୨ମାସରୁ ଊର୍ଧ୍ବ ହେବ ବିଲ୍‌ଟ ବନ୍ଦ : ଚିନ୍ତାରେ କର୍ମଚାରୀ, ଭୋକ ଉପାସରେ ପରିବାର

ଜୟପୁର : ଗତ ଏପ୍ରିଲ ୪ତାରିଖ ଦିନ ଜୟପୁରରେ ଥିବା ବିଲଟ୍ କାଗଜକଳ ଅଚାନକ ଭାବେ ବନ୍ଦ ହୋଇଗଲା। କଂପାନିର ଉଚ୍ଚ କର୍ତ୍ତୃପକ୍ଷ କାହିଁକି ଏଭଳି ନିଷ୍ପତି ନେଇଛନ୍ତି ତାହା ଏବେବି ଜାଣିପାରୁ ନାହାନ୍ତି କର୍ମଚାରୀ। ଏହା ମଧ୍ୟରେ ୨ମାସ ବିତିଯାଇଛି। କଂପାନି ଉପରେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ନିର୍ଭର କରୁଥିବା ୪ହଜାର ଲୋକେ କେବେ କଂପାନି ଖୋଲିବ ସେନେଇ ଚିନ୍ତାରେ ରହିଛନ୍ତି। ଅନ୍ୟ ପକ୍ଷରେ କଂପାନିରେ କାର୍ଯ୍ୟରତ ସ୍ଥାୟୀ କର୍ମଚାରୀ, ଠିକା କର୍ମଚାରୀ, ସୁରକ୍ଷା କର୍ମୀ ଆଦିଙ୍କର ଦୀର୍ଘ ଦିନର ଦରମା ମିଳିନି। ଏପରିକି ଗତ ୨ବର୍ଷ ହେବ କଂପାନି କେବେ ଚାଲୁଛି ତ କେବେ ବନ୍ଦ ରହୁଛି। ତେଣୁ କର୍ମଚାରୀ ମାନେ ଆର୍ଥିକ ଦୁଃସ୍ଥିତିରେ ରହି ଦୋକାନ ଗୁଡିକରେ ଧାର ଉଧାର କରି ପରିବାର ଚଳାଉଥିଲେ। ତେବେ ବର୍ତ୍ତମାନ କଂପାନି ବନ୍ଦ ହେବା ପରେ ଦୋକାନୀ ମଧ୍ୟ ଧାର ଦେବାକୁ ମନା କରିଦେଉଛନ୍ତି। ଫଳରେ କର୍ମଚାରୀ ଓ ତାଙ୍କ ପରିବାର ପେଟରେ ଓଦା କନା ପକାଇ‌ ଭୋକ ଉପବାସରେ ରହୁଛନ୍ତି। ଯଦିଓ ମିଲରେ ଉତ୍ପାଦନ ହେଉନଥିଲେ ହେଁ ଚାକିରି ବଞ୍ଚାଇବାକୁ ପ୍ରତ୍ୟେକ ଦିନ ସିଫଟରେ ଯାଇ ଖାଲିରେ ବସି ଫେରିବାକୁ ପଡୁଛି ବୋଲି ବି ବହୁ କର୍ମଚାରୀ କହିଛନ୍ତି।

ସୂଚନା ଥାଉକି, ନିର୍ବାଚନ ପୂର୍ବରୁ ଏହାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିଥିଲେ। ସେହି ସମୟରେ କଂପାନି କର୍ତ୍ତୃପକ୍ଷ ଦରମା ଆଦି ଦିଆଯିବ, ମିଲର ଯାନ୍ତ୍ରିକ ତ୍ରୁଟି ଯୋଗୁଁ କିଛି ଯନ୍ତ୍ରାଂଶର ପରିବର୍ତ୍ତନ କରାଯାଉଛି, ଅତି ଶୀଘ୍ର ମିଲ୍ ଚାଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ପ୍ରତିଶ୍ରୁତିକୁ ୨ମାସ ପୂରିଲାଣି। ଏବେବି ସମାଧାନ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ଏବେ କଂପାନି ନୂଆ ପେଞ୍ଚ ପୁରାଇବା ଆରମ୍ଭ କରିଛି। ଗତ ୩ଦିନ ତଳେ ଠିକା କର୍ମଚାରୀଙ୍କୁ ସୁରକ୍ଷା କର୍ମୀ ମାନେ ଭିତରକୁ ଛାଡିବାକୁ ମନା କରିବା ପରେ ଆଇନଶୃଙ୍ଖଳା ପରିସ୍ଥିତି ଦେଖାଦେଇଥିଲା। ପୁଲିସ ହସ୍ତକ୍ଷେପ କରିବା ପରେ ପୁଣି ଛାଡିଥିଲା। ତେବେ କଂପାନି କେବେ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ, ଉତ୍ପାଦନ ‌ଆରମ୍ଭ ହେବ ତାହାକୁ ନେଇ ଦୋଛକିରେ ରହିଛନ୍ତି କର୍ମଚାରୀ। ନିର୍ବାଚନ ସରିଲେ ଜନପ୍ରତିନିଧି ଏଥିରେ ହସ୍ତକ୍ଷେପ କରିବେ ବୋଲି ଆଶା ପ୍ରକଟ କରିଥିଲେ। ବିଧାୟକ ତାରାପ୍ରସାଦ ବାହିନୀପତି ଏନେଇ କହିଛନ୍ତି ଯେ କୌଣସି ହାଲତରେ ମିଲକୁ ବନ୍ଦ କରିବାକୁ ଦିଆଯିବନି। ସେ ଜିଲ୍ଲାପାଳ ଓ କଂପାନିର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଶୀଘ୍ର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି। କିଭଳି ମିଲ୍ ଚାଲିବ ସେ ଦିଗରେ ଦଳମତ ନିର୍ବିଶେଷରେ ସମସ୍ତେ ପ୍ରୟାସ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଧାୟକ।

ସମ୍ବନ୍ଧିତ ଖବର