ଭୁବନେଶ୍ବର: ହଜାରେ କୋଟିର କ୍ରିପ୍ଟୋ କରେନ୍ସି ଠକେଇ ଘଟଣାରେ ଆଜି ରୢାକେଟ୍ର ତିନି ଅଭିଯୁକ୍ତଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି। ସେମାନେ ହେଲେ, ରାଜସ୍ଥାନ ହନୁମାନଗଡ଼ର କ୍ରିଷ୍ଣା କୁମାର, ଶ୍ରୀ ଗଙ୍ଗନଗରର ଅନିଲ କୁମାର ଓ ନାଗୁଆର ଭୁରା ରାମ୍। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଅନୁରୋଧକ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ୍ ଏହି ସର୍କୁଲାର ଜାରି କରିଛି। ଏହି ତିନି ଅଭିଯୁକ୍ତଙ୍କ ଗତିବିଧି ଉପରେ ଇଓଡବ୍ଲୁ ନଜର ରଖିଥିବା ବେଳେ ସେମାନେ ଦୁବାଇ ଓ ଥାଇଲାଣ୍ଡ ପଳାଇବା ପାଇଁ ଯୋଜନା କରୁଥିଲେ। ଫେରାର୍ ହେବା ପୂର୍ବରୁ ସର୍କୁଲାର୍ ଜାରି କରାଯାଇଛି। ତେବେ ପୂର୍ବରୁ ରୢାକେଟ୍ ମୁଖ୍ୟ ଡେଭିଡ୍ ଗେଜ୍ ବିରୋଧରେ ମଧ୍ୟ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି। ଏହି ମାମଲାରେ ଓଡ଼ିଶା ମୁଖ୍ୟ ନିରୋଦ ଦାସ ଓ ରତ୍ନାକର ପଲ୍ଲେଇକୁ ଗିରଫ କରାଯାଇଥିବା ବେଳେ ରାଜସ୍ଥାନର ଗଙ୍ଗାନଗରରୁ ଭାରତର ମୁଖ୍ୟ ଗୁରୁତେଜ୍ ସିଂ ସିଦ୍ଧୁକୁ ଗିରଫ କରାଯାଇଛି।
ରାଜ୍ୟରେ କ୍ରିପ୍ଟୋ କରେନ୍ସି କାରବାର ଓ ଠକେଇ ସଂକ୍ରାନ୍ତରେ ଇଓଡବ୍ଲୁ ଖୋଳତାଡ଼ କରୁଛି। ଭଦ୍ରକ, ବାଲେଶ୍ବର, ଭୁବନେଶ୍ବର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଏବଂ କେନ୍ଦୁଝର ଜିଲ୍ଲାରେ ଏହି କାରବାର ସକ୍ରିୟ ଥିବା ଜଣାପଡ଼ିଛି। ଏଥିରେ ସାରା ଦେଶରେ ପ୍ରାୟ ୨ ଲକ୍ଷ ସଦସ୍ୟ ରହିଥିବା ବେଳେ ଓଡ଼ିଶାରେ ସଦସ୍ୟଙ୍କ ସଂଖ୍ୟା ଥିଲା ୧୦ ହଜାରରୁ ଅଧିକ। ପ୍ରାୟ ହଜାରେ କୋଟି ଟଙ୍କାର କାରବାର ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ସୂଚନା ମିଳିଥିଲା। ଏହି ସଂସ୍ଥା ଓଡ଼ିଶା ସମେତ ପଞ୍ଜାବ, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଆସାମରେ କାରବାର ମେଲାଇଥିଲା।
୨୦୨୧ରେ ଖୋଲିଥିବା କ୍ରିପ୍ଟୋ କରେନ୍ସି ଏକ ଠକେଇ ସଂସ୍ଥା ବୋଲି ଜଣାପଡ଼ିଥିଲା। ପିରାମିଡ୍ ଆକୃତିର ଚେନ୍ ସିଷ୍ଟମରେ ଚାଲିଥିବା ଏହି କାରବାରରେ ପ୍ରତିଦିନ ନୂଆ ନୂଆ ସଦସ୍ୟ ସାମିଲ ହେଉଥିଲେ। ଏଥିପାଇଁ ପ୍ରତିଦିନ ୨୦ରୁ ୩୦ ହଜାର ଡଲାର ଅର୍ଥ ରୋଜଗାର କରିବାର ଲୋଭ ଦେଖା ଯାଉଥିଲା। ଏହି ରୢାକେଟ୍ ମୁଖ୍ୟତଃ ୟୁରୋପର ଆଇସ୍ଲ୍ୟାଣ୍ଡରୁ ପରିଚାଳତ ହେଉଥିଲା। ଏହାର ମୁଖ୍ୟ ଡେଭିଡ୍ ଗେଜ୍ ଭାରତକୁ ଆସି ନିଜର ଜାଲ ବିଛାଇଥିଲା।