୭ଟି ଦେଶରୁ ୫ଟି ଦେଶର ପ୍ରତିନିଧି ଯୋଗଦେବେ
୧୨ ତାରିଖ ଦିନ ପୁରୀ ରାମଚଣ୍ଡିରେ ହେବ ମକ୍ ଅଭ୍ୟାସ
ୟୁଏନ୍ଡିପି, ଇନ୍ସରାଗ୍, ଇକ୍ରମ୍ ଅନ୍ତରାଷ୍ଟ୍ରୀୟ ସଂସ୍ଥାର ପ୍ରତିନିଧି ବି ସାମିଲ ହେବେ
ଭୁବନେଶ୍ବର : ବନ୍ୟା, ବାତ୍ୟା ଓ ଭୂମିକମ୍ପରେ ଐତିହ୍ୟସ୍ଥଳୀକୁ କିପରି ସୁରକ୍ଷିତ ରଖିହେବ ସେଥିପାଇଁ ସ୍ବତନ୍ତ୍ର ନୀତି ବିକାଶ କରାଯିବ। ଯାହାକୁ ଭାରତ ସମେତ ୭ଟି ବିମ୍ଷ୍ଟେକ୍ ରାଷ୍ଟ୍ରର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉପଯୋଗ କରାଯିବ। ଏଥିପାଇଁ ଆସନ୍ତାକାଲିଠାରୁ ଭାରତ ସରକାରଙ୍କ ପକ୍ଷରୁ ଏନ୍ଡିଆର୍ଏଫ୍ ଓଡ଼ିଶାରେ ୩ ଦିନ ବ୍ୟାପି ଦ୍ବିତୀୟ ବିମ୍ଷ୍ଟେକ୍ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୦ ଆୟୋଜନ କରିବାକୁ ଯାଉଛି। ମଙ୍ଗଳବାର ଭୁବନେଶ୍ବର ମେ ଫେୟାର ହୋଟେଲରେ ଏହାକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପାଇଁ ପୁରୀ ଜିଲ୍ଲାର ରାମଚଣ୍ଡୀଠାରେ ଥିବା ସମୁଦ୍ର ଉପକୂଳରେ ୪୦୦ରୁ ୫୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ଗ୍ରାମ ପ୍ରସ୍ତୁତ କରାଯାଇଛି। ବିଶେଷକରି ପ୍ରାକୃତିକ ଦୁର୍ବିପାକ ବନ୍ୟାବେଳେ ଉଦ୍ଧାର କାର୍ଯ୍ୟ ସହିତ ଐତିହ୍ୟସ୍ଥଳୀର ସୁରକ୍ଷା ପାଇଁ ଅନ୍ୟ ଦେଶର ବିପର୍ଯ୍ୟୟ ପରିଚାଳନାରେ ଯବାନଙ୍କ କୌଶଳ ପ୍ରଦର୍ଶନ କରାଯିବ। ଏହି କାର୍ଯ୍ୟକ୍ରମର ଅନୁଭୂତି ଆଧାରରେ ସ୍ବତନ୍ତ୍ର ନୀତି ବିକାଶ କରିବା ନେଇ ଚିଠା ପ୍ରସ୍ତୁତ କରାଯିବ। ଯାହାକୁ ବିମ୍ଷ୍ଟେକ୍ ସଭ୍ୟ ରାଷ୍ଟ୍ରଙ୍କ ଅନୁମୋଦନ କ୍ରମେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ନୀତି ଭାବେ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ହୋଇଛି।
ସୋମବାର ସ୍ଥାନୀୟ ରାଜୀବ ଭବନରେ ସାମ୍ବାଦିକ ସମ୍ମିଳନୀ କରି ବିମ୍ଷ୍ଟେକ୍ ଡିଏମ୍ଏକ୍ସ୍-୨୦୨୦ ସମ୍ପର୍କରେ ଏନ୍ଡିଆର୍ଏଫ୍ ଡିଜି ଓ ସ୍ବତନ୍ତ୍ର ରିଲିଫ୍ କମିସନର ସୂଚନା ଦେଇଥିଲେ। ଏନ୍ଡିଆର୍ଏଫ୍ ମହାନିର୍ଦ୍ଦେଶକ ଏସ୍.ଏନ୍ ପ୍ରଧାନ କହିଥିଲେ, ୨୦୧୭ରେ ନୂଆ ଦିଲ୍ଲୀରେ ପ୍ରଥମ ବିମ୍ଷ୍ଟେକ୍ ବିପର୍ଯ୍ୟୟ ମୁକାବିଲା ଅଭ୍ୟାସ ହୋଇଥିଲା। ୨୦୧୯ ଓଡ଼ିଶାରେ ‘ଫନି’ ବାତ୍ୟାରେ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଜୀବନ ହାନି ହୋଇନଥିଲେ ବି ଐତିହ୍ୟସ୍ଥଳୀ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲା। ଏହା