ହାଇକୋର୍ଟରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ମାମଲା: ରାଜ୍ୟର ୩ ବଡ଼ ମେଡିକାଲରେ ସ୍ଥିତି ବିପର୍ଯ୍ୟସ୍ତ

ପ୍ରତିକାର ପଦକ୍ଷେପ ‌ସହ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: କଟକ ଏସସିବି, ବୁର୍ଲା ଭିମସାର ଓ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ‌େଜୖବ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ରହିଥିବା ବ୍ୟବସ୍ଥା ସନ୍ତୋଷଜନକ ନୁହେଁ। ଏହି ତିନି ପ୍ରମୁଖ ବଡ ଡାକ୍ତରଖାନାରେ ନୂଆ ଇନସିନେରେଟର ବସା ଯାଇନାହିଁ। ପୁରୁଣା ଇନସିନେରେଟର ଏବେ ଯେଉଁ ସ୍ଥାନରେ ରହିଛି ତାହା ଡାକ୍ତରଖାନା ଓ ଆବାସିକ ଅଞ୍ଚଳର ୫ଶହ ମିଟର ଭିତରେ ରହିଛି। ଏସସିବିରେ ଥିବା ପୁରୁଣା ଇନସିନେରେଟରରୁ କଳା ଧୂଆଁ ବାହାରୁଛି। ଜୈବ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ବ୍ୟାପକ ସୁଧାର ଆବଶ୍ୟକ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ତିନି ବଡ ଡାକ୍ତରଖାନାର ଜୈବ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରି ଦାଖଲ କରିଥିବା ସତ୍ୟପାଠରେ ଏଭଳି ତଥ୍ୟ ଉଲ୍ଲେଖ କରାଯାଇଛି।

ହାଇକୋର୍ଟ ଏହି ପ୍ରସଂଗକୁ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ତଥ୍ୟ ଅନୁଧ୍ୟାନ କରି ଏସସିବି, ଭିମସାର ଓ ଏମକେସିଜି ଡାକ୍ତରଖାନାରେ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସଂପର୍କିତ ଷ୍ଟାଟସ୍ ରିପୋର୍ଟ ପରବର୍ତ୍ତୀ ଶୁଣାଣି ସମୟରେ ଦାଖଲ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମୈତ୍ରୀ ସଂସଦ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୧୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆବେଦନକାରୀଙ୍କ ପ୍ରତିନିଧି ତିନି ବଡ଼ ଡାକ୍ତରଖାନାରେ ଥିବା ଜୈବ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବେ ବୋଲି ହାଇକୋର୍ଟ ୨୦୨୨, ସେପ୍ଟେମ୍ବର ୧୪ରେ ନିର୍ଦ୍ଦେଶ ଦେଇଥିଲେ। ଏସସିବି ସହିତ ଅନ୍ୟ ଡାକ୍ତରଖାନା ଗୁଡିକରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ପ୍ରସଂଗକୁ ନେଇ ୨୦୦୩ରେ ଏହି ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଦାୟର ହୋଇଥିଲା। ୨୦୨୨, ସେପ୍ଟେମ୍ବର ୧୪ରେ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ସତ୍ୟପାଠରେ ରହିଥିବା ତଥ୍ୟରୁ ସ୍ପଷ୍ଟ ହୋଇଥିଲା ଯେ ରାଜ୍ୟର ସବୁ ସ୍ତରର ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ସରଞ୍ଜାମ ବସାଇବା ଲାଗି ‌ଷ୍ଟୋରେଜ ରୁମ୍ ନିର୍ମାଣ ଓ ତିନି ଫେଜ ଲାଇନ ସଂଯୋଗ ଲାଗି ୧୦୩.୬୪ କୋଟି ଟଙ୍କା ପଞ୍ଚାୟତତିରାଜ ବିଭାