ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ୀ ପୁରସ୍କାର

ଏକାଡେମି ସମ୍ବର୍ଧନା ପାଇବେ ୧୫ ପ୍ରତିଭା

ଭୁବନେଶ୍ବର : ତଳସ୍ତରର ମଣିଷ, ନାରୀର ପୀଡ଼ା, କଷଣ ଓ ତହିଁରୁ ଉତ୍ତୀର୍ଣ୍ଣ ହେବାର ବାର୍ତା ଦେଇଥିବା ପ୍ରଖ୍ୟାତ କଥାଶିଳ୍ପୀ ବୀଣାପାଣି ମହାନ୍ତି ପାଇବେ ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସାରସ୍ବତ ସମ୍ମାନ। ସାମଗ୍ରିକ କୃତି ପାଇଁ ୨୦୧୯ ମସିହା ନିମନ୍ତେ ସେ ଏହି ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଲାଭ କରିବେ। ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଦେଇ ତାଙ୍କୁ ସମ୍ବର୍ଧିତ କରାଯିବ। ଚଳିତ ବର୍ଷ ସେ ପଦ୍ମଶ୍ରୀ ସମ୍ମାନ ପାଇବାକୁ ମନୋନୀତ ହୋଇଥିବା ବେଳେ ପୁଣି ଆଉ ଏକ ସର୍ବୋଚ୍ଚ ସମ୍ମାନ ତାଙ୍କ ପୁରସ୍କାର ତାଲିକାରେ ଯୋଡ଼ି ହୋଇଛି।

ଏଯାବତ ୪୧ରୁ ଅଧିକ ଗଳ୍ପ ଓ ଉପନ୍ୟାସ ପୁସ୍ତକର ରଚୟିତା ବୀଣାପାଣିଙ୍କ ଜନ୍ମ ୧୯୩୬ ନଭେମ୍ବର ୧୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ଗ୍ରାମରେ ହୋଇଥିଲା। ୧୯୬୦ରେ ସେ ଅର୍ଥନୀତି ଅଧ୍ୟାପିକା ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରି ୧୯୯୨ରେ ଅବସର ନେଇଥିଲେ। ୧୯୫୭ ମସିହାରୁ ସାରସ୍ବତ ରଚନା ଆରମ୍ଭ କରିଥିବା ବୀଣାପାଣିଙ୍କ ରଚିତ ପାଟଦେଈ, ସାୟାହ୍ନର ସ୍ବର, ଅନ୍ୟ ଅରଣ୍ୟ, ଚରିତ୍ର ହସୁଛି, ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ କ୍ଷୁଦ୍ର ଗଳ୍ପ ପୁସ୍ତକ ସହ ଉପନ୍ୟାସ ‘କୁନ୍ତୀ କୁନ୍ତଳା ଶକୁନ୍ତଳା’ ବେଶ ପାଠକୀୟ ଆଦୃତି ଲାଭ କରିପାରିଛି। ‘କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ’ ପୁସ୍ତକ ନିମନ୍ତେ ୧୯୬୯ ମସିହା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମି ସମ୍ମାନ ଲାଭ କରିଥିବା ବ‌େ‌ଳେ ୧୯୯୦ରେ ‘ପାଟଦେଈ’ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇଛନ୍ତି। ଅତିବଡ଼ୀ ପୁରସ୍କାର ଘୋଷଣା ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଏ ପୁରସ୍କାର ସାରସ୍ବତ ଜଗତର ଅତିବଡ଼ ବ୍ୟକ୍ତିତ୍ବ ଅତିବଡ଼ୀଙ୍କ ନାମରେ ପାଇବାକୁ ଯାଉଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ। ସାରସ୍ବତ ବ୍ୟକ୍ତିଟିଏ ଯେତେ ଯାହା କହିଲେ ମଧ୍ୟ ପୁରସ୍କାରଟିଏ ତା ପାଇଁ ସବୁବେଳେ ଏକ ପୁଲକ ଆଣିଦିଏ।

ଏହି ଅତିବଡ଼ୀ ପୁରସ୍କାର ସହ ୧୫ ଜଣ ବୟୋଜ୍ୟେଷ୍ଠ ସାରସ୍ବତ ସାଧକ/ସାଧିକାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ସମ୍ବର୍ଧନା ପ୍ରଦାନ କରାଯିବ। ସମ୍ବଲପୁରର ମୀନକେତନ ପୁରୋହିତ, ଗଜପତିର ଗୌରଚନ୍ଦ୍ର ପଣ୍ଡା, ଦେବଗଡ଼ର ପଦ୍ମନାଭ ସାହୁ, କେନ୍ଦୁଝରର ଇନ୍ଦୁଲତା ମହାନ୍ତି, ପୁରୀର ବିଭୂତି ଭୂଷଣ ପଟ୍ଟନାୟକ, ଭଦ୍ରକର ଶୈଳେନ୍ଦ୍ର କୁମାର ମହାପାତ୍ର, ଭୁବନେଶ୍ବରର ଅବସରପ୍ରାପ୍ତ ପ୍ରଶାସକ ନିରଂଜନ ପାଢ଼ୀ, ବାଲେଶ୍ବରର ଶ୍ରୀକାନ୍ତ ଚରଣ ପାତ୍ର, ଗଞ୍ଜାମର ତ୍ରିନାଥ ନାୟକ, ଭଦ୍ରକର ମନୀନ୍ଦ୍ର ମହାନ୍ତି, ଭୁବନେଶ୍ବରର ରବି ମହାପାତ୍ର, କଟକର ଶରତ ଚନ୍ଦ୍ର କର, ରାୟଗଡ଼ର ଅଖିଳାନନ୍ଦ ବେବର୍ତା, ବ୍ରଜ ଦାସ ଓ କବିବର ପରିଡ଼ା ଏହି ଏକାଡେମି ସମ୍ବର୍ଧନା ଲାଭ କରିବେ। ୧୫ ସାରସ୍ବତ ସ୍ରଷ୍ଟାଙ୍କୁ ୩୦ ହଜାର ଟଙ୍କାର ଅର୍ଥରାଶି ସହ ସମ୍ମାନିତ କରାଯିବ। ସାଧାରଣ ପରିଷଦ ପକ୍ଷରୁ ନାମ ସୁପାରିସ ପରେ କାର୍ଯ୍ୟକାରୀ ସମିତି ଯୋଗ୍ୟ ବିବେଚିତ ସାହିତ୍ୟିକଙ୍କୁ ଏହି ପୁରସ୍କାର ନିମନ୍ତେ ଚୟନ କରିଥିଲା। ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ଏହି ସାରସ୍ବତ ସ୍ରଷ୍ଟାମାନଙ୍କୁ ସମ୍ମାନିତ କରାଯିବ। ବୀଣାପାଣି ମହାନ୍ତିଙ୍କୁ କଟକସ୍ଥିତ ତାଙ୍କ ବାସଭବନରେ ଓଡ଼ିଶା ସାହିତ୍ୟ ଏକାଡେମି ତରଫରୁ ଶୁଭେଚ୍ଛା ଜଣାଯାଇଛି।

ସମ୍ବନ୍ଧିତ ଖବର