ବିମଳେନ୍ଦୁ ମହାନ୍ତିଙ୍କ ପୁସ୍ତକ ‘ଧଉଳି: ପାଷ୍ଟ୍ ଆଣ୍ଡ ପ୍ରେଜେଣ୍ଟ୍’ ଉନ୍ମୋଚିତ

ଓଡ଼ିଶାର ବୌଦ୍ଧଧର୍ମ ଓ ପୀଠକୁ ନେଇ ଅଧିକ ଗବେଷଣା ଲୋଡ଼ା: ସୌମ୍ୟ

ଭୁବନେଶ୍ବର: ବିଶିଷ୍ଟ ଗବେଷକ ତଥା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତିଙ୍କ ପୁସ୍ତକ ‘ଧଉଳି: ପ‌ାଷ୍ଟ୍ ଆଣ୍ଡ ‌ପ୍ରେଜେଣ୍ଟ୍’ର ନୂତନ ସଂସ୍କରଣ ଆଜି ଅପରାହ୍ନରେ ‘ସମ୍ବାଦ ଭବନ’ ପରିସରରେ ଉନ୍ମୋଚିତ ହୋଇଆଇଛି। ‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକକୁ ଉନ୍ମୋଚନ କରି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ‘ଅନାହାର, ପିଲାବିକ୍ରି ଆଦି ଘଟଣାକୁ ନେଇ ଓଡ଼ିଶା ଅତୀତରେ ରାଜ୍ୟ ବାହାରେ ଯେତିକି ଚର୍ଚ୍ଚିତ ହୋଇଛି, ଆମର ଐତିହ୍ୟ ଓ ସଂସ୍କୃତିକୁ ନେଇ ସେତିକି ଚର୍ଚ୍ଚିତ ହୋଇନାହିଁ। ଭାରତବର୍ଷର ଦ୍ୱିତୀୟ ବୌଦ୍ଧ ଶାନ୍ତିସ୍ତୂପ ଧଉଳିର ସୁବର୍ଣ୍ଣ ଜୟନ୍ତୀ ଅବସରରେ ପ୍ରକାଶିତ ଇଂରାଜୀ ଭାଷାର ଏହି ପୁସ୍ତକଟି ରାଜ୍ୟ ବାହାରେ ଆମର ସମ୍ମାନ ବୃଦ୍ଧି କରିବାରେ ସହାୟକ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ‌ଓଡ଼ିଶାରେ ସାଂସ୍କୃତିକ ଆନ୍ଦୋଳନ ଚାଲିଛି। ଠିକ୍ ସେହିପରି ଓଡ଼ିଶାର ବୌଦ୍ଧ ଐତିହ୍ୟକୁ ନେଇ ଅଧିକ ଆଲୋଚନାର ଆବଶ୍ୟକତା ରହିଛି। ଏହି ପୁସ୍ତକଟି ଧର୍ମ, ସଂସ୍କୃତି ଓ ଇତିହାସର ଗବେଷକମାନଙ୍କ ପାଇଁ ଅଧିକ ଗବେଷଣା ନିମନ୍ତେ ପ୍ରେରଣା ହୋଇପାରିବ।’

ସଭା ଆରମ୍ଭରେ ପୁସ୍ତକର ଲେଖକ ଶ୍ରୀ ମହାନ୍ତି ଏହି ପୁସ୍ତକ ରଚନା ସମ୍ପର୍କିତ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ। ସେ କହିଥିଲେ, ‘ଧଉଳିର ଇତିହାସକୁ ନେଇ ଓଡ଼ିଶାରେ ଓ ଓଡ଼ିଆ ଭାଷାରେ ଖୁବ୍ କମ୍ ବହି ଲେଖାଯାଇଛି। ଏ ବହିଟି ଇଂରାଜୀ ଭାଷାରେ ଲେଖା ହୋଇଥିବାରୁ ଏହା ଓଡ଼ିଶା ବାହାରେ ଆଦର ପାଇଥିଲା। ଏବେ ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଏହାର ନୂତନ ସଂସ୍କରଣ ହୋଇଥିବାରୁ ଏହା ଓଡ଼ିଶାରେ ଓ ଓଡ଼ିଶା ବାହାରେ ଅଧିକ ଆଦୃତ ହେବ।’

ବିଶିଷ୍ଟ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ ଉତ୍ସବରେ ଅତିଥି ଭାବରେ ଯୋଗଦେଇ ଏହି ପୁସ୍ତକ ରଚନାରେ ଲେଖକଙ୍କ ନିଷ୍ଠାକୁ ପ୍ରଶଂସା କରିଥିଲେ। ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ପୁସ୍ତକ ସଂପର୍କରେ ସବିଶେଷ ସୂଚନା ଦେଇଥିବା‌ ବେଳେ କଥାକାର ଗୌରହରି ଦାସ, ଗବେଷକ ସୁରେନ୍ଦ୍ର ମହାରଣା, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପ୍ରବୀର ପଟ୍ଟନାୟକ ଏବଂ ଲେଖକଙ୍କ ପତ୍ନୀ ବେଦବତୀ ମହାନ୍ତି ପ୍ରମୁଖ ଶ୍ରୀ ମହାନ୍ତିଙ୍କ ବ୍ୟକ୍ତିତ୍ବର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସଭାରେ ମହାବୋଧି ସୋସାଇଟି, ଓଡ଼ିଶା ଶାଖାର ସଂପାଦକ ସୌରେନ୍ଦ୍ର ମହାପାତ୍ର, ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ଶିକ୍ଷାବିତ୍‌ ବଦ୍ରିନାଥ ପଟ୍ଟନାୟକ, ବାସ୍ତୁବିତ୍‌ ମନୋଜ ଲେଙ୍କା ଏବଂ ଲେଖକଙ୍କ ପରିବାରର ସଦସ୍ୟ ଉପସ୍ଥିତ ଥିଲେ। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ସଭା ପରିଚାଳନା କରିଥିବା ‌ବେଳେ ‘ସମ୍ବାଦ’ର ସହ ସଂପାଦକ କ୍ଷେତ୍ରବାସୀ ନାଏକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର