ଏନ୍‌ଏସିର କଡ଼ା ଆଭିମୁଖ୍ୟ: ୩ ଦୋକାନରୁ ଲକ୍ଷାଧିକ ଟଙ୍କା ବାକି ଭଡ଼ା ଆଦାୟ, ୨ ଦୋକାନ ସିଲ୍

ବିନିକା: ବିନିକା ଏନ୍‌ଏସି ଅଧୀନରେ ଥିବା ଷ୍ଟଲ୍‌ଗୁଡ଼ିକରୁ ବକେୟା ଭଡ଼ା ଆଦାୟ ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଶୁକ୍ରବାର ଜିଲ୍ଲାପାଳ ଅବୋଲି ସୁନୀଲ ନରଭଣେଙ୍କ ନିର୍ଦେଶରେ ବିନିକା ଅତିରିକ୍ତ ତହସିଲଦାର, ଏନ୍‌ଏସି କର୍ମକର୍ତ୍ତା ଓ ପୁଲିସ୍ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇଥିଲା। ଅଧିକ ପରିମାଣର ଷ୍ଟଲ ଭଡ଼ା ବାକିଥିବା ୩ଟି ଦୋକାନରୁ ୧ ଲକ୍ଷ ୧ ହଜାର ୨୦୦ ଟଙ୍କା ଆଦାୟ କରାଯାଇଥିଲା। ସେହିପରି ୨ଟି ଦୋକାନକୁ ସିଲ୍ କରାଯାଇଥିଲା।

ସୂଚନା ଅନୁସାରେ ବିନିକା ଏନ୍‌ଏସି ପକ୍ଷରୁ ‌ଷ୍ଟଲ ନିର୍ମାଣ କରି ଲୋକଙ୍କୁ ଭଡ଼ା ସୂତ୍ରରେ ଦିଆଯାଇଛି। ୫ ଜଣ ଷ୍ଟଲ ମାଲିକଙ୍କୁ ଏନ୍‌ଏସି ପକ୍ଷରୁ ଭଡ଼ା ଦେବାକୁ ଅନୁରୋଧ କରାଯାଇଥିଲା। ହେଲେ ସେମାନେ ଶୁଣୁ ନଥିଲେ। ଏଥିପାଇଁ ନୋଟିସ ମାଧ୍ୟମରେ ବାରମ୍ବାର ତାଗିଦ କରାଯାଉଥିଲା। ଶୁକ୍ରବାର ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଚାନ୍ଦିନୀ ମେହେର, ଏନ୍‌ଏସି ଇଓ ଶ୍ରୀକୁମାର ରଥ, ପୁଲିସ ଓ ଏନ୍‌ଏସି କର୍ମଚାରୀଙ୍କ ଉପସ୍ଥିତିରେ ଉକ୍ତ ୫ଟି ଷ୍ଟଲର ମାଲିକଙ୍କୁ ଭଡ଼ା ଟଙ୍କା ଦେବାକୁ ଅନୁରୋଧ କରାଯାଇଥିଲା। ୩ ଜଣଙ୍କଠାରୁ ଭଡ଼ା ଟଙ୍କା ଆଦାୟ କରାଯାଇଥିଲା। ୨ଟି ଷ୍ଟଲ ବନ୍ଦଥିବାରୁ ଏନ୍‌ଏସି ପକ୍ଷରୁ ସିଲ୍‌ କରାଯାଇଥିଲା ବୋଲି ଇଓ ଶ୍ରୀ ରଥ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର