ଭୁବନେଶ୍ବର: ପ୍ରଖ୍ୟାତ ଗୀତିକାର ଶ୍ରୀମତୀ ବିନୋଦିନୀ ଦେବୀଙ୍କ ଅନୁଗୁଳଠାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ମସ୍ତିଷ୍କାଘାତରେ ଦୀର୍ଘ ମାସ ହେବ ଶଯ୍ୟାଶାୟୀ ଥିବା ବିନୋଦିନୀ ଦେବୀଙ୍କ ଆଜି ସକାଳେ ପରଲୋକ ଘଟିଛି। ସେ ଅନୁଗୁଳଠାରେ ରହୁଥିବା ସାନପୁଅଙ୍କ ନିକଟରେ ରହି ଚିକିତ୍ସିତ ହେଉଥିଲେ। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ କରାଯିବ। ତାଙ୍କ ବିୟୋଗରେ ସଙ୍ଗୀତଜଗତରେ ଶୋକର ଛାୟା ଖେଳିଯାଇଛି।
ବିନୋଦିନୀ ଦେବୀ କଟକ ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର ଥିଲେ। ତାଙ୍କ ରଚିତ ସିନେମାଗୀତଗୁଡ଼ିକ ମଧ୍ୟରେ ରକତ ଟଳମଳ ଖଇର ପାଞ୍ଚପଳ...(ମଲାଜହ୍ନ), କାଳିଆ ଆସିଲା ଭାଇ କାଳିଆ ଆସିଲା.. , ସେ ତ ଭକତ ଭାବରେ ବନ୍ଧା..(ଶ୍ରୀ ଜଗନ୍ନାଥ), ନିରିମାଖୀ କୁଆଁରୀ ମୁଁ...(ତଅପୋଇ) ଏବଂ ନଟ ହେ ମଞ୍ଜି ପୋତିଲ..(ଜୟ ଜଗନ୍ନାଥ) ବେଶ୍ ଲୋକପ୍ରିୟ। ସେ ଥିଲେ ପ୍ରଥମ ଓଡ଼ିଆ ମହିଳା ସିନେ ଗୀତିକାର। ଓଡ଼ିଆ ସଙ୍ଗୀତର ବେତାଜ ବାଦଶାହା ଅକ୍ଷୟ ମହାନ୍ତି ହିଁ ତାଙ୍କୁ ପ୍ରଥମେ ମଲାଜହ୍ନ ସିନେମାରେ ଓ ପରବର୍ତ୍ତୀ କାଳରେ ଅନ୍ୟ ସିନେମାରେ ଗୀତ ଲେଖିବାର ସୁଯୋଗ ଦେଇଥିଲେ।
/sambad/media/post_attachments/wp-content/uploads/2023/10/392953429_10226302531684637_7306130738690212016_n.jpg)
୧୯୩୭ ମସିହାରେ କଟକ ଜିଲ୍ଲା ତିଗିରିଆଠାରେ ବିନୋଦିନୀ ଦେବୀଙ୍କର ଜନ୍ମ ହୋଇଥିଲା। ସେ ଜଣେ ଉଚ୍ଚକୋଟିର ସାହିତ୍ୟିକ ମଧ୍ୟ ଥିଲେ। ତାଙ୍କ ରଚିତ ‘ଖୋକାଟିଏ ଖୋକିଟିଏ’ (ଶିଶୁଗୀତି ସଙ୍କଳନ), ‘ଅମୃତା’ (ଭକ୍ତିଗୀତି ସଙ୍କଳନ), ଟିକି ଟିକି ନାଲି କାଇଁଚ (ଶିଶୁଗୀତି ସଙ୍କଳନ), ‘ଏଇ କଳା ମୋର କଳଙ୍କ’ (ଆଧୁନିକ ଗୀତ ସଂକଳନ) ଆଦି ବେଶ୍ ଚର୍ଚ୍ଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/Singer-Binodini-Devi-is-No-More_Dies_Thumbnail.jpg)