ସୁନ୍ଦରଗଡ଼: ଆଉ ୧୭ ଦିନ ପରେ ଭୋଟ। ହାତରେ ସମୟ କମ୍। ତେଣୁ ଦଳ ଓ ପ୍ରାର୍ଥୀ ନିଜ ନିଜ କ୍ଷେତ୍ରରେ ଦିନରାତି ପ୍ରଚାର ଚଲାଇଛନ୍ତି। ଟାଣ ଖରାରେ ବି ଭୋଟରଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି। ନାମାଙ୍କନପତ୍ର ଦାଖଲ ପରେ ତଳସରା ବିଧାନସଭା ଆସନ ପାଇଁ ଲଢ଼େଇ କରୁଥିବା ବିଜୁ ଜନତା ଦଳର ପ୍ରାର୍ଥୀ ବିନୟ କୁମାର ଟପ୍ପୋଙ୍କ ପ୍ରଚାର ଜୋର୍ ଧରିଛି। ଗାଁକୁ ଗାଁକୁ ଯାଇ ନବୀନଙ୍କ ବିକାଶର କଥା କହି ଭୋଟ ମାଗୁଛନ୍ତି। ଏହିକ୍ରମରେ ଶୁକ୍ରବାର ବଡ଼ଗାଁ ବ୍ଲକର ଝାରଖଣ୍ଡ ସୀମାନ୍ତ ଗାଁ ବାମେଡରା ପଞ୍ଚାୟତ ହାତୀବନ୍ଧା ଗାଁରେ ପ୍ରଚାର ବେଳେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଥିଲା।
ବିନୟ ଗାଁକୁ ପହଞ୍ଚିବା କ୍ଷଣି ଗାଁର ଆଦିବାସୀ ମହିଳା ସୁଶୀଳା କୁଜୁର ଓ ପ୍ରମୋଦିତା ଲାକଡାଙ୍କ ସମେତ ଅନ୍ୟ ମହିଳାମାନେ କଂସା ଥାଳି ଓ ଗଡ଼ୁରେ ପାଣି ଧରି ସ୍ବାଗତ କରିବାକୁ ଚାଲି ଆସିଥିଲେ। ଗ୍ରାମ୍ୟ ଆଦିବାସୀ ପରମ୍ପରା ଅନୁସାରେ, ଘରକୁ ଅତିଥି ଆସିଲେ ଥାଳି ପାଣିରେ ହାତ ଓ ଗୋଡ଼ ଧୋଇ ପାଛୋଟି ନିଆଯାଏ। ମହିଳାମାନେ ପାଦ ଧୋଇବାକୁ ଉଦ୍ୟମ କଲାବେଳେ ବିନୟ ମନା କରି ପଛକୁ ହଟି ଯାଇଥିଲେ ଓ ଥାଳିପାଣିରେ ସୁଶୀଳା ଓ ପ୍ରମୋଦିତାଙ୍କ ପାଦ ଧୋଇ ଆଶୀର୍ବାଦ ମାଗିଥିଲେ। ପ୍ରଚାର ବେଳେ ସ୍ବାଭାବିକ ଭାବେ ନେତା, ପ୍ରାର୍ଥୀଙ୍କ ଗୋଡ଼ ଧୋଇ ସ୍ବାଗତ କରାଯାଇଥିବା ଦେଖାଯାଏ। କିନ୍ତୁ ଏଠାରେ ପ୍ରାର୍ଥୀ ସ୍ବାଗତ କରିବାକୁ ଆସିଥିବା ମହିଳାଙ୍କ ପାଦ ଧୋଇବା ଚର୍ଚ୍ଚାର ବିଷୟ ହୋଇଛି। ଏ ନିଆରା ସ୍ବାଗତ ପର୍ବ ସରିବା ପରେ ମହିଳାମାନେ ବାଦୁଲପାନିରୁ ହାତୀବନ୍ଧା ଯାଏ ଆବୁଡ଼ାଖାବୁଡ଼ା ହୋଇ ପଡ଼ିଥିବା ପଥରିଆ ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ। ବିନୟ ରାସ୍ତା ନିର୍ମାଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଏହା ପୂର୍ବରୁ ବାଦୁଲପାନିକୁ ପ୍ରଚାର ପାଇଁ ପହଞ୍ଚିଥିବାବେଳେ ଗାଁର ସିଲଭିଆ ଏକ୍କା (୭୫)ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ଲୋକେ ଶୋକରେ ଥିଲେ। ବିନୟ ଓ ପ୍ରଚାର ପାଇଁ ପହଞ୍ଚିଥିବା ଦଳର କର୍ମକର୍ତ୍ତା ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଯୀଶୁ ଓ ଜଗନ୍ନାଥଙ୍କ ଠାରେ ନିରବ ପ୍ରାର୍ଥନା କରି ମୃତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସାହାଜବାହାଲରେ ଆୟୋଜିତ ମହିଳା ସମାବେଶରେ ଯୋଗ ଦେଇ ନବୀନଙ୍କ ସର୍ବବିଧ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇ ଉଭୟ ଲୋକସଭା ଓ ବିଧାନସଭାରେ ଶଂଖ ଚିହ୍ନକୁ ବିଜୟୀ କରିବାକୁ ନିବେଦନ କରିଥିଲେ। ସେଠାରୁ ବାମଡେରା ପଞ୍ଚାୟତର ବାଦୁଲପାନି, ହାତୀବନ୍ଧା, ଛାପଲ, ନାଚୁଟୋଲି, ସ୍କୁଲପଡ଼ା, ଚର୍ଚ୍ଚପଡ଼ା, ବନଶିକାର ବଦେଇପଡ଼ା ଓ ଚର୍ଚ୍ଚପଡ଼ା, ପାମରା ପଞ୍ଚାୟତର କୋକେରମା , ମିର୍ଚାପଡ଼ା, ଜୁନାପଡ଼ା, କଂସପଡ଼ାରେ ପ୍ରଚାର କରିଥିଲେ। ସମାବେଶ ଓ ପ୍ରଚାରରେ ଜିଲ୍ଲା ପରିଷଦ ସଭାପତି କୁନ୍ତୀ ପ୍ରଧାନ, ତଳସରା ବିଧାନସଭା କ୍ଷେତ୍ରର ଉପ ପର୍ଯ୍ୟବେକ୍ଷକ ବୈକୁଣ୍ଠ ନାଏକ, ଜିଲ୍ଲା ଯୁବ ବିଜେଡି ସଭାପତି ଦେବେନ୍ଦ୍ରପ୍ରସାଦ ମାଝୀ, ନେତ୍ରୀ ପ୍ରିୟଙ୍କା ଜେନା, କବିତା ହୋତା, ଯୁବ ବିଜେଡି ସଭାପତି ସରୋଜ ସାହୁ, ଜିଲ୍ଲା ସମ୍ପାଦକ ଅରୁଣ ଦୀକ୍ଷିତ, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, କର୍ମକର୍ତ୍ତା ଚନ୍ଦ୍ରଭାନୁ ପରୁଆ, ରାଜୁ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।