ବିଲୁଙ୍ଗ ଗାଁ ଏବେ ରଙ୍ଗବତୀ ବିଲୁଙ୍ଗ

ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ରର ଅନୁମୋଦନ
ଅମର ହୋଇରହିଲା ରଙ୍ଗବତୀ ଗୀତ
ଗୀତିକାର ମିତ୍ରଭାନୁଙ୍କୁ ମିଳିଲା ସମ୍ମାନ

ଭୁବନେଶ୍ୱର : ସମ୍ବଲପୁର ଜିଲ୍ଲାର ରାଜସ୍ବ ଗ୍ରାମ ବିଲୁଙ୍ଗକୁ ‘ରଙ୍ଗବତୀ ବିଲୁଙ୍ଗ’ ନାମରେ ଆଜିଠାରୁ ନାମିତ କରାଯାଇଛି। ଜିଲ୍ଲାପାଳ, ରାଜସ୍ୱ ଆୟୁକ୍ତ ଏବଂ ରାଜସ୍ୱ ବୋର୍ଡର ସୁପାରିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ। ରାଜସ୍ୱ ଗ୍ରାମ ବିଲୁଙ୍ଗର ନାମ ରଙ୍ଗବତୀ ବିଲୁଙ୍ଗ ନାମରେ ନାମିତ କରିବା ପାଇଁ ଏଥିରେ କୁହାଯାଇଥିଲା, ଯାହାକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ଏଥିସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ଭବତଃ ପୂର୍ବରୁ କୌଣସି ଗୀତକୁ ନେଇ ଓଡ଼ିଶାର ଗାଁର ନାମକରଣ ହୋଇନାହିଁ। ଏହା ଏକ ବିରଳ ଘଟଣା ଓ ଏହାଦ୍ବାରା ରଙ୍ଗବତୀ ଗୀତ ସବୁଦିନ ପାଇଁ ଅମର ପାଲଟିଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

କେବଳ ସେତିକି ନୁହେଁ, ସରକାରଙ୍କ ପକ୍ଷରୁ ଏକଥା ବି କୁହାଯାଇଛି ଯେ ଏହି ଗୀତର ଗୀତିକାର ମିତ୍ରଭାନୁ ଗଉନ୍ତିଆଙ୍କର ଓଡିଶାର ସାଂସ୍କୃତିକ ଐତିହ୍ୟ ପାଇଁ ଅବଦାନ ଉଲ୍ଲେଖନୀୟ ଅଟେ। ସେ ବିଲୁଙ୍ଗ ଗାଁରେ ଜନ୍ମଗ୍ରହଣ କରିଥିଲେ ଏବଂ ପ୍ରାୟ ୧୦୦୦ ସମ୍ବଲପୁରୀ ଗୀତ ରଚନା କରିଥିଲେ। ୨୦୨୦ ମସିହାରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ତାଙ୍କୁ ଓଡ଼ିଶା ରାଜ୍ୟ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ସଙ୍ଗୀତ ପାଇଁ ଆକାଶବାଣୀ ଜାତୀୟ ପୁରସ୍କାର ମଧ୍ୟ ମିଳିଛି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ବାରା ସବୁଦିନ ପାଇଁ ଶ୍ରୀ ଗଉନ୍ତିଆଙ୍କର ଜନ୍ମମାଟି ସମସ୍ତଙ୍କର ମନେ ରହିବ।

ରାଜସ୍ବ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି, ଆଜି ଦିନରେ ବି ରଙ୍ଗବତୀ ଗୀତ ଘରେ ଘରେ ଲୋକପ୍ରିୟ। ରଙ୍ଗବତୀର ଗାୟକ ହେଉଛନ୍ତି ଜିତେନ୍ଦ୍ର ହରିପାଲ, ଯିଏ ୨୦୧୭ ମସିହାରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଜିତେନ୍ଦ୍ର ହରିପାଲଙ୍କ ସହିତ କୃଷ୍ଣା ପଟେଲ ଏହି ଗୀତ ଗାଇଥିଲେ।

ସରକାରୀ ତଥ୍ୟ ଅନୁସାରେ, ରଙ୍ଗବତୀ ଗୀତ ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର ଏବଂ ଛତିଶଗଡରେ ଲୋକପ୍ରିୟତା ହାସଲ କରିଛି। ଏହାସହିତ ଦକ୍ଷିଣ କୋରିଆରେ ସପ୍ତମ ବିଶ୍ୱ ଜଳ ଫୋରମ୍ (୨୦୧୫) ସମୟରେ କୋରିଆ ନୃତ୍ୟଶିଳ୍ପୀମାନେ ରଙ୍ଗବତୀ ସ୍ବରରେ ନାଚିଥିଲେ। ୨୦୦୭ରେ ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସ ପରେଡରେ ଏହି ଗୀତଟି ସରକାରୀ ଭାବେ ସ୍ୱୀକୃତିପ୍ରାପ୍ତ ହୋଇଥିଲା।

ତେବେ ରଙ୍ଗବତୀ ଗୀତ ପ୍ରଥମେ ୧୯୭୫-୭୬ ମସିହାରେ ସମ୍ବଲପୁରର ଅଲ ଇଣ୍ଡିଆ ରେଡିଓ (ଏଆର) ରେ ରେକର୍ଡ କରାଯାଇଥିଲା। ଏହାର ବ୍ୟାପକ ଲୋକପ୍ରିୟତା ପରେ, ଇଣ୍ଡିଆନ୍ ରେକର୍ଡ ଉତ୍ପାଦନ କମ୍ପାନି ଲିମିଟେଡ୍ ୧୯୭୬ରେ ଏହି ଗୀତକୁ ଡିସ୍କ ଫର୍ମାଟରେ ରେକର୍ଡ କରିଥିଲେ। ଏହା ୧୯୭୮-୭୯ରେ ମୁକ୍ତିଲାଭ କରିଥିଲା।

ଉଲ୍ଲେଖଯୋଗ୍ୟ, ଜିତେନ୍ଦ୍ର ହରିପାଲ ୧୯୭୧ ମସିହାରେ ଅଲ ଇଣ୍ଡିଆ ରେଡିଓରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ରଙ୍ଗବତୀ ଗୀତରେ ଲୋକପ୍ରିୟ ହୋଇଥିଲେ। ତେବେ ଶ୍ରୀ ହରିପାଲଙ୍କ ଖ୍ୟାତି କେବଳ ରଙ୍ଗବତୀ ଗୀତରେ ସୀମିତ ନୁହେଁ। ସେ କୋଶଳି ଏବଂ ଭୋଜପୁରୀ ପରି ଅନ୍ୟ ଭାଷାରେ ଲୋକଗୀତ ଗାଇଛନ୍ତି। ୨୦୧୬ ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଦ୍ବାରା ଉଭୟ ଜିତେନ୍ଦ୍ର ଏବଂ କୃଷ୍ଣା ପଟେଲଙ୍କୁ ଡି. ଲିଟ୍ ପ୍ରଦାନ କରିଥିଲେ। ଏହି ଗୀତ ଉପରେ ଏକ ଘଣ୍ଟିଆ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରାଯାଇଥିଲା। ଏବେ ରଙ୍ଗବତୀ ଆଉ ଏକ ଗୀତ ନୁହେଁ । ଏହା ଓଡ଼ିଶା ସାଂସ୍କୃତିକ ଇତିହାସର ଏକ ଅଙ୍ଗ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର