ଅଲୋଡ଼ା ପରମ୍ପରା: ବିନା ବିତର୍କରେ ବିଲ୍ ପାସ୍

ସଂସଦ, ବିଧାନସଭାର ଗରିମା କ୍ଷୁଣ୍ଣ ହେଉଛି, ଆଇନ ପ୍ରଣୟନ କେବଳ ଔପଚାରିକତା ପାଲଟିଛି

ଭୁବନେଶ୍ବର, (ଚୌଧୁରୀ ଅମିତାଭ ଦାସ): ସେପ୍ଟେମ୍ବର ୨, ୨୦୨୧। ଓଡ଼ିଶା ବିଧାନସଭାରେ ୩୦ ମିନିଟ୍‌ରେ ପାରିତ ହେଲା ୩ଟି ଗୁରୁତ୍ବପୂର୍ଣ୍ଣ ବିଲ୍‌। ପ୍ରତି ବିଲ୍‌ ଆଲୋଚନାରେ ଭାଗ ନେଲେ ମାତ୍ର ଦୁଇ ଜଣ ଲେଖାଏ ବିଧାୟକ। ଅନୁପସ୍ଥିତ ରହିଲେ ବିରୋଧୀ ଦଳ। ଓଡ଼ିଶାରେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପରି ନୂଆ ଆଇନ ପ୍ରଣୟନ ହେଲା। ପୁଣି ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଓ ଜିଏସ୍‌ଟି ଆଇନରେ ସଂଶୋଧନ ହେଲା। ଏହିସବୁ ବିଲ୍ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବ ବହନ କରୁଥିଲେ ମଧ୍ୟ ତାହାର ଭଲ-ମନ୍ଦ ଓ ଭବିଷ୍ୟତର ପ୍ରଭାବ ଉପରେ ଅଧିକ ବିତର୍କ ହେଲାନି।

ସେପ୍ଟେମ୍ବର ୮, ୨୦୨୧। ମାତ୍ର ୨୦/୨୫ ମିନିଟ୍‌ରେ ପାରିତ ହୋଇଗଲା ୪ଟି ବିଲ୍। ସେଥିରେ ପଞ୍ଚାୟତ ଆଇନ ସଂଶୋଧନ ପରି ବହୁ ପ୍ରତୀକ୍ଷିତ ବିଲ୍ ରହିଥିଲା। ପୁଣି ଜମିଜମା ବନ୍ଦୋବସ୍ତ ଓ ଷ୍ଟାମ୍ପ୍ ଡ୍ୟୁଟି ପରି ରାଜସ୍ବ ବିଭାଗର ସମ୍ବେଦନଶୀଳ ପ୍ରସଙ୍ଗ ବି ଏହି ବିଲ୍ ଭିତରେ ଥିଲା। ହାଉସିଂ ବୋର୍ଡର ପ୍ରଶାସନିକ ବ୍ୟବସ୍ଥାକୁ ଦୃଢ଼ କରିବାକୁ ଆଇନରେ ସଂଶୋଧନ ବି ହେଲା। ଚାରିଟି ବିଲ୍‌ରେ ଶାସକ ଦଳର ଜଣେ ଲେଖାଏ ବିଧାୟକ ଆଲୋଚନାରେ ଭାଗ ନେଲେ। ପ୍ରତି ବିଧାୟକ ୨/୩ ମିନିଟ୍‌ରେ ବିଲ୍ ଉପରେ ମତ ଦେଇଦେଲେ। ବାସ୍, ସେତିକିରେ ଆଇନ ପ୍ରସ୍ତୁତ ହୋଇଗଲା।

ଆଠ ଦିନିଆ ମୌସୁମୀ ଅଧିବେଶନରେ ୧୩ଟି ବିଲ୍‌ ପାରିତ ହୋଇଛି। ତାହା ମଧ୍ୟରୁ ୭ଟିର ଅବସ୍ଥା ଏହିପରି। ଅନ୍ୟଗୁଡ଼ିକରେ ମଧ୍ୟ ସମାନ ଭାଗ୍ୟ। ଗୋଟିଏ ଓଳି ବି କୌଣସି ବିଲ୍‌ ଉପରେ ଆଲୋଚନା ହୋଇ ନାହିଁ। ଏହି ସମସ୍ୟା କେବଳ ଗୋଟିଏ ଅଧିବେଶନରେ ଯେ ହୋଇଛି, ତାହା ନୁହେଁ। ଲଗାତାର ଭାବେ ବିଧାନସଭାର ବିଭିନ୍ନ ଅଧିବେଶନରେ ଏମିତି ଘଟି ଚାଲିଛି।

