ଅକ୍ସଫାମ୍‌ ଇଣ୍ଡିଆ ପକ୍ଷରୁ ‘ଅସମାନତା ଭାଇରସ୍’ ରିପୋର୍ଟ ଉନ୍ମୋଚିତ : କରୋନାରେ ଅରବପତିଙ୍କ ଆୟ ବଢ଼ିଲା

୧୦ ଅରବପତିଙ୍କ ୫୪୦ ଅରବ ଡଲାର ଆୟ

ଭୁବନେଶ୍ବର : କରୋନା ମହାମାରୀ ସମୟରେ କୋଟି କୋଟି ଲୋକ ରୋଜଗାରଶୂନ୍ୟ ହୋଇଗଲେ। ଖାଦ୍ୟ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ,ଏହି ସମୟରେ ଦେଶର ଶହେ ଅରବପତିଙ୍କ ସମ୍ପତ୍ତି ୧୨,୯୭,୮୨୨କୋଟି ଟଙ୍କା‌କୁ ବଢ଼ିଲା। ଏପରିକି ମାର୍ଚ୍ଚ ୨୦୨୦ରୁ ଡିସେମ୍ବର ଶେଷ ସୁଦ୍ଧା ଦେଶର ୧୦ ଧନୀ ବ୍ୟକ୍ତିଙ୍କର ସମ୍ପତ୍ତି ୫୪୦ ଅରବ (ବିଲିୟନ) ବଢ଼ିଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଅକ୍ସଫାମ୍‌ ଇଣ୍ଡିଆ’ ପକ୍ଷରୁ ଆଜି ପ୍ରେସ୍‌ କ୍ଲବ୍ ଅଫ୍‌ ଭୁବନେଶ୍ବରରେ ‘ଅସମାନତା ଭୂତାଣୁ’ ରିପୋର୍ଟ ଓ ୱାର୍ଲଡ ଇକୋନମିକ୍ ଫୋରମର ‘ଡାଭୋସ୍‌ ଡାଇଲଗ୍’ ଉନ୍ମୋଚନ ଅବସରରେ ଏହା ଜଣାପଡ଼ିଛି।

ଅକ୍ସଫାମ୍‌ ଦ୍ବାରା ୭୯ଟି ଦେଶର ୨୯୫ଜଣ ଅର୍ଥନୈତିଜ୍ଞଙ୍କ ଗ୍ଲୋବାଲ୍‌ ସର୍ଭେକୁ ଆଧାର କରି ପ୍ରସ୍ତୁତ ହୋଇଥିବା ‘ଅସମାନତା ଭୂତାଣୁ’ ରିପୋର୍ଟରୁ ଜଣାପଡ଼ିଛି ଯେ କୋଇଲା, ତୈଳ, ଟେଲିକମ୍‌, ଫାର୍ମାସୁଟିକାଲ୍‌, ଶିକ୍ଷା, ରିଟେଲ କ୍ଷେତ୍ରରେ କାର୍ଯ୍ୟରତ ମୁକେଶ ଅମ୍ବାନି, ଗୌତମ ଅଦାନି, ଶିବ ନାଦାର, ସାଇରସ୍‌ ପୁନାୱାଲା, ଉଦୟ କୋଟାକ୍‌, ଅଜିମ ପ୍ରେମଜୀ, ସୁନିଲ ମିତ୍ତଲ, ରାଧାକ୍ରିଷ୍ଣନ ଦମାନି, କୁମାର ମଙ୍ଗଳମ୍‌ ବିର୍ଲା, ଲକ୍ଷ୍ମୀ ମିତ୍ତଲଙ୍କ ଭଳି ଉଦ୍ୟୋଗପତିଙ୍କ ଉପରେ କରୋନାର କୁପ୍ରଭାବ କିଛି ପଡ଼ିନି। ବରଂ ସେମାନଙ୍କର ସମ୍ପତ୍ତି ପ୍ରାୟ ୫୪୦ଅରବ ବଢ଼ିଛି। ଯେତେବେଳେ ଏପ୍ରିଲ, ୨୦୨୦ରେ ପ୍ରତି ଘଣ୍ଟାରେ ୧,୭୦,୦୦୦ ଲୋକ ନିଯୁକ୍ତି ହରାଉଥିଲେ, ସେତେବେଳେ ଅରବପତିଙ୍କ ସମ୍ପତ୍ତି ବଢ଼ୁଥିଲା।

