ତାଳଚେର-ବିମଳାଗଡ଼ ରେଳପଥ ପାଇଁ ଅନୁଦାନ କମୁଛି, ଆଶା, ଆଶଙ୍କାରେ ଜିଲ୍ଲାବାସୀ

ଦେବଗଡ଼/ଅନୁଗୁଳ : ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ରେଳପଥ ଦେବଗଡ଼ ଜିଲ୍ଲା ପାଇଁ ଏକ ସ୍ୱପ୍ନ ହୋଇ ରହିଯାଇଛି। ଏହି ରେଳପଥ ପାଇଁ ବାରକୋଟ ବ୍ଲକର ବହୁ ଗ୍ରାମ ପ୍ରଭାବିତ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ନିକଟକୁ ୧୩ଟି ଗ୍ରାମର ଅଧିସୂଚନା ପ୍ରକାଶ ପାଇଁ ଜିଲ୍ଲା ପ୍ରଶାସନ, ରାଜସ୍ୱ ବିଭାଗ ଓ ରେଳ ବିଭାଗ ପକ୍ଷରୁ ଜଏଣ୍ଟ ସର୍ଭେ କରାଯାଇ ରିପୋର୍ଟ ପଠାଯାଇଥିଲା। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୪ଟି ଗ୍ରାମର ଅଧିସୂଚନା ପ୍ରକାଶ କରିଛନ୍ତି। ଏହି ଗ୍ରାମଗୁଡ଼ିକ ହେଲା ବାରକୋଟ ବ୍ଲକର ବିଦେଇବଡକୁଦର, ବମପରଡା, ବଲଣ୍ଡା ଓ ହରେକୃଷ୍ଣପୁର। ଅନ୍ୟପକ୍ଷରେ ରେଳ ବଜେଟ୍‌ରେ ଉକ୍ତ ରେଳପଥ ପାଇଁ ମଂଜୁର ହେଉଥିବା ଅର୍ଥ ପରିମାଣ କମି କମି ଚାଲିଥିବାରୁ ଏବଂ ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇପାରୁ ନଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଏହି ୧୫୪ କିମି ରେଳପଥ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଗତବର୍ଷ ୧୪୦ କୋଟି ଟଙ୍କା ମଂଜୁର କରିଥିଲେ। ଚଳିତବର୍ଷ ମା‌ତ୍ର ୧୦ କୋଟି ଟଙ୍କା ଅର୍ଥ ମଂଜୁର କରିଛନ୍ତି। ତାଳଚେର-ବିମଳାଗଡ଼ ରେଳପଥ ସଂପର୍କରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ବିଧାନସଭାରେ ପ୍ରଶ୍ନ ରଖିଥିଲେ। ତାଙ୍କର ପ୍ରଶ୍ନର ଉତ୍ତରରେ ଯୋଜନା ଓ ସଂଯୋଜନ ଏବଂ ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଦର୍ଶାଇଥିଲେ ଯେ ତାଳଚେର-ବିମଳାଗଡ଼ ରେଳପଥକୁ ନେଇ ଆବଶ୍ୟକ ଜମି ଅଧିଗ୍ରହଣ କାର୍ଯ୍ୟ ନୂତନ ଭୂଅର୍ଜନ ଆଇନ ୨୦୧୩ ବିଭିନ୍ନ ଧାରା ଅନୁଯାୟୀ କରାଯାଉଛି। ଅଦ୍ୟାବିଧି ୦-୪୯ କିମି ମଧ୍ୟରେ ଥିବା ଜମି ଅଧିଗ୍ରହଣ କରାଯାଇ ରେଳବାଇକୁ ହସ୍ତାନ୍ତର କରାଯାଇଛି। ୪୯ କିମିଠାରୁ ୬୦.୫୫୦ କିମି ମଧ୍ୟରେ ଥିବା ବେସରକାରୀ ଜମିର କ୍ଷତିପୂରଣ ଅର୍ଥ ପ୍ରଦାନ ଚାଲୁ ରହିଛି। ଅବଶିଷ୍ଟ ଜମି ୨୦୨୨ ଜୁନ୍‌ ମାସ ସୁଦ୍ଧା ହସ୍ତାନ୍ତର କରାଯିବା ପାଇଁ ବିଭାଗ ପକ୍ଷରୁ ସ୍ଥିର କରାଯାଇଥିବା ମନ୍ତ୍ରୀ ଶ୍ରୀ ବେହେରା ଉତ୍ତର ରଖିଥିଲେ।

ସେପଟେ ଉକ୍ତ ରେଳପଥ ପାଇଁ କେନ୍ଦ୍ର ସରକାରଙ୍କ ବଜେଟ୍‌ ଅନୁଦାନ ହ୍ରାସ ପାଇବାରେ ଲାଗିଛି। ସୂଚନାରୁ ପ୍ରକାଶ ଯେ, ତାଳଚେର- ବିମଳାଗଡ଼ ରେଳପଥ ଘୋଷଣା ହେବା ପରେ ଦେବଗଡ଼ ଜିଲ୍ଲାବାସୀଙ୍କ ମନରେ ଅନେକ ଆଶା ବାନ୍ଧି ଥିଲା। ରେଳପଥ ହୋଇଗଲେ ଜିଲ୍ଲାର ଲୋକମାନେ ରେଳଯାତ୍ରା ପାଇଁ ସିଧାସଳଖ ସୁଯୋଗ ପାଇପାରିବେ। କିନ୍ତୁ ଜମି ଅଧିଗ୍ରହଣରେ ବିଳମ୍ବ ଓ ଅନ୍ୟ କାରଣ ଯୋଗୁଁ ଏହି ସ୍ୱପ୍ନ ସାକାର ହେବା ବିଳମ୍ବ ହେଉଛି। ଉକ୍ତ ରେଳପଥ ପାଇଁ କେନ୍ଦ୍ର ସରକାର ୨୦୧୫-୧୬ ଆର୍ଥକ ବର୍ଷ ରେଳ ବଜେଟ୍‌ରେ ୨୮୦ କୋଟି ଟଙ୍କା, ୨୦୧୭-୧୮ରେ ୨୫୦ କୋଟି, ୨୦୧୮-୧୯ରେ ୩୦୦ କୋଟି ଟଙ୍କା ମଂଜୁର କରିଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ୧୫୦ କୋଟି ଟଙ୍କା, ୨୦୨୦-୨୧ ରେ ୧୪୦ କୋଟି ଟଙ୍କା ଓ ଚଳିତ ବଜେଟରେ ମାତ୍ର ୧୦ କୋଟି ଟଙ୍କା ଦେଇଛନ୍ତି।

ସମ୍ବନ୍ଧିତ ଖବର