ଯାଜପୁରସଦର/ବିଞ୍ଝାରପୁର: ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ୍ରେ ଭେଣ୍ଡିଆଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ପ୍ରସଙ୍ଗ ରାଜ୍ୟରେ ହଟଚମଟ ସୃଷ୍ଟି କରିଛି। ତେବେ ଏହି କେଳେଙ୍କାରୀକୁ ଘୋଡ଼ାଇ ଦେବା ପାଇଁ ବ୍ଲକ୍ ପ୍ରଶାସନ ଏବେ ସାମନାକୁ ଆସିଛି। ବ୍ଲକ୍ର ୯୮୪ ଜଣ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ଆସନ୍ତା ୭ ଦିନ ଭିତରେ ଫେରାଇବାକୁ ନୋଟିସ୍ କରାଯାଇଛି। ବିଞ୍ଝାରପୁର ବ୍ଲକ୍ର ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏ ନେଇ ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଫେରାଇବାକୁ କୁହାଯାଇଛି। ଯାଜପୁର ଉପଜିଲ୍ଲାପାଳଙ୍କ ବିନା ଅନୁମୋଦନରେ ଟଙ୍କା ନେଇଥିବାରୁ ସେପ୍ଟେମ୍ବର ୨୦୨୩ରୁ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ପାଇଥିବା ସମସ୍ତ ଭତ୍ତା ଟଙ୍କାକୁ ଆସନ୍ତା ୭ ଦିନ ଭିତରେ ବିଡିଓଙ୍କ କାର୍ଯ୍ୟାଳୟରେ ଜମା କରିବାକୁ ନୋଟିସ୍ରେ ଉଲ୍ଲେଖ କରାଯାଇଛି। ଏ ପ୍ରକାର ନୋଟିସ୍ ଘରକୁ ଘର ବୁଲି ବଣ୍ଟା ହେବା ପରେ ହିତାଧିକାରୀଙ୍କ ମଧ୍ୟରେ ଛନକା ପଶିଛି। ଟଙ୍କା ଖର୍ଚ୍ଚ କରିସାରିଥିବା ହିତାଧିକାରୀ ବର୍ତ୍ତମାନ ଏତେ ଟଙ୍କା କେମିତି ଫେରାଇବେ ତାକୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗ୍ୟ ଦର୍ଶାଇ ଭତ୍ତା ଦେଇଥିବା ଅଧିକାରୀ, ବ୍ଲକ୍ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପରେ ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି? ଉପଜିଲ୍ଲାପାଳଙ୍କ ଅନୁମୋଦନ ନଥାଇ କିଭଳି ବର୍ଷତମାମ ଭତ୍ତା ଟଙ୍କା ଦିଆଯାଉଥିଲା? ହିତାଧିକାରୀଙ୍କ ଦରଖାସ୍ତକୁ ଯାଞ୍ଚ କରି ଅଯୋଗ୍ୟଙ୍କୁ ଯୋଗ୍ୟ କରିଥିବା ଅଧିକାରୀଙ୍କ ପାଖରୁ ଏ ସମସ୍ତ ଭତ୍ତା ଅର୍ଥ କାହିଁକି ଆଦାୟ କରାଯିବ ନାହିଁ? ଭତ୍ତା ଦୁର୍ନୀତିରେ ପଞ୍ଚାୟତରୁ ବ୍ଲକ୍ସ୍ତରରେ ଅଧିକାରୀ ସାମିଲ ଥିବାବେଳେ ଏବେ ସବୁ ଦୋଷ ହିତାଧିକାରୀଙ୍କ ମୁଣ୍ଡରେ ଲଦି ଦିଆଯାଇଛି।
ବିଞ୍ଝାରପୁର ବ୍ଲକ୍ର ୨୯ଟି ପଞ୍ଚାୟତର ୮୯୪ ଜଣ ଅଯୋଗ୍ୟ ବ୍ୟକ୍ତିଙ୍କୁ ଯୋଗ୍ୟ ହିତାଧିକାରୀ ସଜାଇ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ କରାଯାଇଥିଲା। ଏହି ତଞ୍ଚକତା ଯୋଗୁଁ ସରକାରୀ ତହବିଲରୁ ପାଖାପାଖି କୋଟିଏ ଟଙ୍କାର ଅନିୟମିତତା ହୋଇଥିଲା। ଦୁର୍ନୀତିର ମୁଖ୍ୟ କାର୍ପଟଦାର ତଥା ତତ୍କାଳୀନ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଧର୍ମେନ୍ଦ୍ର କୁମାର ସାହୁ ବେଆଇନ ଭାବେ ଅଯୋଗ୍ୟଙ୍କୁ ଯୋଜନାରେ ସାମିଲ କରିଥିବା ଅଭିଯୋଗ ହୋଇଥିଲା। ଘଟଣା ଲୋକଲୋଚନକୁ ଆସିବା ପରେ ବିଭାଗୀୟ ନିର୍ଦ୍ଦେଶକଙ୍କ ସମେତ ୧୦ ଜଣିଆ ଟିମ୍ ଘଟଣାର ଯାଞ୍ଚ କରିବାକୁ ଗ୍ରାଉଣ୍ଡ ଜିରୋକୁ ଯାଇଥିଲେ। ପରବର୍ତ୍ତୀ ସମୟରେ ଭତ୍ତା ନେଇଥିବା ଲୋକଙ୍କଠାରୁ ଅର୍ଥ ଫେରସ୍ତ ଲାଗି ନୋଟିସ୍ କରିବାକୁ ଜିଲ୍ଲା ପ୍ରଶାସନ ଓ ବିଞ୍ଝାରପୁର ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଞ୍ଝାରପୁର ବିଡିଓ ପଞ୍ଚାୟତର ପିଇଓମାନଙ୍କ ଜରିଆରେ ୮୯୪ ଜଣ ହିତାଧିକାରୀଙ୍କ ପାଖକୁ ନୋଟିସ୍ ପଠାଇଛନ୍ତି। ଅରେଇ ପଞ୍ଚାୟତର ୬୭, ଆଉଁରୀର ୯୫, ଅଳକୁଣ୍ଡର ୩୮, ବାଛୋଳର ୨୫ ଜଣ, ବାଙ୍ଗରା ୬୭, ବରପଦାର ୧୭, ବିଞ୍ଝାରପୁରର ୬୦, ବିତନାର ୫୦ଜଣ, ଚନ୍ଦ୍ରମୁଁର ୨୧, ଚିକଣାର ୧୯, ଫତେପୁରର ୭, ଗୁହାଳିର ୯, ଘଣ୍ଟିଆଳିର ୪୮, ହଳଦୀଡିହର ୪, ଜରିର ୩୬, କଲ୍ୟାଣପୁରର ୪୫, କପିଳାର ୮, ମାଁସଡ଼ାରୁ ୬, ଓଳେଇଚନ୍ଦନପୁରରୁ ଜଣେ, ପ୍ରୀତିପୁରରୁ ୪ ଜଣ, ରଣପୁରରୁ ୨୧, ଶାସନ୍ଦାରୁ ଜଣେ, ସିଂହପୁରରୁ ୧୭, ସୟଦପୁରରୁ ୧୦୩, ଟିଣାରୁ ୩୯, ଉଡ୍ରଙ୍ଗରୁ ୪, ଉତ୍ତଙ୍ଗରାରୁ ୨୧ ଏବଂ ଉତ୍ତରକୂଳରୁ ୫୨ ଜଣଙ୍କ ପାଖକୁ ଭତ୍ତା ଟଙ୍କା ଫେରାଇବାକୁ ନୋଟିସ୍ ଯାଇଛି।
ସୂଚନା ଯୋଗ୍ୟ, ଏହି ଘଟଣାରେ ତତ୍କାଳୀନ ଭାରପ୍ରାପ୍ତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସାହୁଙ୍କୁ ନିଲମ୍ବନ କରି ଜିଲ୍ଲା ପ୍ରଶାସନ ନିରବ ରହିଛି। ଏଥିରେ ଶ୍ରୀ ସାହୁ କେବଳ ସଂପୃକ୍ତ ନା ଅନ୍ୟ ଅଧିକାରୀ ଜଡ଼ିତ, ତା’ର ତଦନ୍ତ କରାଯାଇନାହିଁ। ଜିଲ୍ଲାର ଅନ୍ୟ ବ୍ଲକ୍ରେ ମଧ୍ୟ ସମାନ ଦୁର୍ନୀତି ହୋଇଥିବା କୁହାଯାଉଛି। ଏ ନେଇ ବିଞ୍ଝାରପୁର ବିଡିଓ ଥାନାରେ ଶ୍ରୀ ସାହୁଙ୍କ ନାମରେ ଅଭିଯୋଗ କରିଛନ୍ତି। ବିଞ୍ଝାରପୁରରେ ଭେଣ୍ଡିଆଙ୍କୁ ବାର୍ଦ୍ଧକ୍ୟ ଭତ୍ତା ସମ୍ପର୍କରେ ଆଜି ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିବା ପରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଏ ସଂପର୍କରେ ବିଞ୍ଝାରପୁର ବିଡିଓ ହିତାଂଶୁ ସାମଲ କହିଛନ୍ତି, ଅଯୋଗ୍ୟ ହିତାଧିକାରୀମାନଙ୍କୁ ୭ଦିନ ମଧ୍ୟରେ ସମସ୍ତ ଟଙ୍କା ଫେରସ୍ତ କରିବାକୁ ନୋଟିସ୍ କରାଯାଇଛି। ଅର୍ଥ ଫେରସ୍ତ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।