ସହିତ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଓଡ୍ରାଫ୍ ଟିମ ଓ ଏନ୍ଡିଆର୍ଏଫ୍ ଟିମ୍ର ଠିକ୍ ତାଳମେଳ ଯୋଗୁଁ ଏତେବଡ଼ ବିପତ୍ତି ପରେ ଖୁବକମ୍ ଦିନରେ ସ୍ବାଭାବିକ ଅବସ୍ଥା ଫେରି ଆସିଛି। ଏଥିପାଇଁ ଦ୍ବିତୀୟ ଥର ପାଇଁ ବିମ୍ଷ୍ଟେକ୍ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।
ଆସନ୍ତାକାଲି ଉଦଘାଟନୀ ଅବସରରେ ଭୂମିକମ୍ପ ମୁକାବିଲା ପାଇଁ ସଭ୍ୟ ରାଷ୍ଟ୍ରର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଟେବୁଲ୍ ଟପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଭୂମିକମ୍ପ ଆସିଲେ ରିଲିଫ୍ ଓ ପୁନରୁଦ୍ଧାର ପାଇଁ କଣ କଣ ତଥ୍ୟ ଯୋଗା଼ଡ କରି ଉଦ୍ଧାରକାରୀ ଦଳ, ପ୍ରଶାସନ ଭିତରେ ଉତ୍ତମ ତାଳମେଳ ରହିବ, ତାହା କୌଶଳ ପ୍ରଦର୍ଶନ କରାଯିବ। ଐତିହ୍ୟସ୍ଥଳୀର ଯଥାସମ୍ଭବ କମ୍ କ୍ଷତି କିମ୍ବା ଆଦୌ କ୍ଷତି ନ ହୋଇ ସୁରକ୍ଷିତ ଭାବେ ଉଦ୍ଧାର କରିହେବ ସେଥିପାଇଁ ଏକ ଗାଇଡଲାଇନ୍ ପ୍ରସ୍ତୁତ କରିବାକୁ ଯୋଜନା କରାଯାଇଛି। ୭ଟି ବିମ୍ଷ୍ଟେକ୍ ସଦସ୍ୟ ରାଷ୍ଟ୍ର ଭିତରୁ ଥାଇଲାଣ୍ଡ୍ ଓ ଭୁଟାନ୍କୁ ଛାଡ଼ି ଭାରତ, ଶ୍ରୀଲଙ୍କା, ବାଂଲାଦେଶ, ମିଆଁମାର୍, ନେପାଳର ଜାତୀୟ ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ସମେତ ମୋଟ ୩୦୦ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାଦିନରେ ଓଡ୍ରାଫ୍ ଓ ଏନ୍ଡିଆରଏଫ୍ ଫୋର୍ସଙ୍କୁ ଉଦ୍ଧାର କାର୍ଯ୍ୟପାଇଁ ଜାତିସଂଘ ବ୍ୟାନରରେ ସେବା ଯୋଗାଇବା ପାଇଁ ପ୍ରସ୍ତୁତ କରାଯିବ।
ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା କହିଥିଲେ, ବିମ୍ଷ୍ଟେକ୍ ସଭ୍ୟ ରାଷ୍ଟ୍ରଙ୍କ ଅଧିକ ପାରଦର୍ଶିତାକୁ ଅନୁକରଣ କରାଯିବ। ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ପ୍ରଥମକରି ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରୁ ମିଳିବାକୁ ଥିବା ଅନୁଭୂତି ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଅଧିକ ସହାୟକ ହେବ। ପଞ୍ଚଦଶ ଅର୍ଥ କମିସନର ସୁପାରିସ ଆଧାରରେ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ବିପର୍ଯ୍ୟୟ ସହାୟତା ପାଣ୍ଠି ବାବଦରେ ୯୦% ଅର୍ଥ ଆସିବ। ସେଥିରୁ ୪୦% ଅର୍ଥ ଉଦ୍ଧାର ଓ ମୁକାବିଲା କାର୍ଯ୍ୟ, ୩୦% ପୁନରୁଦ୍ଧାର, ୨୦% ପ୍ରଶମନ ପାଣ୍ଠି ଓ ୧୦% ଦକ୍ଷତା ବିକାଶ ପାଇଁ ବିନିଯୋଗ କରାଯିବ।