ଗୃହରେ ଅତ୍ୟନ୍ତ ତରବରିଆ ଭାବେ ଆଇନ ପ୍ରସ୍ତୁତ କରାଯାଉଛି। ୭୫ ବର୍ଷର ଗଣତନ୍ତ୍ରରେ ବିନା ବିତର୍କ, ଆଲୋଚନାରେ ଆଇନ ପ୍ରଣୟନ ହେବା ଏକ ପରମ୍ପରାରେ ପରିଣତ ହୋଇଗଲାଣି। ସଂସଦ, ବିଧାନସଭାରେ ବିତର୍କ, ଆଲୋଚନା ଯେମିତି ଇତିହାସର ଏକ ବିଷୟ ପାଲଟିଗଲାଣି।

ପ୍ରସଙ୍ଗ ଏତିକିରେ ଅଟକିନି। ବିଲ୍‌ରେ ଥିବା ଦ୍ବନ୍ଦ୍ବ ନେଇ ବିଧାୟକ ସ୍ପଷ୍ଟୀକରଣ ଲୋଡ଼ୁଥିଲେ ବି ମନ୍ତ୍ରୀ ତାହାକୁ ଏଡ଼ାଇ ଯିବା ଆଉ ଏକ ଅଲୋଡ଼ା ପରମ୍ପରା ସୃଷ୍ଟି କରୁଥିବା ଦେଖାଯାଉଛି। ଏହି ଅଧିବେଶନରେ ପୌର ଆଇନ ସଂଶୋଧନ ବିଲ୍ ଉପରେ ଆଲୋଚନା ବେଳେ ବିରୋଧୀ ଦଳର ସଭ୍ୟମାନେ ସଂରକ୍ଷଣ ବ୍ୟବସ୍ଥାରେ ଥିବା ଦ୍ବନ୍ଦ୍ବ ସମ୍ପର୍କରେ ମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ବିରୋଧୀଙ୍କ ପ୍ରଶ୍ନ ଅତ୍ୟନ୍ତ ସ୍ପଷ୍ଟ ଥିଲେ ବି ନଗର ଉନ୍ନୟନ ମନ୍ତ୍ରୀ ସେ ସମ୍ପର୍କରେ ଉଁ କି ଚୁଁ କହି ନ ଥିଲେ। ଏପରିକି ଗୃହ ବାହାରେ ମଧ୍ୟ ଗଣମାଧ୍ୟମରେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇ ନ ଥିଲା।

