ଆସନ୍ତା ସୋମବାର ଖୋଲିବ ବିଲଟ୍‌ ପେପର ମିଲ୍, କର୍ମଚାରୀଙ୍କ ମହଲରେ ଖୁସିର ଲହରି

ଜୟପୁର : ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ପରିଶ୍ରମର ମୂଲ୍ୟ ବୃଥା ଯାଇନି। କେବଳ କର୍ମଚାରୀ ନୁହଁ ଜୟପୁରବାସୀଙ୍କ ଆଶା ପୂର୍ଣ୍ଣ ହେବାକୁ ଯାଉଛି । ଦୀପାବଳୀ ପୂର୍ବରୁ ସବୁରି ମୁହଁରେ ହସ ଫୁଟାଇଛନ୍ତି ବିଲଟ କର୍ତ୍ତୃପକ୍ଷ। ଆସନ୍ତା ସୋମବାର ଦିନ ଖୋଲିବ ବିଲଟ ପେପର ମିଲ୍ । ମିଲ ପରିସରକୁ ପ୍ରବେଶ କରିବାକୁ ମିଳିଛି ଅନୁମତି।

ଆଜି ମଧ୍ୟାହ୍ନରେ ପେପର ମିଲ ଖୋଲିବା ନେଇ ସୂଚନା ମିଳିବା ପରେ ସମସ୍ତ କର୍ମଚାରୀଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି। ଅପରାହ୍ନରେ ବିଲଟ ସିଜିଏମ ତଥା ୟୁନିଟ ମୁଖ୍ୟ ମିଲ ପରିସରରେ ମିଲ୍ ଖୋଲିବା ନେଇ ନୋଟିସ ଲଗାଇବା ପରେ ସମସ୍ତେ ଉତ୍ସାହିତ ହୋଇଯାଇଛନ୍ତି । ବିଲଟର ୪ଟି ୟୁନିଅନ କର୍ମଚାରୀ ଓ ମ୍ୟାନେଜମେଣ୍ଟଙ୍କ ନିଷ୍ପତ୍ତିକ୍ରମେ ଆସନ୍ତା ୨୯ ତାରିଖ ସୋମବାର ଦିନ ବିଲଟର ସମସ୍ତ କର୍ମଚାରୀ ପ୍ରଥମ ସିଫ୍ଟରୁ ପ୍ରବେଶ କରି ନିଜ ନିଜ କାର୍ଯ୍ୟ କରିବା ନେଇ ସୂଚନା ପ୍ରଦାନ କରିଛନ୍ତି। ଏମସିଏଲ କୋଲ ନିମନ୍ତେ ବିଲ୍ଟ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବା ବେଳେ ଖୁବ ଶିଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଥିଲା। ସମସ୍ତ କର୍ମଚାରୀ ଯେପରି ମିଲ ପରିସରରେ କୌଣସି ବିଶୃଙ୍ଖଳା ନକରି ଠିକ ଭାବରେ କାମ କରି ପ୍ଲାଣ୍ଟର ଉନ୍ନତି କରିବା ପାଇଁ ଚେଷ୍ଟା କରିବା ଉଚିତ ବୋଲି ଉଲ୍ଲେଖ କରିଛନ୍ତି। ଏହି ନୋଟିସର ଏକ ନକଲ କୋରାପୁଟ ଜିଲ୍ଲାପାଳ, ଏସପି, ଉପ ଜିଲ୍ଲାପାଳ, ଉପଶ୍ରମ ଅଧିକାରୀ, ବିଧାୟକ ତାରା ପ୍ରସାଦ ବାହିନିପତି, ପୂର୍ବତନ ମନ୍ତ୍ରୀ ରବିନନ୍ଦ, ତହସିଲଦାର, ୪ଟି ସ˚ଘର ସାଧାରଣ ସ˚ପାଦକଙ୍କୁ ପଠାଇବା ସହ ନୋଟିସ ବୋର୍ଡରେ ଲଗାଯାଇଛି।

ପ୍ରକାଶଥାଉକି, ଗତ ମେ ମାସରୁ କେତେକ କର୍ମଚାରୀ ସେମାନଙ୍କ ବକେୟା ଦରମା ଓ ବିଭିନ୍ନ ଦାବିରେ ମିଲ ପରିସରରେ ଆନ୍ଦୋଳନ କରିବା ଆରମ୍ଭ କରି ଧାରଣାରେ ବସିଥିଲେ। ଜୁଲାଇ ମାସରେ ଆମରଣ ଅନଶନ ଆରମ୍ଭ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ମିଲ୍‌ କର୍ତ୍ତୃପକ୍ଷ କଞ୍ଚାମାଲ ଅଭାବ ହେବା ସହ ବିଭିନ୍ନ ବାଧା ଉପୁଜୁଥିବା ଦର୍ଶାଇ ଉତ୍ପାଦନ ବନ୍ଦ ରହିଥିବା ବେଳେ ଶ୍ରମିକଙ୍କ ଦରମା ମଧ୍ୟ ବନ୍ଦ କରିଦେଇଥିଲେ। ଫଳସ୍ବରୂପ କର୍ମଚାରୀଙ୍କ ପାରିବାରିକ ଅବସ୍ଥା ଖରାପ ହେବା ସହ ବିନା ଦରମାରେ କର୍ମଚାରୀ ଓ ଶ୍ରମିକ ଘୋର ଆର୍ଥିକ ଦୁସ୍ଥିତି ଦେଇ ଗତି କରିଥିଲେ । ବିଗତ ଦିନରେ ଜିଲ୍ଲାପାଳଙ୍କ ନେତୃତ୍ବରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୪ଟି ସ˚ଘର କର୍ମକର୍ତ୍ତା, ବିଧାୟକ, ପୂର୍ବତନମନ୍ତ୍ରୀ ଓ ବିଲଟ୍‌ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ବୈଠକ ଡାକି ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ ୪ଟି ସ˚ଘର କର୍ମକର୍ତ୍ତା ରାଜିନାମାରେ ସ୍ବାକ୍ଷର କରିବା ପରେ ଆଜି ବିଲଟ୍‌ କତୃପକ୍ଷ ବିଲଟ ଖୋଲିବାର ସଙ୍କେତ ଦେଇଛନ୍ତି।

ସମ୍ବନ୍ଧିତ ଖବର