ବିନାୟକ ଆଚାର୍ଯ୍ୟ କଲେଜ ରାଗିଂ ମାମଲା: ମୁଖ୍ୟ ଅଭିଯୁକ୍ତ ଛାତ୍ର ବିଜେଡିରୁ ନିଲମ୍ବିତ

ସମସ୍ତ ୧୨ ଛାତ୍ରଛାତ୍ରୀ କଲେଜରୁ ବିତାଡ଼ିତ, ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ତଦନ୍ତ

ବ୍ରହ୍ମପୁର : ବ୍ରହ୍ମପୁର ସହରର ପୁରାତନ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଜଣେ ଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ରାଗିଂ ଘଟଣାରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଘଟଣାରେ ସମ୍ପୃକ୍ତ ଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କୁ ବାଧ୍ୟତାମୂଳକ କଲେଜ ଲିଭିଂ ସାର୍ଟିଫିକେଟ୍ ଦେଇ ବିଦା କରିଦେଇଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଅଭିଷେକ ନାହାକ ଛାତ୍ର ବିଜେଡି କ୍ୟାମ୍ପସ୍‌ କମିଟିର କନ୍‌ଭେନର୍‌ ଥିଲେ। ବିଜେଡି ଛାତ୍ର ସଂଗଠନ ମଧ୍ୟ ତାଙ୍କୁ ନିଲମ୍ବିତ କରିଛି।

କଲେଜର ଜଣେ ଛାତ୍ରୀଙ୍କ ପ୍ରତି ହୋଇଥିବା ରାଗିଂ ଘଟଣାର ଭିଡ଼ିଓ ଭାଇରାଲ୍‌ ହେବାପରେ ଉଭୟ ପୁଲିସ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତକାଲି ମହାବିଦ୍ୟାଳୟ ଆଣ୍ଟି ରାଗିଂ ସେଲ୍ ଓ ମହାବିଦ୍ୟାଳୟର ଶୃଙ୍ଖଳା କମିଟି ବୈଠକ ବସିଥିଲା। ସେମାନଙ୍କ ସୁପାରିସ ଆଧାରରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାରେ ସଂପୃକ୍ତ ଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କୁ କଲେଜରୁ ବିଦା କରିଛନ୍ତି। ବଡ଼ବଜାର ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତିନି ଅଭିଯୁକ୍ତ ହେଲେ, ଅଭିଷେକ ନାହାକ, ଶ୍ରୀଧର ନାହାକ ଓ ଆଦିତ୍ୟ କୁମାର ସାହୁ। ସେମାନଙ୍କ ଜାମିନ ନାମଞ୍ଜୁର ହେବାପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟ ଦୁଇ ନାବାଳକ ଅଭିଯୁକ୍ତଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ଼ରେ ହାଜର କରାଯିବା ପରେ ନାବାଳକ ସୁଧାର ଗୃହକୁ ପଠାଇ ଦିଆଯାଇଛି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଭି‌ଷେକ କଲେଜର ଛାତ୍ର ବିଜେଡି କ୍ୟାମ୍ପସ୍‌ କମିଟିର କନ୍‌ଭେନର୍‌ ଥିଲେ। ଘଟଣାପରେ ବିଜେଡି ଛାତ୍ର ସଂଗଠନ ମଧ୍ୟ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଦର୍ଶାଇ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣାଯାଇଛି।

ଅନ୍ୟପକ୍ଷରେ, ଶୁକ୍ରବାର ଦିନ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟକୁ ଯାଇ ଅଧ୍ୟକ୍ଷାଙ୍କ ସହ ଭେଟି ଆଲୋଚନା କରିବା ସହ ରାଗିଂ ଘଟଣାର ତଦନ୍ତ କରିଛନ୍ତି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେଥିନେଇ ପୁଙ୍ଗାନୁପୁଙ୍ଗ ଆଲୋଚନା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର