ଭିଜିଲାନ୍ସ ଜାଲରେ ବିଇଓ ଅଫିସ୍ କିରାଣି, ୧୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରାପଡ଼ିଲେ

କାମାକ୍ଷାନଗର : କାମାକ୍ଷାନଗର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କନିଷ୍ଠ କିରାଣି ଗୁରୁବାର ଦିନ ୧୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତ‌ରେ ଧରାପଡ଼ିଛନ୍ତି। ଗତ ଏପ୍ରିଲ ୬ ତାରିଖରେ ଭୁବନ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କିରାଣି ଅନୁରୂପ ଭାବେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଆଜିର ଏହି ଘଟଣାପରେ ଶିକ୍ଷା ବିଭାଗରେ ଚାଲିଥିବା ଏପରି କାର୍ଯ୍ୟ ସାଧାରଣରେ ଆଲୋଚନାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, କାମାକ୍ଷାନଗର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଜୀବାନନ୍ଦ ଶତପଥୀ କନ୍ତିଓକାଟେଣୀ ସିଦ୍ଧାଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଗୋଲକ ଚନ୍ଦ୍ର ନାୟକଙ୍କ ବକେୟା ବିଲ୍ କରାଇଦେବା ପାଇଁ ତାଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନଦେଲେ ବିଲ୍‌ ହୋଇପାରିବ ନାହିଁ ବୋଲି କହିବାରୁ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ବାଧ୍ୟହୋଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। କିରାଣି ଶ୍ରୀ ଶତପଥୀଙ୍କୁ ଧରିବାପାଇଁ ଭିଜିଲାନ୍ସ ପକ୍ଷରୁ ଯୋଜନା କରାଯାଇଥିଲା। ଆଜି ପୂର୍ବାହ୍ନ ୧୧ଟାରେ କାମାକ୍ଷାନଗର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ‌ରେ କିରାଣି ଶ୍ରୀ ଶତପଥୀ ପ୍ରଧାନ ଶିକ୍ଷକ ଶ୍ରୀ ନାୟକଙ୍କଠାରୁ ଦଶହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲେ। ତାଙ୍କଠାରୁ ୧୦ ହଜାର ଲାଞ୍ଚ ଟଙ୍କା ଜବତ କରିଥିଲେ। କଟକ ଭିଜିଲାନ୍ସ ଏସ୍‌ପି ଅକ୍ଷୟ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଅନୁଗୁଳ ଡିଏସ୍‌ପି ଅକ୍ଷୟ କୁମାର ବାରିକ ଏକ ଦଳ ସହ ଏହି ଚଢ଼ଉ କରିଥିଲେ। ଜୀବାନନ୍ଦଙ୍କୁ ଗିରଫ କରାଯିବା ସହ ତାଙ୍କର କାମାକ୍ଷାନଗର ବାସଭବନରେ ମଧ୍ୟ ଚଢଉ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର