତ ସଭ୍ୟତା ଠାରୁ ଆଜି ବହୁ ପଛରେ ପଡ଼ିଯାଇଛି।

ବିକାଶରେ ସଫଳତାକୁ ନେଇ ଏହି ବ୍ଲକ୍ ଅନେକ ଥର ବିଭିନ୍ନ ସ୍ତରରେ ସମ୍ମାନିତ ହେଉଥିବାସ୍ଥଳେ ବିକାଶର ବାସ୍ତବ ଚିତ୍ର ଅଲଗା। ଅନେକ ଗାଁ ଗଣ୍ତାରେ ଲୋକେ ସାଧାରଣ ମୌଳିକ ସୁବିଧା ଟିକିଏ ପାଇବାରୁ ଏବେ ବି ବ‌ିତ। ଲୋକଙ୍କୁ ସରକାରୀ ସୁବିଧା ଯୋଗାଇବା ନାଁ ରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଖର୍ଚ୍ଚ ହେଉଛି ସତ; ମାତ୍ର ଅନୁଦାନର ସଦବିନିଯୋଗରେ ଅନିୟମିତତା ଯୋଗୁଁ ସେସବୁ ଯୋଜନାରେ ବିଭ୍ରାଟ ପରିଲକ୍ଷିତ ହେଉଛି। ବିଭାଗୀୟ ଅଧ଼ିକାରୀଙ୍କ ଦୂରଦୃଷ୍ଟି ର ଅଭାବ ହେଉ କି ପ୍ରିୟାପ୍ରୀତି ମନୋଭାବ, ସରକାରଙ୍କ ଯୁଗାନ୍ତକାରୀ ଯୋଜନା ଗୁଡ଼ିକ ସଫଳ ରୂପାୟନ କରିବା ଦିଗରେ ଅନ୍ତରାୟ ସୃଷ୍ଟି କରୁଛି। ଏଭଳି ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ଲେଫ୍ରିପଡ଼ା ବ୍ଲକ୍‌ର ଉପାନ୍ତ ରାଜବାହାଲ ପଞ୍ଚାୟତର ବିଲେଇବାହାଲ ଗାଁରେ।

ଏଠାରେ ପାନୀୟ ଜଳ ଯୋଗାଣ ପାଇଁ ସରକାରୀ ଅନୁଦାନରେ ଗତ ୪ ବର୍ଷ ତଳେ ଏକ ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି। ତେବେ ଗତ ପ୍ରାୟ ବର୍ଷେ ହେବ ପ୍ରକଳ୍ପଟି ଅଚଳ ପଡ଼ି ରହିଛି। ଅର୍ଥ କମିସନ ଅନୁଦାନରେ ପାନୀୟଜଳ ବ୍ୟବସ୍ଥା, ପ୍ରକଳ୍ପର ରକ୍ଷଣାବେକ୍ଷଣ ତଥା ପରିଚାଳନା ଖର୍ଚ୍ଚ ସକାଶେ ବିଶେଷ ବ୍ୟବସ୍ଥା ରହିଥିଲେ ସୁଦ୍ଧା ପାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ଏହାକୁ ନେଇ ରାଜବାହାଲ ସରପ‌ଞ୍ଚ ପାଉଲୁସ୍‌ ଲାକ୍ରାଙ୍କୁ ପଚରାଯିବାରୁ କେତେକ ଯାନ୍ତ୍ରିକ ତୃଟି ଏବଂ ଅପରେଟର ସମସ୍ୟା ନେଇ ପ୍ରକଳ୍ପଟି ଅଚଳ ହୋଇ ପଡ଼ିରହିଛି। ଏ ଦିଗରେ ସେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର