ଲୁହାପଥରକୁ ନିମ୍ନମାନର ଦର୍ଶାଇ କୋଟି କୋଟି ଲୁଟ୍ : ଅପରାଜିତା
ସରକାର-ଖଣିମାଲିକଙ୍କ ଅସାଧୁମେଣ୍ଟ
ଭୁବନେଶ୍ବର : ଉତ୍ତମମାନର ଲୁହାପଥରକୁ ନିମ୍ନମାନର ଦର୍ଶାଇ ରପ୍ତାନୀ କରାଯାଉଛି। ଏଥିରେ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ଠକେଇ ହେଉଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏଭଳି ୬ଟି ଖଣିର ଉଦାହରଣ ଦେଇଛନ୍ତି। ଖଣି ମାଲିକ ଓ ସରକାରଙ୍କ ମଧ୍ୟରେ କିଭଳି ଅସାଧୁ ମେଣ୍ଟ ହୋଇଛି ତାହା ଦର୍ଶାଇଛନ୍ତି। ରପ୍ତାନୀ ଶୁଳ୍କ ସମେତ ଅନ୍ୟ ସମସ୍ତ ଟିକସ ଫାଙ୍କି କୋଟି କୋଟି ଟଙ୍କା ଲୁଟି ନିଆଯାଉଥିବା ସେ ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ଗତ ୨୦୨୦ ମାର୍ଚ୍ଚ ୩୧ରେ ୨୦ଟି ବଡ଼ ଖଣିର ନିଲାମ କରିଥିଲେ ସରକାର। ଲିଜ୍ଧାରୀମାନେ ନିମ୍ନମାନର ଲୁହା ପଥର ରପ୍ତାନୀ ଆରମ୍ଭ କରିଥିଲେ। ଯେଉଁ ଲୁହାପଥରରେ ୫୮ ପ୍ରତିଶତରୁ ଅଧିକ ଲୁହା ରହିଥାଏ, ସେଥିରେ ୩୦% ରପ୍ତାନୀ ଶୁଳ୍କ ଦେବାକୁ ପଡ଼ିଥାଏ। ୫୮ ପ୍ରତିଶତରୁ କମ୍ ପରିମାଣର ଲୁହା ରହିଥିଲେ, ରପ୍ତାନୀ ଶୁଳ୍କ ଦେବାକୁ ପଡ଼େନାହିଁ। ଏଣୁ ଲୁହାପଥରରେ ଲୁହାର ପରିମାଣ ୫୮ ପ୍ରତିଶତରୁ ଅଧିକ ଥିଲେ ମଧ୍ୟ ନିମ୍ନମାନର ଦର୍ଶାଇ ରପ୍ତାନୀ ଶୁଳ୍କ ହଡ଼ପ କରାଯାଇଛି। ଏଭଳି ଲୁଟ୍ ହୋଇଥିବା ୬ଟି ଖଣିର ଉଦାହରଣ ଦେଇଛନ୍ତି ସାଂସଦ। ଏଥିରେ ମୟୂରଭଞ୍ଜର ଗୋରୁମହିଷାଣୀ, ବାଦମ ପାହାଡ଼ ଭଳି ବଡ଼ ବଡ଼ ଖଣି ରହିଛି।
ସାଂସଦଙ୍କ ଅଭିଯୋଗ ଅନୁଯାୟୀ ନିଲାମ ପୂର୍ବରୁ ଗୋରୁମହିଷାଣୀ ଖଣିରେ ୫୫ ପ୍ରତିଶତରୁ କମ୍ ମାନର ଲୁହାପଥର ୬ ପ୍ରତିଶତ ଥିଲା। ଏହା ସରକାରୀ ଭାବରେ ରେକର୍ଡ କରାଯାଇଥିଲା। କିନ୍ତୁ ନିଲାମ ପରେ ଯେତେବେଳେ ଲିଜ୍ଧାରୀ ରପ୍ତାନୀ କଲା ସେତେବେଳେ ୬ ପ୍ରତିଶତକୁ ୯୫ ପ୍ରତିଶତ ଦର୍ଶାଯାଇଥିଲା। ଠିକ୍ ସେହିଭଳି ବାଦାମପାହାଡ଼ ଖଣିରେ ୫୫ ପ୍ରତିଶତରୁ କମ୍ ମାନର ଲୁହା ପଥର ୮ ପ୍ରତିଶତ ଥିଲା। ରପ୍ତାନୀ ବେଳେ ଏହି ୮ ପ୍ରତିଶତକୁ ୫୯ ପ୍ରତିଶତ ଦର୍ଶାଯାଇଥିଲା। ସରକାରୀ ରେକର୍ଡରେ ଜରିବାହାଲ ଖଣିରେ ନିମ୍ନମାନର ଲୁହାପଥର ୪ ପ୍ରତିଶତ ଥିବା ବେଳେ ରପ୍ତାନୀ ବେଳେ ଏହାକୁ ୯୩ ପ୍ରତିଶତ ଦର୍ଶାଇଥିଲା। ଏଭଳି ସମସ୍ତ ଖଣିକୁ ହିସାବକୁ ନେଲେ ୧୦ ଲକ୍ଷ ଟନ୍ ଲୁହାପଥରକୁ ନିମ୍ନମାନର ଦର୍ଶାଇ ରପ୍ତାନୀ କରାଯାଇଛି। ଏଥିରେ ସରକାର ୬ଶହ କୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି। ସବୁ ଖଣିର ଏଭଳି କ୍ଷତିକୁ ହିସାବକୁ ନେଲେ ଏହା ହଜାରେ କୋଟି ଟପିବ ବୋଲି ଆଶଙ୍କା କରିଛନ୍ତି। ଏହା ସହିତ ଜିଲ୍ଲା ଖଣିଜ ପାଣ୍ଠିରେ ମଧ୍ୟ କୋଟି କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି।
ଶ୍ରୀମତୀ ଷଡ଼ଙ୍ଗୀ ଆହୁରି କହିଛନ୍ତି ଯେ ଶାହ କମିସନ ଏହି ଖଣି ଦୁର୍ନୀତି ୫୯ହଜାର କୋଟିର ହୋଇଥିବା ଦର୍ଶାଇଥିଲେ। କିନ୍ତୁ ସରକାର ଚେତି ନଥିଲେ। ଏହାକୁ ରୋକିବା ପାଇଁ ବାଟ କାଢ଼ିବା ପରିବର୍ତ୍ତେ ଅଧିକ କିଭଳି ଲୁଟ୍ ହୋଇ ପାରିବ ତାହାର ବାଟ ବାହାର କଲେ। ତାହାର ଏକ ବଡ଼ ଉଦାହରଣ ହେଉଛି ୨୦୧୯-୨୦ ଆର୍ଥିକ ବର୍ଷରେ ନିମ୍ନମାନର ଲୁହାପଥର ପରିମାଣ ୨୩ ପ୍ରତିଶତ ଥିବା ବେଳେ ଏହା ଗୋଟିଏ ବର୍ଷରେ ଅର୍ଥାତ୍ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ବଢ଼ି ୯୫ ପ୍ରତିଶତ ହୋଇଯାଇଛି। ରାଜ୍ୟ ସରକାର ଏ ସବୁ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।