ବିଧାନସଭାରେ ଏମିତି ବିଚିତ୍ର ସ୍ଥିତିକୁ ନେଇ ଗୃହ ଭିତରେ ଯେ ଉଦ୍‌ବେଗ ପ୍ରକାଶ ପାଇନି ତାହା ନୁହେଁ। ଗୃହ ଭିତରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ତରବରିଆ ବିଲ୍‌ ଆଗତ ଓ ପାରିତ ହେବାକୁ ସମାଲୋଚନା କରିଥିଲେ। ବିଲ୍‌ ଆଗତ ହେବାର ୭୨ ଘଣ୍ଟା ପୂର୍ବରୁ ବିଧାୟକମାନଙ୍କୁ ବିଲ୍‌ର ନକଲ ଦିଆଯିବା କଥା କହିଥିଲେ। କିନ୍ତୁ ତାଙ୍କ କଥାକୁ କେତେଦୂର ଗ୍ରହଣ କରାଗଲା, ତାହା ଜଣାପଡ଼ିଲା ନାହିଁ। ବିଧାନସଭାରେ ଶ୍ରୀ ମିଶ୍ର ଆଇନ ପ୍ରସ୍ତୁତି ଓ ବିଧାୟକମାନଙ୍କ ଜ୍ଞାନଗାରିମାକୁ ନେଇ ଏକ ଖୋଲା ଚ୍ୟାଲେଞ୍ଜ୍ ଦେବା ସମ୍ପୂର୍ଣ୍ଣ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି। ଗୃହ ଭିତରେ ୯୦% ବିଧାୟକ ପାରିତ ହେଉଥିବା ବିଲ୍‌ ସମ୍ପର୍କରେ ଅଜ୍ଞ ବୋଲି ସେ ଖୋଲାଖୋଲି କହିଥିଲେ। ଯଦି ବି କିଛି ବିଧାୟକ ଆଇନ ସମ୍ପର୍କରେ ଜାଣୁଥିବେ, ତେବେ ତାହାକୁ ତର୍ଜମା କରୁନାହାନ୍ତି। ଏପରିକି ମନ୍ତ୍ରୀମାନେ ମଧ୍ୟ ପ୍ରଣୟନ ହେଉଥିବା ଆଇନ ସମ୍ପର୍କରେ ଜାଣି ନାହାନ୍ତି ବୋଲି କହିବାକୁ ସେ ପଛାଇ ନ ଥିଲେ। କେବଳ ଅର୍ଥ ମନ୍ତ୍ରୀ ଦୃଢ଼ତାର ସହ କହିଥିଲେ ଯେ ମୁଁ ବିଲ୍ ଆଣିବା ପୂର୍ବରୁ ହୋମ୍‌ୱାର୍କ କରେ। କିନ୍ତୁ ଗୃହରେ ଆଉ କୌଣସି ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଅଭିଯୋଗକୁ ଖଣ୍ଡନ କରି ନ ଥିଲେ। ଉପସ୍ଥିତ ଥିବା ବିଧାୟକମାନେ ମଧ୍ୟ ନିରବଦ୍ରଷ୍ଟା ସାଜିଥିଲେ। ଏଥିରୁ ସ୍ପଷ୍ଟ ହେଉଥିଲା ଯେ ଗୃହରେ ଆଇନ ପ୍ରଣୟନ କେବଳ ଏକ ଔପଚାରିକତା ପାଲଟିଯାଇଛି। ଏମିତି ଠିକ୍ ଭାବେ ଆଲୋଚନା ହୋଇ ନ ଥିବାରୁ ଅତୀତରେ କିଛି ବିଲ୍‌ ବିଧାନସଭାରେ ପାରିତ ହେଲା ପରେ ବି ରାଷ୍ଟ୍ରପତି, ରାଜ୍ୟପାଳ ଫେରାଇ ଦେଇଛନ୍ତି। ପୁଣି କିଛି ବିଲ୍‌ କୋର୍ଟରେ ଚ୍ୟାଲେଞ୍ଜ୍ ହୋଇଛି। ତାହା ସତ୍ତ୍ବେ ସ୍ଥିତି କିଛି ବଦଳିନି।

ଓଡ଼ିଶା ବିଧାନସଭାରେ ଯେ କେବଳ ଏମିତି ହେଉଛି, ତାହା ନୁହେଁ। ସଂସଦରେ ମଧ୍ୟ ଏମିତି ଘଟଣା ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଦେଶକୁ ଶାସନ କରିବା ପାଇଁ ନିର୍ବାଚିତ ପ୍ରତିନିଧିମାନେ ଆଇନ ପ୍ରଣେତା ସାଜି ଆଇନ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଆଇନ ପ୍ରସ୍ତୁତିର ସବୁ ଦିଗକୁ ବିଚାର କରି ନିଜର ମତ ଦେବା ଯେମିତି ସେମାନଙ୍କ ପାଇଁ ମୂଲ୍ୟହୀନ ହୋଇପଡ଼ିଛି। ସଂସଦର ଗତ ମୌସୁମୀ ଅଧିବେଶନରେ ଏମିତି ବିନା ଆଲୋଚନା ଓ ବିତର୍କରେ ୧୫ରୁ ଅଧିକ ବିଲ୍‌ ପାରିତ ହୋଇଛି।

