କିଶୋରନଗର କଲେଜର ଡାଟା ଏଣ୍ଟ୍ରି ଅପରେଟର ବିନୋଦ ହତ୍ୟାକାଣ୍ଡ : ସତ ଲୁଚାଉଛି ସାରଦା!

ଲାଇଭ୍‌ ଡେମୋ ଦେଖାଇଲା

କିଶନନଗର : କିଶୋରନଗର କଲେଜର ଡାଟା ଏଣ୍ଟ୍ରି ଅପରେଟର ବିନୋଦ ମଣ୍ଡଳ ଅପହରଣ ଓ ହତ୍ୟା ରହସ୍ୟ ଉପରୁ ଗତକାଲି ପର୍ଦ୍ଦା ଉଠିଥିଲା। ଗତକାଲି ପୁଲିସ ପ୍ରେମିକ ସାରଦା କୁଣ୍ଡୁଙ୍କ ସହିତ ବିନୋଦଙ୍କ ପତ୍ନୀ ମାନସୀର ମୁହାଁମୁହିଁ ଜେରା କରିବା ପରେ ସତ ସାମନାକୁ ଆସିଥିଲା। ପ୍ରେମିକ ସହ ମିଶି ସ୍ବାମୀର ଅପହରଣ ଆଉ ହତ୍ୟା ଯୋଜନା ରଚି ଥିବା ପତ୍ନୀକୁ ପୁଲିସ ଗିରଫ କରିଥିଲା। ତେବେ ସାରଦା ଏକାକୀ ବିନୋଦଙ୍କୁ ହତ୍ୟା କରିଥିବା ଘଟଣାକୁ ପରିବାର ଲୋକେ ସହଜରେ ବିଶ୍ୱାସ କରି ପାରୁ ନାହାନ୍ତି। ବିନୋଦଙ୍କୁ ହେଲମେଟରେ ପିଟି ସାରଦା ହତ୍ୟା କରିଥିବା କଥାକୁ ବିନୋଦଙ୍କ ବାପା ବିଜୟ ମଣ୍ଡଳ ଓ ଭାଇ ବିକାଶ ମଣ୍ଡଳ ଗ୍ରହଣ କରିପାରୁ ନାହାନ୍ତି। ହତ୍ୟାକାଣ୍ଡ ଦିନ ଜଗତପୁର ଗୋଲେଇ ଛକରେ ଥିବା ଏକ କ୍ୟାବିନ ନିକଟରେ ସାରଦାଙ୍କ ହେଲମେଟ୍‌ ଓ ବାଇକ୍‌ ରଖି ଫେରାର ହୋଇଯାଇଥିବା ସାରଦା କହୁଥିବା ବେଳେ ଏହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ଜଗତପୁର ଗୋଲେଇ ଛକ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ପରିତ୍ୟକ୍ତ ଭାବେ ବିନୋଦଙ୍କ ବାଇକ ଓ ହେଲମେଟ ୧୦ ଦିନ ଧରି ପଡି ରହିବା ଘଟଣା ଗ୍ରହଣଯୋଗ୍ୟ ନୁହେଁ। ପୂର୍ବରୁ ଦୁଇଥର ରିମାଣ୍ଡରେ ଆସିଥିବା ବେଳେ ପୁଲିସକୁ ଭୁଆଁ ବୁଲାଉଥିବା ସାରଦା କେତେ ସତ କହୁଛି ତାର ତର୍ଜମା ଜରୁରୀ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଆଜି ସାରଦା ପୁଲିସକୁ ହତ୍ୟାକାଣ୍ଡର ଲାଇଭ୍‌ ଡେମୋ ଦେଖାଇଛି। ସାଲେପୁର ଏସଡିପିଓ ନିମାଇଁ ଚରଣ ସେଠୀ, କିଶନନଗର ଥାନା ଆଇଆଇସି ବାମଦେବ ସ୍ବାଇଁ ଓ ସାଲେପୁର ଥାନା ଆଇଆଇସି ଦେବେନ୍ଦ୍ର ମଲ୍ଲିକଙ୍କ ଉପସ୍ଥିତିରେ ସାରଦା ବିନୋଦଙ୍କ କଙ୍କାଳ ମିଳିଥିବା ସ୍ଥାନ ବାରଗୋଡ଼ିଆଠାରେ ପହଞ୍ଚି ହତ୍ୟାର ଲାଇଭ ଡେମୋ ଦେଖାଇଥିଲା। ପ୍ରାୟ ଏକ ଘଣ୍ଟାଏରୁ ଅଧିକ ସମୟ ଧରି ଲାଇଭ ଡେମୋ ଦେଖାଇଥିଲା। ଘଟଣାସ୍ଥଳରେ ମୃତ ବିନୋଦ ଓ ସାରଦାଙ୍କ ପରିବାର ଲୋକଙ୍କ ଉପସ୍ଥିତ ଥିଲେ।

ସୂଚନା ଥାଉ କି, ବିନୋଦ ହତ୍ୟାକାଣ୍ଡ ସମ୍ପର୍କରେ  କିଛି ଜାଣି ନ ଥିବା ସାରଦା ପୂର୍ବ ପରି ପୁଲିସକୁ କହିଥିଲା। ଦ୍ଵିତୀୟ ଦିନରେ ପୁଲିସ ସାରଦାଠାରୁ ସତ ଓଗାଳିବାକୁ କରିଥିଲା। ବିନୋଦ ହତ୍ୟାକାଣ୍ଡରେ ତା ପରିବାରର ଜଣେ ସଦସ୍ୟ ସମ୍ପୃକ୍ତ ଥିବା ପ୍ରମାଣ ମିଳିଥିବା ପୁଲିସ ସାରଦାକୁ କହିଥିଲା। ନିଜ ପରିବାର ସଦସ୍ୟ ଗିରଫ ହେବା ଆଶଙ୍କାରେ ସାରଦା ଭାଙ୍ଗି ପଡିଥିଲା ଓ ବିନୋଦଙ୍କୁ ସେ ନିଜେ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଏହାପରେ ପୁଲିସ ତାର ପ୍ରେମିକା ମାନସୀକୁ ତା ସାମ୍ନାକୁ ଆଣିଥିଲା। ଉଭୟଙ୍କୁ ମୁହାଁମୁହିଁ ଜେରା କରିବା ପରେ ହତ୍ୟା ରହସ୍ୟ ଖୋଲିଥିଲା।

ମିଳିଲା ମୋବାଇଲ, ପର୍ସ ଏବେ ବି ଗାଏବ
ସାରଦା ଦେଇଥିବା ସୁଚନା ମୁତାବକ ତା ଘର ଠାରୁ ଅଳ୍ପ ଦୂରରେ ଥିବା ଏକ ପୋଖରୀରୁ ବିନୋଦଙ୍କ ମୋବାଇଲ ଫୋନକୁ ପୁଲିସ ଆଜି ଉଦ୍ଧାର କରିଛି। ଦମକଳ ବାହିନୀ  କର୍ମଚାରୀ ପୋଖରୀ ପାଣିରୁ ଏହି ମୋବାଇଲ ଫୋନ ଉଦ୍ଧାର କରିଥିଲେ। ହେଲେ, ବିନୋଦଙ୍କ ମନିପର୍ସର ପତ୍ତା ମିଳିନାହିଁ। ବିନୋଦଙ୍କୁ ହତ୍ୟା କରିବା ପରେ ୨୬ ତାରିଖ ସନ୍ଧ୍ୟାରେ ସାରଦା ବିନୋଦଙ୍କ ମୋବାଇଲ ଫୋନ ଓ ମନିପର୍ସକୁ ଏହି ପୋଖରୀରେ ଫିଙ୍ଗି ଦେଇଥିବା ସୂଚନା ଦେଇଥିଲା। ତେବେ ବାରମ୍ବାର ବାଜୁଥିବା ମୋବାଇଲ ଫୋନ ସୁଇଚ୍‌ ଅଫ କରି ନ ପାରି ସେ ଏହାକୁ  ପୋଖରୀକୁ ଫିଙ୍ଗି ଦେଇଥିଲା।

ସମ୍ବନ୍ଧିତ ଖବର