ତାଳଚେରରୁ ବିମଳାଗଡ଼, ୨୦୨୫ପୂର୍ବରୁ ଗଡ଼ିବନି ରେଳ

ଜମିରେ କେଁ, ଅଧିଗ୍ରହଣ ପୂରା ଧିମା, ଦେବଗଡ଼ ଜିଲ୍ଲାରୁ ଗୋଟିଏ ଇଞ୍ଚ୍‌ ବି ଜମି ମିଳିନି

ଅନୁଗୁଳ: ପଦ୍ମ ଘୁଞ୍ଚିଲା ଭଳି ଘୁଞ୍ଚିଘୁଞ୍ଚି ଯାଉଛି ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟ। ୨୦୨୨ ଡିସେମ୍ବରରେ ଏହି ପ୍ରକଳ୍ପ ଶେଷ କରିବାକୁ ଯୋଜନା ରହିଥିଲାବେଳେ ଏବେ ଘୁଞ୍ଚିଯାଇଛି ଆଉ ତିନି ବର୍ଷ । ୫ଦଶନ୍ଧିର ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପ ବାଟରେ ଜମି ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସରକାରୀ ହେଉ ଅବା ବେସରକାରୀ ଜମି ଅଧିଗ୍ରହଣକୁ ରାଜ୍ୟ ସରକାର ଏତେ ଧିମା କରିଦେଇଛନ୍ତି ଯେ ରାଜ୍ୟର ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ନିର୍ମାଣର ସମୟ ସୀମାକୁ ଚଳିତ ସେପ୍ଟେମ୍ବର ପହିଲାରେ କେନ୍ଦ୍ର ସରକାର ଆହୁରି ତିନି ବର୍ଷ ଘୁଞ୍ଚାଇ ଦେଇଛନ୍ତି। ଫଳରେ ୨୦୨୫ ମାର୍ଚ୍ଚ ପୂର୍ବରୁ ତାଳଚେରରୁ ବିମଳାଗଡ଼କୁ ରେଳ ଚଳାଚଳର ସ୍ବପ୍ନ ଚୂରମାର୍‌ ହୋଇଯାଇଛି। ପ୍ରକଳ୍ପର ଡେପୁଟି ଚିଫ୍‌ ଇଞ୍ଜିନିୟର ପି.କେ. ପଣ୍ଡା ଇଷ୍ଟକୋଷ୍ଟ ରେଲୱେକୁ ଲେଖିଥିବା ଚିଠିରୁ ଏକଥା ପଦାକୁ ଆସିଛି।

ତାଳଚେରରୁ ବିମଳାଗଡ଼ ଯାଏ ରେଳପଥ ନିର୍ମାଣ ପାଇଁ ୫ଦଶନ୍ଧି ତଳୁ ଦାବି ହୋଇ ଆସୁଛି। ୨୦୦୩-୦୪ଆର୍ଥିକ ବର୍ଷରେ ରେଳ ମନ୍ତ୍ରାଳୟ ଏହି ପ୍ରକଳ୍ପକୁ ଅନୁମୋଦନ କରିଥିଲା। ୨୦୦୭-୦୮ଆର୍ଥିକ ବର୍ଷରେ ପ୍ରକଳ୍ପର ପ୍ରଥମ ବ୍ୟୟ ଅଟକଳ ଥିଲା ୮୧୦.୭୮କୋଟି। କିନ୍ତୁ ନିର୍ମାଣକାର୍ଯ୍ୟରେ ବିଳମ୍ବ ଯୋଗୁଁ ଦୀର୍ଘ ୮ବର୍ଷ ପରେ ୨୦୧୬ ନଭେମ୍ବର ମାସରେ ପ୍ରକଳ୍ପର ନୂଆ ବ୍ୟୟ ଅଟକଳ ଅଢ଼େଇ ଗୁଣକୁ ବୃଦ୍ଧି ପାଇ ୧୯୨୮.୦୭କୋଟି ଟଙ୍କାକୁ ପରିବର୍ଦ୍ଧିତ ହେଲା। ପ୍ରକଳ୍ପ ପାଇଁ ଅନୁଦାନର ଅଭାବ ନଥିଲା ବେଳେ କେବଳ ରାଜ୍ୟ ସରକାରଙ୍କ ଧିମା ଜମି ଅଧିଗ୍ରହଣ ପ୍ରକ୍ରିୟା ହିଁ କେନ୍ଦ୍ର ସରକାରଙ୍କର ଏହି ପ୍ରକଳ୍ପକୁ ବର୍ଷ ପରେ ବର୍ଷ ଗଡ଼ାଇ ଚାଲିଛି। ଡେପୁଟି ଚିଫ୍‌ ଇଞ୍ଜିନିୟର ଶ୍ରୀ ପଣ୍ଡାଙ୍କ ଚିଠି ମୁତାବକ, ୧୪୯.୭୮କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ପ୍ରକଳ୍ପ ପାଇଁ ମୋଟ୍‌ ଦୁଇ ହଜାର ୭୭ଏକର ଜମି ଆବଶ୍ୟକ ଥିବା ବେଳେ ଅଦ୍ୟାବଧି ଆହୁରି ୯୫୩ ଏକର ଜମି ଅଧିଗ୍ରହଣ ହୋଇ ପାରିନାହିଁ। ଜଙ୍ଗଲ ଜମିର ସବୁ ପ୍ରକାର ମଞ୍ଜୁରି କେନ୍ଦ୍ର ସରକାର ଦେଇ ସାରିଥିବା ବେଳେ ସରକାରୀ ଏବଂ ବେସରକାରୀ ଜମିରେ ହିଁ କେଁ ରହିଛି। ଏ ପ୍ରକଳ୍ପ ପାଇଁ ମୋଟ୍ ୯୯୧ଏକର ବେସରକାରୀ ଜମି ଲୋଡ଼ା। ସେଥିରୁ ରାଜ୍ୟ ସରକାର ମାତ୍ର ୩୦ପ୍ରତିଶତ ଜମି ଅଧିଗ୍ରହଣ କରିଥିବା ବେଳେ ଆହୁରି ୭୦ପ୍ରତିଶତ(୬୯୩ଏକର) ଜମି ରେଳ ବିଭାଗକୁ ହସ୍ତାନ୍ତରିତ ହୋଇ ପାରିନାହିଁ। ସେହିପରି ଏହି ପ୍ରକଳ୍ପ ପାଇଁ ୪୨୨ଏକର ସରକାରୀ ଜମି ଲୋଡ଼ା। କିନ୍ତୁ ରାଜ୍ୟ ସରକାର ମାତ୍ର ଦେଇଛନ୍ତି ୧୬୨ଏକର। ଯାହା ମାତ୍ର ୩୮ପ୍ରତିଶତ। ଆହୁରି ୬୨ପ୍ରତିଶତ(୨୬୦ଏକର) ଜମି ଯୋଗାଇବାରେ ରାଜ୍ୟ ସରକାରଙ୍କ ବିଳମ୍ବ ହିଁ ତାଳଚେର-ବିମଳାଗଡ଼ ରେଳପଥକୁ ଆହୁରି ତିନିବର୍ଷ ଗଡ଼ାଇଦେବାକୁ ବାଧ୍ୟ କରିଛି।

ଏହି ପ୍ରକଳ୍ପ ଅନୁଗୁଳ, ଦେବଗଡ଼ ଏବଂ ସୁନ୍ଦରଗଡ଼ ଆଦି ତିନୋଟି ଜିଲ୍ଲାକୁ ନେଇ ଗଠିତ। ଦେବଗଡ଼ ଜିଲ୍ଲାର ତଥ୍ୟକୁ ଦେଖିଲେ, ସରକାରୀ ଜମି ଅଧିଗ୍ରହଣରେ ଚରମ ଅବହେଳା କଥା ଜଳଜଳ ଦିଶୁଛି। ଏହି ପ୍ରକଳ୍ପ ପାଇଁ ଦେବଗଡ଼ ଜିଲ୍ଲାରୁ ମାତ୍ର ୮୧ଏକର ଜମି ଆବଶ୍ୟକ। ମାତ୍ର ଏଯାବତ୍‌ ସରକାର ଗୋଟିଏ ଇଞ୍ଚେ ବି ଜମି ଦେଇ ନାହାନ୍ତି। ଡେପୁଟି ଚିଫ୍‌ ଇଞ୍ଜିନିୟର ଶ୍ରୀ ପଣ୍ଡାଙ୍କ ଚିଠି ମୁତାବକ, ୨୦୧୬ ଏପ୍ରିଲ୍‌ରୁ ମାର୍ଚ୍ଚ ୨୦୧୮ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଦାବି ଉପସ୍ଥାପିତ କରାଯାଇଛି। କିନ୍ତୁ, ରାଜ୍ୟ ସରକାର ଏହାକୁ ସେଭଳି ଗୁରୁତ୍ବ ଦେଇ ନାହାନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ବି ଦେବଗଡ଼ ଭଳି ସ୍ଥିତି। ରେଳପଥ ପାଇଁ ସୁନ୍ଦରଗଡ଼ ଜିଲ୍ଲାରୁ ୧୩୮ଏକର ସରକାରୀ ଜମି ଆବଶ୍ୟକ ହେଉଥିବା ବେଳେ ସରକାର ଦେଇଛନ୍ତି ମାତ୍ର ୭ଏକର ଜମି। ଆହୁରି ୧୩୧ଏକର ସରକାରୀ ଜମି ଏହି ପ୍ରକଳ୍ପ ପାଇଁ ରେଳ ମନ୍ତ୍ରଣାଳୟ ଦରକାର କରୁଛି। କିନ୍ତୁ ଅନୁଗୁଳ ଜିଲ୍ଲା ସେ ଦିଗରେ ଆଗୁଆ ରହିଛି। ୨୦୩ ଏକର ସରକାରୀ ଜମି ମଧ୍ୟରୁ ୧୫୫ଏକର ଅଧିଗ୍ରହଣ ହୋଇଗଲାଣି। ୪୮ଏକର ଅଧିକୃତ ହେବାକୁ ବାକି ରହିଛି। ସରକାରୀ ଜମି ଅପେକ୍ଷା ବେସରକାରୀ ଜମି ଅଧିଗ୍ରହଣର ସ୍ଥିତି ଅଧିକ ଦୟନୀୟ। ରେଳପଥ ପାଇଁ ଦେବଗଡ଼ ଜିଲ୍ଲାରୁ ୧୯୨ଏକର ବେସରକାରୀ ଜମି ଦରକାର ଥିବାବେଳେ ଗୋଟିଏ ଇଞ୍ଚେ ବି ଜମି ଅଧିଗ୍ରହଣ ହୋଇନାହିଁ। ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ମୋଟ୍ ୨୪୮ଏକର ବେସରକାରୀ ଜମି ଅଧିଗୃହୀତ ହେବାକୁ ଥିବା ବେଳେ ସେଥିରୁ ମଧ୍ୟ କିଛି ବି ଅଧିଗ୍ରହଣ କରି ନାହାନ୍ତି। ପୂରା ଜମି ପାଇଁ ରାଜ୍ୟ ସରକାରଙ୍କ ପାଖରେ ମନ୍ତ୍ରାଳୟ ପୂରା ଟଙ୍କା ପୈଠ କରି ସାରିଥିବା ବେଳେ ଜମି ଅଧିଗ୍ରହଣରେ କାହିଁକି ବିଳମ୍ବ ହେଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର