ଚିର ନିଦ୍ରାରେ ‘ଝୁମ୍‌କା ଟିକେ ତୁ ତ ହଲେଇ ଦେ..’ର ଗୀତିକାର ବିନୋଦ ନନ୍ଦ

କଟକ : ଝୁମ୍‌କା ଟିକେ ତୁ ତ ହଲେଇ ଦେ…, ଯାହାକୁ ମୁଁ ଏତେ ଭଲ ପାଉଛି…, ପ୍ରିୟା ମୋ’ର ଏ କି କଲ…, ଆଜି ମୋତେ ମିଳିଗଲା ମୋ’ ମନ ମୟୂରୀ… ଭଳି ଚିର ସବୁଜ ସୁପରହିଟ୍‌ ଗୀତର ଗୀତିକାର ବିନୋଦ ନନ୍ଦ ଆଉ ନାହାନ୍ତି। ମାତ୍ର ୬୨ ବର୍ଷ ବୟସରେ ସେ ଆଜି ହୃଦଘାତର ଶିକାର ହୋଇ ଚିରଦିନ ପାଇଁ ଆଖି ବୁଜିଛନ୍ତି। ୧୯୫୫, ସେପ୍ଟେମ୍ବର ୨ ତାରିଖରେ ଜନ୍ମଗ୍ରହଣ କରିଥିବା ବିନୋଦ ନନ୍ଦଙ୍କର ଆଜି ପରଲୋକ ଘଟିଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କର ଶେଷ ଶଯ୍ୟା ନିକଟରେ ପତ୍ନୀ, ଦୁଇ ପୁଅ, ବଡ଼ଭାଇ ତଥା ବିଶିଷ୍ଟ ପ୍ରକାଶକ ବିଜୟ ନନ୍ଦ, ବଂଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ସ୍ୱର୍ଗତ ବିନୋଦ ନନ୍ଦଙ୍କ ମରଶରୀରକୁ ଖାନନଗର ଶ୍ମଶାନକୁ ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ପୁଅ ବିବେକ ନନ୍ଦ ମୁଖାଗ୍ନୀ ଦେଇଥିଲେ।

ବିନୋଦ ନନ୍ଦ ଫିଲ୍ମ ଗୀତ ସହ ଫିଲ୍ମର କାହାଣୀ ରଚନା, ନିର୍ଦ୍ଦେଶନା, ପ୍ରଯୋଜନା, ଆଡ୍‌ ମେକର୍‌ ଭାବେ ସେ ସୁଖ୍ୟାତି ଅର୍ଜନ କରିଥିଲେ। ଉପନ୍ୟାସ (ପ୍ରେମ ଓ ଉପହାର) ଲେଖିବା ସହ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ମଧ୍ୟ ସେ ନିଜର ସ୍ୱାକ୍ଷର ଛାଡି ଯାଇଛନ୍ତି। ବୁଲ୍‌ବୁଲ୍‌, ଚିତ୍ରପରୀ ଭଳି ପତ୍ରିକା ପ୍ରକାଶନ କରିଥିଲେ। ‘ପ୍ରତିଶୋଧ ଅପରାଧ ନୁହେଁ’, ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା କାହାଣୀକାର ଭାବେ ସେ କାର୍ଯ୍ୟ କରିଥିଲେ। ‘ପୂଜା ଚନ୍ଦନ’ ଚଳଚ୍ଚିତ୍ରର କାହାଣୀ ସହ ଗୀତ ରଚନା ସହିତ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ମହାନ୍‌ ସଂଗୀତକାର ଅକ୍ଷୟ ମହାନ୍ତିଙ୍କ ସହ ସ୍ୱର୍ଗତ ବିନୋଦ ନନ୍ଦ ଅତ୍ୟନ୍ତ ଘନିଷ୍ଠ ଥିଲେ। ଅକ୍ଷୟ ମହାନ୍ତି ଗାଇଥିବା ‘ଏଇ ମୋ’ର ଶେଷ ଗୀତ…’ର ଗୀତିକାର ତଥା ପିକଚରାଇଜେସନ୍‌ କରିଥିଲେ। ୧୯୮୧ରେ ସେ ଫିଲ୍ମ ‘ଚିହ୍ନା ଅଚିହ୍ନା’ର କାହାଣୀକାର ଭାବେ ରାଜ୍ୟ ସମ୍ମାନରେ ସମ୍ମାନିତ ହୋଇଥିଲେ। ବିନୋଦ ନନ୍ଦଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର