ବିମ୍ବାଧର ନିଖୋଜ ଘଟଣା : ବାର୍‌ହା ଶିକାର ପାଇଁ ବ୍ୟବହୃତ ବିଦ୍ୟୁତ୍‌ ତାରରେ ଲାଗି ମୃତ୍ୟୁ ସନ୍ଦେହ

ସାହାଜପାଲ : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ କଙ୍କଲା ଗ୍ରାମର ନିଖୋଜ ବିମ୍ବାଧର ମହାକୁଡ଼ (୩୦)ଙ୍କ ମୃତଦେହ ମିଳିବା ପରେ ଏହା ଭିନ୍ନ ମୋଡ ନେଇଛି। ବାର୍‌ହା ଶିକାର ପାଇଁ ଯାଇଥିବା ବେଳେ ବିମ୍ବାଧରଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବିମ୍ବାଧରଙ୍କ ନିଖୋଜର ମାସେ ପରେ ଗତ ରବିବାର ତାଙ୍କ ଗଳିତ ମୃତଦେହ ମହାନଦୀ ବାଲିପଠାରୁ ବାଉଁଶୁଣି ପୁଲିସ ଉଦ୍ଧାର କରିଛି। ପୁଲିସ ଅନୁସନ୍ଧାନ ପରେ ନୂଆ ତଥ୍ୟ ପଦାକୁ ଆସିଛି।

ଗିରଫ ଅଭିଯୁକ୍ତଙ୍କ ସୂଚନା ଅନୁସାରେ ସୋମବାର ଏକ ପରିତ୍ୟକ୍ତ କୂଅରୁ ବାର୍‌ହା ଶିକାରରେ ବ୍ୟବହୃତ ବାଇଣ୍ଡିଙ୍ଗ ତାର ଓ ଶାବଳ ଏକ ବସ୍ତାରେ ବନ୍ଧାହୋଇଥିବା ଅବସ୍ଥାରେ ପୁଲିସ ଓ ଦମକଳ ବାହିନୀ ସହାୟତାରେ ଉଦ୍ଧାର କରିଛି। ସୂଚନା ଅନୁସାରେ ଗାଁର ଶିକାରୀ ଦଳ ପ୍ରତ୍ୟେକ ଦିନ ଡମ୍ବରୁଗାର୍ଡ ମଠପାଖ ବିଦ୍ୟୁତ୍‌ ଖୁଣ୍ଟରୁ ବାଇଣ୍ଡିଂ ତାର ସାହାଯ୍ୟରେ ବାର୍‌ହା ଶିକାର କରନ୍ତି। ଏହି ଦଳ ପ୍ରାୟ ୧୦୦ ରୁ ଅଧିକ ବାର୍‌ହା ଶିକାର କରିଥିବା ଓ ଏକ ବନ୍ଧୁକ ମଧ୍ୟ ବ୍ୟବହାର କରିଥିବା ଅଭିଯୁକ୍ତମାନେ ସ୍ୱୀକାର କାଇଛନ୍ତି। ଘଟଣାଦିନ ରାତିରେ ଅସାବଧାନତାବଶତଃ ବିମ୍ବାଧର ସେହି ବିଦ୍ୟୁତ ତାରରେ ଲାଗିଯାଇ ଥିବା ପୁଲିସ ଅନୁମାନ କରୁଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରତ୍ୟେକ ଦିନ ରାତି ୧୨ଟାରୁ ୧ ଟା ମଧ୍ୟରେ ବିଦ୍ୟୁତ୍‌ କଟେ ଓ ସକାଳୁ ପୁଣି ଲାଇନ ଆସେ। ଘଟଣା ଘଟିବା ପରେ ଆଉ ବିଦ୍ୟୁତ୍‌ କଟୁ ନାହିଁ। ଏତେ ବାର୍‌ହା ଶିକାର ହେଉଥିଲେ ମଧ୍ୟ କିପରି ବନ ବିଭାଗ ଓ ବିଦ୍ୟୁତ୍‌ ବିଭାଗ ଜାଣି ପାରିନ ଥିଲେ ଏହା ଏକ ବଡ଼ ପ୍ରଶ୍ନ। ଏହାର ମୁଖ୍ୟ ଅଭିଯୁକ୍ତ କାର୍ତ୍ତିକ ନାୟକ ଓ ଅମିତ ମହାକୁଡ଼ଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୁବାସ ରାୟଗୁର ସୂଚନା ଦେଇଛନ୍ତି। ଏହି ଘଟଣାରେ ଆହୁରି ୧୦ ରୁ ଅଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ଶବ ବ୍ୟବଚ୍ଛେଦ ପରେ ବୁର୍ଲା ଡାକ୍ତରଖାନାରୁ ଶବ ସୋମବାର ବିଳମ୍ବିତ ରାତିରେ ପହଞ୍ଚି ଥିଲା। ଏହାପରେ ପରିବାର ବର୍ଗଙ୍କ ଉପସ୍ଥିତିରେ ଶବ ସତ୍କାର କରାଯାଇଛି।

ସମ୍ବନ୍ଧିତ ଖବର