ସଂଗ୍ରାମ କେଶରୀ ସିଂହ

ଯାଜପୁର: ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତାମାନେ ଦୁର୍ଗ ସଜାଡ଼ିବାରେ ବ୍ୟସ୍ତ। ଯାଜପୁର ଜିଲ୍ଲାରେ ଲଗାତର ଜିତି ଆସୁଥିବା ଶାସକ ଦଳର କିଛି ନେତାଙ୍କ ସ୍ଥିତି ମଧ୍ୟ ଜଟିଳ ହେଉଛି। ଏହାକୁ ଦୃଷ୍ଟିରେ ରଖି ବିରୋଧୀ ଶିବିରକୁ ଭାଗ ଭାଗ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି। ବିଂଝାରପୁର ନିର୍ବାଚନମଣ୍ଡଳୀରେ ବିକାଶରେ ସ୍ଥାଣୁତା ଓ ଦୁର୍ନୀତିକୁ ନେଇ ବିରୋଧୀ ଶାସକ ଦଳକୁ ଘେରିବାରେ ଲାଗିଛି। ଏଠାରୁ ଲଗାତର ଭାବେ ଜିତୁଥିବା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଏଥର ନିର୍ବାଚନୀ ବୈତରଣୀ ପାର ହେବା ସହଜ ହେବନି ବୋଲି କୁହାଯାଉଛି। ତେବେ ବିରୋଧୀ ଶିବିର ଭାଗ ଭାଗ ହୋଇଯାଇଥିବାରୁ ପ୍ରମିଳାଙ୍କୁ କିଛିଟା ଆଶ୍ବସ୍ତି ମିଳିପାରେ।

Advertisment

publive-image

ବିଂଝାରପୁରର ଆଇନ ଶୃଙ୍ଖଳା, ଆବାସ ଓ ବାଲିଘାଟ କେଳେଙ୍କାରୀକୁ ନେଇ ପ୍ରମିଳାଙ୍କୁ ବିରୋଧୀ ଘେରୁଛନ୍ତି। ହେଲେ ୬ଥର ବିଧାୟିକା ହୋଇଥିବା ଶ୍ରୀମତୀ ମଲ୍ଲିକ ପରିପକ୍ବତା ଦେଖାଇ ଆଗକୁ ମାଡ଼ି ଚାଲିଛନ୍ତି। ସେ ଜନତା ଦଳରୁ ୧୯୯୦ରେ ବିଧାୟିକା ହେବା ପରେ ୧୯୯୫ରେ ଥରେ ଝୁଣ୍ଟିଥିଲେ। ଏଥି ମଧ୍ୟରେ ସେ ବିଜେଡିର ରାଜ୍ୟ ମହିଳା ସଭାନେତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ ହେବା ସହ ବର୍ତ୍ତମାନେ ବାଚସ୍ପତି ପଦରେ ଅଧିଷ୍ଠିତ ଅଛନ୍ତି। ଅପରପକ୍ଷରେ ତାଙ୍କର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବବିତା ମଲ୍ଲିକ ୨୦୦୯ରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବେଳେ ୨୦୧୪ ଓ ୨୦୧୯ରେ ବିଜେପି ପ୍ରାର୍ଥୀ ହୋଇ ଟକ୍କର ଦେଉଛନ୍ତି। ଅବଶ୍ୟ ବ୍ୟୟ ବହୁଳ ନିର୍ବାଚନ ପାଇଁ ବବିତା ପଛରେ ପଡ଼ିଯାଉଛନ୍ତି। ଏପରିକି ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବବିତା ଆର୍ଥିକ ସଙ୍କଟ କାରଣରୁ କେତେକ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ପାରିନଥିଲେ। ଏଭଳି ସ୍ଥିତିରେ ବବିତାଙ୍କ ପାଇଁ ବିଜେପିର ବରିଷ୍ଠ ନେତା ଅମୀୟ ମଲ୍ଲିକ ଆଉ ଏକ ପ୍ରତିବନ୍ଧକ ସୃଷ୍ଟି ହେବାକୁ ଯାଉଛନ୍ତି। ଗତଥର ଯାଜପୁର ଲୋକସଭା ଆସନରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିବା ଅମୀୟ ଏବେ ବିଂଝାରପୁରରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ନିକଟରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଂଝାରପୁର ନିମନ୍ତ୍ରଣ କରି ବୈଠକ କରି ଅମୀୟ ନିଜର ସ୍ଥିତି ଜାହିର କରିବାକୁ ଉଦ୍ୟମ କରିଛନ୍ତି। ସେହିପରି ବିଂଝାରପୁରରେ କଂଗ୍ରେସ ସ୍ଥିତି ଶୋଚନୀୟ ହୋଇଥିବା ବେଳେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା କନକଲତା ମଲ୍ଲିକ ଦଳକୁ ସଜାଡ଼ିବାକୁ ଉଦ୍ୟମ କରୁଛନ୍ତି। ଅପରପକ୍ଷରେ ଯୁବ କଂଗ୍ରେସ ସମ୍ପାଦିକା ବନିତା ଦାସ ସମାନ୍ତରାଳ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି। ବିଶେଷ କରି ପିସିସିର ସାଧାରଣ ସମ୍ପାଦକ ପଦ୍ମାକର ଗୁରୁ ବନିତାଙ୍କ ମଙ୍ଗ ଧରିଛନ୍ତି। ବିଜେପି ଓ କଂଗ୍ରେସ ଶିବିର ଭାଗ ଭାଗ ହେବା ପ୍ରମିଳାଙ୍କୁ ସୁହାଇଛି।