IndiaTV News

ଏହି ପ୍ରସଙ୍ଗକୁ ନେଇ ଗତ ମାସରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍‌.ଭି. ରମଣା ଉଦ୍‌ବେଗ ପ୍ରକାଶ କରିଥିଲେ। ସେ ସିଧାସଳଖ କହିଥିଲେ ଯେ ସଂସଦ ଓ ବିଧାନସଭାରେ ବିନା ଆଲୋଚନାରେ ବିଲ୍‌ ପାରିତ ହେବା ବେଶ୍‌ ଚିନ୍ତାଜନକ। କିଛି ଗୁରୁତ୍ବପୂର୍ଣ୍ଣ ଆଇନ ପ୍ରସ୍ତୁତି ବେଳେ ଅଧିକ ବିତର୍କ ଆବଶ୍ୟକ ପଡ଼ୁଛି। ଫଳରେ ଏହି ଆଇନ ପ୍ରସ୍ତୁତିର ଆଭିମୁଖ୍ୟ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିବା ସହ ଆଇନ ପ୍ରଣେତାମାନେ କ’ଣ ଚାହୁଁଛନ୍ତି ତାହା ଜଣାପଡ଼ନ୍ତା। କିନ୍ତୁ ତାହା ହେଉ ନ ଥିବାରୁ ବର୍ତ୍ତମାନ ଆଇନରେ କୌଣସି ପ୍ରକାର ସ୍ପଷ୍ଟତା ନାହିଁ। ଆଇନର ଆଭିମୁଖ୍ୟ ବୁଝାପଡ଼ୁନି। ଏହାଦ୍ବାରା ଏହି ଆଇନଗୁଡ଼ିକ ପରବର୍ତ୍ତୀ ସମୟରେ ଅଯଥା ବିବାଦ, ଦ୍ବନ୍ଦ୍ବ ଓ ଅସୁବିଧା ସୃଷ୍ଟି କରୁଛି। ସରକାର ନିଜେ ଅସୁବିଧାରେ ପଡ଼ୁଛନ୍ତି। ନ୍ୟାୟାଳୟ ଭାରାକ୍ରାନ୍ତ ହେଉଛି। ସାଧାରଣ ଜନତା ସମସ୍ୟା ଭୋଗୁଛନ୍ତି। ଏ କଥା ବି ପ୍ରଧାନ ବିଚାରପତି ମନେ ପକାଇ ଦେଇଥିଲେ ଯେ ପୂର୍ବରୁ କୌଣସି ଆଇନ ପ୍ରସ୍ତୁତ ବେଳେ ଅଧିକ ଆଲୋଚନା ଓ ବିତର୍କ ହେଉଥିଲା। ଫଳରେ ଆଇନର ଆଭିମୁଖ୍ୟ ସ୍ପଷ୍ଟ ହେଉଥିଲା।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏମିତି ମତ ‌ଦେବା ପରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବୁଦ୍ଧିଜୀବୀ, ସମ୍ବିଧାନ ବିଶାରଦମାନେ ଏହାକୁ ସମର୍ଥନ କରିଥିଲେ। ଗଣମାଧ୍ୟମରେ ଏହା ଉପରେ ବେଶ୍‌ ବିତର୍କ ହେଲା। ଏହାପରେ ସଂସଦ ଓ ବିଧାନସଭା ପରି ପବିତ୍ର ଗୃହର ଗାରିମା ରକ୍ଷା କରିବାକୁ ଆମ ଆଇନ ପ୍ରଣେତାମାନେ ସଚେତନ ହେବେ ବୋଲି ସମସ୍ତେ ଆଶା କରିବା ସ୍ବାଭାବିକ। ଅମଲାତନ୍ତ୍ର ଦ୍ବାରା ପ୍ରସ୍ତୁତ କାଗଜ ଉପରେ ଆଖିବୁଜା ମୋହର ନ ମାରି ନିଜ ମତ ଦେଇ ପ୍ରତିନିଧିମାନେ ଦୃଢ଼ ଆଇନ ପ୍ରଣୟନ କରିବେ ବୋଲି ବିଶ୍ବାସ କରିବା ଅମୂଳକ ନୁହେଁ। କିନ୍ତୁ ରାଜ୍ୟ ବିଧାନସଭାର ଗତ ଅଧିବେଶନରେ ଆଇନ ପ୍ରଣୟନରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ ହୋଇ ରହିବା ଚିନ୍ତାଜନକ ବିଷୟ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର