ବିଂଝାରପୁର : ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ନଦେଲେ ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ସବୁକିଛି ବନ୍ଦ। କିଛି ବି ଧାପେ ମିଳିବ ନାହିଁ। ଭୋଟରଙ୍କୁ ସିଧାସଳଖ ଏଭଳି ଚରମ ଚେତାବନୀ ଶୁଣାଇଛନ୍ତି ବିଂଝାରପୁର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ।
ପ୍ରମିଳାଙ୍କ ଏଭଳି ବକ୍ତବ୍ୟକୁ ବୁଦ୍ଧିଜୀବୀ, ରାଜନୈତିକ ବିଶାରଦ, ପଣ୍ଡିତବର୍ଗ ସହଜରେ ହଜମ କରିପାରୁନାହାନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଆଦର୍ଶ ଆଚରଣ ବିଧିର ଏହା ଖୋଲାଖୋଲି ଉଲ୍ଲଂଘନ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ବିଂଝାରପୁର ବ୍ଲକ୍ ଅଳକୁଣ୍ଡ ପଞ୍ଚାୟତର ଅଳକୁଣ୍ଡ ଗ୍ରାମରେ ବୁଧବାର ଦିନ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟିକା ପ୍ରମିଳା ମଲିକ ଯୋଗଦେଇ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଗଣେଶ ସାହୁଙ୍କୁ ମାଛ ଚିହ୍ନରେ ଭୋଟ ଦେବାସହ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ। ଯଦି ଆଉ କାହାକୁ ଭୋଟ୍ ଦିଅ ତେବେ ବାର୍ଦ୍ଧକ୍ୟ ଭତ୍ତା, ରାସନ ଓ ଆବାସ ଯୋଜନାରେ ଘରପାଇଁ ମୋତେ କହିବନି ବୋଲି ଉପସ୍ଥିତ ଜନସାଧାରଣଙ୍କୁ ରୋକଠୋକ ଶୁଣାଇଥିଲେ।
ବିଜେଡି ନେତା ନରେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ବ୍ଲକ୍ ବିଜେଡି ସଭାପତି ମୁରଲୀ ବେହେରା, ପଞ୍ଚାୟତ ସଭାପତି ପ୍ରମୋଦ କୁମାର ରଥ, ଅବସରପ୍ରାପ୍ତ ଶିକ୍ଷକ ସେକ୍ ୱାରିସ ଅଲ୍ଲି, ଶିକ୍ଷକ ସେକ ମହମ୍ମଦ ଓକିଲ, ଜିଲ୍ଲା ପରିଷଦ ପ୍ରାର୍ଥିନୀ ସୁନିତା ନାୟକ ପ୍ରମୁଖ ଯୋଗଦେଇଥିଲେ।
ଅଳକୁଣ୍ଡ ବସ୍ତିର କର୍ମୀ ଓ ଭୋଟରଙ୍କ କହିବା ଅନୁଯାୟୀ, ବିଧାୟିକା ପ୍ରମିଳା ମଲିକ ଘୋଷଣା କରିଥିବା ସରପଞ୍ଚ ପ୍ରାର୍ଥୀଙ୍କୁ ସେମାନେ ସମର୍ଥନ କରିବେ ନାହିଁ। ବିଧାୟିକା ଶ୍ରୀମତୀ ମଲିକ ଆଜିର ସଭାରେ ଭତ୍ତା, ରାସନ ଓ ଆବାସ କଥା କହି ଭୟଭୀତ କରିବାକୁ ଗୋଟି ଚାଳନା କରିଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ବିଧାୟିକାଙ୍କ ନିର୍ଦ୍ଦେଶ ମାନିବେ ନାହିଁ ବୋଲି କହିଛନ୍ତି। ରାଜ୍ୟ ନିର୍ବାଚନ କମିସନ ଏଥିପ୍ରତି ଦୃଷ୍ଟିଦେବାକୁ ଏର୍ସାଦ ଆଲମ, ରିଜଓ୍ଵାନ ହୋସେନ ଖାନ, ସୁରେନ୍ଦ୍ର ମଲିକ, ରବୀନ୍ଦ୍ର ମଲିକ, ରଙ୍ଗାଧର ମଲିକ, ବିଦ୍ୟାଧର ଦାସ, ରତ୍ନାକର ନାଥ, ସଗୁପ୍ତା ଆଲମଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।