ସେହିପରି ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତ ହେଉଛି ଷଷ୍ଠ ଦେଶ, ଯେଉଁଠି ଭାରତୀୟ ଅରବପତିଙ୍କ ସମ୍ପତ୍ତି ଲକଡାଉନ୍‌ ସମୟରେ ୩୫ ପ୍ରତିଶତ ବଢ଼ିଛି। ଲକ୍‌ଡାଉନ୍‌ ଯୋଗୁଁ ପ୍ରାୟ ୩୦୦ ଅଣସଂଗଠିତ ଶ୍ରମିକ ପ୍ରାଣ ହରାଇଛନ୍ତି। ଆତ୍ମହତ୍ୟା, ଦୁର୍ଘଟଣା ଓ ସ୍ୱାସ୍ଥ୍ୟସେବା ନ ପାଇ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଗତ ଏପ୍ରିଲରେ ଜାତୀୟ ମାନବାଧିକାର ଆୟୋଗ ୨୫୮୨ଟି ମାନବାଧିକାର ଉଲ୍ଲଂଘନ ମାମଲା ପଞ୍ଜୀକୃତ କରିଥିବା ବେଳେ ଦେଶରେ ଏହି ଅବଧି ମଧ୍ୟରେ ୧୪୭୭ଟି ଘରୋଇ ହିଂସା ପଞ୍ଜୀକୃତ ହୋଇଛି।

ଏହି ରିପୋର୍ଟ ଉନ୍ମୋଚନ କରି ଆଇଆଇଏମ୍‌ସି, ଢେଙ୍କାନାଳର ନିର୍ଦ୍ଦେଶକ ମୃଣାଳ ଚାଟାର୍ଜୀ କହିଲେ ଯେ ଓଡ଼ିଶାର ସ୍କୁଲ ପିଲାମାନେ ବହୁତ ବଡ଼ ଅସମାନତା ଭୋଗିଲେ। ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିଥିବାରୁ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ବଢ଼ିବ। ଗ୍ରାମାଞ୍ଚଳରେ ମାତ୍ର ୪% ଲୋକଙ୍କ ଘରେ କମ୍ପ୍ୟୁଟର୍‌ ଥିବା ବେଳେ ୧୫% ଗ୍ରାମୀଣ ପରିବାର ନିକଟରେ ଇଣ୍ଟରନେଟ୍‌ ଥିବାରୁ ବହୁ ଛାତ୍ରଛାତ୍ରୀ ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ହେଲେ। ଶିକ୍ଷା କ୍ଷେତ୍ରରେ କିପରି ଅସାମନତା ସୃଷ୍ଟି ହୋଇଛି, ତାହା ଏଥିରୁ ଜଣାପଡ଼ିଛି।

ଏଥିରେ କିଟ୍‌ ବିଶ୍ବବିଦ୍ୟାଳୟର ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌ର ଡିନ୍‌ ଏସ୍‌.ଏନ୍ ମିଶ୍ର, ୟୁ.ଏନ୍‌ ସ୍ବୟଂଶାସିତ ମହାବିଦ୍ୟାଳୟର ଓମେନ୍‌ ଷ୍ଟଡିଜ୍‌ ନିର୍ଦ୍ଦେଶକ ହିରଣ୍ମୟୀ ମିଶ୍ର ଅତିଥି ଭାବେ ଯୋଗଦେଇ କିପରି କରୋନା ସମୟରେ ସାରା ଦେଶରେ ବିଭିନ୍ନ କ୍ଷେତ୍ରରେ ଅସାମନତା ସୃଷ୍ଟି ହୋଇଛି, ତାହା କହିଥି‌ଲେ। କରୋନା ଯୋଗୁଁ ଶ୍ରମିକମାନେ ଅଧିକ ପ୍ରଭାବିତ ହୋଇଥିବା ଦୁଇ ଅତିଥି କହିଥିଲେ।

ଅକ୍ସଫାମ୍‌ ଇଣ୍ଡିଆର ରିଜିଓନାଲ ମ୍ୟାନେଜର୍‌ ଅକ୍ଷୟ ବିଶ୍ବାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅକ୍ସଫାମ୍‌ର ପ୍ରୋଗ୍ରାମ୍‌ ମ୍ୟାନେଜର୍‌ ରୁକ୍ମିଣୀ ପଣ୍ଡା ଏହି ରିପୋର୍ଟ ସମ୍ପର୍କରେ ପାୱାରପଏଣ୍ଟ ଉପସ୍ଥାପନ କରି କହିଲେ ଯେ କରୋନା ମହାମାରୀ ଯୋଗୁଁ ୧୦୦ ବର୍ଷ ଭିତରେ ସବୁଠୁ ବଡ଼ ମାନ୍ଦାବସ୍ଥା ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର