ବିନିକା ଥାନା ଅଞ୍ଚଳରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯିବା ଘଟଣା ପଛରେ ସାନ ଜ୍ବାଇଁର ହାତ ଥିବା ସନ୍ଦେହ!

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଲାଟି ଗ୍ରାମରେ ତଳିପଡ଼ାରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯିବା ଘଟଣାର ୨୪ ଘଣ୍ଟା ବିତିଯାଇଥିଲେ ବି ଏଯାବତ୍ ପୁଲିସ୍ ହାତ ଖାଲି। ଏହି ମାମଲାରେ ପୁଲିସ୍ ଏଯାଏଁ କାହାରିକୁ ଗିରଫ କରି ନାହିଁ ବା ଏନେଇ କୌଣସି ସୁରାକ୍ ପାଇଥିବାର ସୂଚନା ବି ଦେଇନାହିଁ।

ତେବେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ପଛରେ ମୃତ ଗଲୁ ଭୋଇଙ୍କ ସାନ ଜ୍ବାଇଁର ହାତ ଥାଇପାରେ ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ଗଲୁ ଭୋଇଙ୍କ ସାନ ଜ୍ବାଇଁ ପପୁ ମଧ୍ୟ ପ୍ରଦେଶରେ ଏକ ହତ୍ୟାକାଣ୍ଡରେ ଜଡ଼ିତ। ଏଥିନେଇ ଗତ ସୋମବାର ଦିନ ପପୁ ସେଠାକୁ ଯାଇଛି କି ବୋଲି ମଧ୍ୟ ପ୍ରଦେଶ ପୁଲିସ୍ ନିକଟରୁ ଗଲୁ ଭୋଇଙ୍କ ପାଖକୁ ଫୋନ୍ କଲ୍ ଆସିଥିଲା। ଏଣୁ କାଳେ ଶ୍ବଶୁର ଘର ଲୋକେ ତା ବିଷୟରେ ପୁଲିସକୁ ସୂଚନା ଦେବେ ସେଭଳି ଆଶଙ୍କା କରି ପପୁ ହତ୍ୟାକାଣ୍ଡ ଘଟାଇ ଥାଇପାରେ ବୋଲି ଶୁଣିବାକୁ ମିଳୁଛି।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଲାଟି ଗ୍ରାମରେ ତଳିପଡ଼ାରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଛି। ମୃତକମାନେ ହେଲେ ତଳିପଡ଼ାର ଗଲୁ ଭୋଇ (୬୫), ସ୍ତ୍ରୀ ବୈଦେହୀ ଭୋଇ (୫୫) ଓ ପୁଅ ଶିବ (୨୫)। ସେମାନଙ୍କୁ ବୁଧବାର ରାତିରେ କେହି ଦୁର୍ବୃତ୍ତ ହତ୍ୟା କରି ଫେରାର୍ ହୋଇଯାଇଛି। ଘର ଭିତରୁ ବାପା, ମାଆ ଓ ଘର ପଛପଟୁ ପୁଅର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିଛି। ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଥିଲେ ବି ହତ୍ୟାକାରୀଙ୍କ ସମ୍ପର୍କରେ ଟେର୍ ପାଇ ପାରି ନାହିଁ।

image source-new indian express

ଗାଁର ଗଲୁ ଭୋଇ ଓ ବୈଦେହୀ ଭୋଇଙ୍କ ୨ ଯାଆଁଳା ପୁଅ ଓ ୨ ଝିଅ। ୨ ଝିଅଙ୍କ ବିବାହ ସରିଛି। ପୁଅ ଶଙ୍କର ତାମିଲନାଡ଼ୁରେ କାମ କରୁଥିଲେ ବେଳେ ଅନ୍ୟ ପୁଅ ଶିବ ଗାଁରେ ରହି ଘର କଥା ବୁଝୁଥିଲା। ଗୁରୁବାର ତାଙ୍କ ଚାଷ ଜମିରେ ପହ୍ଲା ରୋଇବାର ଥିଲା। ଏଥିପାଇଁ ମୂଲିଆ ବି ଡକାଯାଇଥିଲା। ଗୁରୁବାର ସକାଳୁ ମୂଲିଆମାନେ ଚାଷ ଜମିରେ ପହଞ୍ଚି ଯାଇଥିଲେ। ମାତ୍ର ଗଲୁଙ୍କ ପରିବାରର କୌଣସି ସଦସ୍ୟ କ୍ଷେତରେ ପହଞ୍ଚି ନଥିଲେ। ବିଳମ୍ବ ହେଉଥିବା ଦେଖି ଗଲୁଙ୍କ ପୁତୁରା ପୁତୁରା ରବୀନ୍ଦ୍ର ଭୋଇ ଘର ସମ୍ମୁଖକୁ ଆସି ବଡ଼ ପାଟିୁରେ ଡାକିଥିଲେ। ମାତ୍ର କୌଣସି ଉତ୍ତର ନ ମିଳିବାରୁ ତାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା। ଘର କବାଟ ବନ୍ଦ ଥିବାରୁ ସେ ଘର ବାହାରୁ ଛାତ ଉପରକୁ ଚଢ଼ି ସିଡ଼ି ଦେଇ ଘରକୁ ‌ପଶିଥିଲେ। ସିଡ଼ି ପାଖରେ ବୈଦେହୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିଲା। ପାଖରେ ଥିବା ଖଟରେ ଗଲୁ ଶୋଇଥିବା ଅବସ୍ଥାରେ ମରି ପଡ଼ିଥିଲେ। ବାହାରକୁ
ଆସିବା ବେଳେ ଘରର ପଛ ପଟେ ଶିବର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।

ସମ୍ବନ୍ଧିତ ଖବର

Comments are closed.