ବିନୋଦିନୀ ଚିଟ୍‌ଫଣ୍ଡ୍‌ ସଂସ୍ଥା ଏମ୍‌ଡି ଗିରଫ

ବ୍ରହ୍ମପୁର : ଲୋକଙ୍କ ଠାରୁ ଜମା ଆକାରରେ ନେଇ ୬୮.୮୩ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ ବିନୋଦିନୀ ଚିଟ୍‌ଫଣ୍ଡ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଧୀରେନ କୁମାର ସ୍ବାଇଁ(୪୭)ଙ୍କୁ ଗିରଫ କରିଛି। ଲୋକଙ୍କୁ ଅଧିକ ହାରରେ ସୁଧ ଦେବା ପ୍ରତିଶ୍ରୁତି ଦେଇ ଏହି ସଂସ୍ଥା ପ୍ରାୟ ୬୮ଲକ୍ଷ ୮୩ ହଜାର ଟଙ୍କା ଠକେଇ କରିଥିବା ନେଇ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଧୀରେନଙ୍କୁ ଗିରଫ କରା ଯାଇଥିବା ଥାନା ଅଧିକାରୀ କହିଛନ୍ତି।

ଗଞ୍ଜାମ ଜିଲ୍ଲା ଓ ଗୁଜରାଟର ସୁରତରେ ଗତ ୨୦୧୦ରେ ବିନୋଦିନୀ ପ୍ରୋଜେକ୍ଟ ଲିମିଟେଡ୍‌ ନାମ‌ରେ ଏକ ସଂସ୍ଥା ଖୋଲିଥିଲା। ସଂସ୍ଥାରେ ଟଙ୍କା ଜମା କଲେ ଅଧିକ ହାରରେ ସୁଧ ମିଳିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ସଂସ୍ଥାର ତା’ର କାର୍ଯ୍ୟାଳୟ ଖୋଲି ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିଲା। ଜମାକାରୀ ସେମାନଙ୍କର ଟଙ୍କା ଫେରି ନପାଇବାରୁ ୨୦୧୮ ମାର୍ଚ୍ଚ ମାସରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଗଞ୍ଜାମ ଜିଲ୍ଲାର ପ୍ରାୟ ୫୨୩ଜଣ ଜମାକାରୀଙ୍କ ଠାରୁ ଏହି ଟଙ୍କା ଠକେଇ କରିଥିବା ତଦନ୍ତରୁ ଜଣା ପଡ଼ିଥିଲା। ସୁରତରେ ମଧ୍ୟ ଏହି ସଂସ୍ଥା ନାଁରେ ମାମଲା ରୁୁଜୁ ହୋଇଥିଲା। ବୈଦ୍ୟନାଥପୁର ଥାନା ପୁଲିସ ଶେଷରେ ସଂସ୍ଥାର ଏମ୍‌ଡି ତଥା ବଡ଼ଗଡ଼ ଥାନା ରୁଗୁମୁର ଧୀରେନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର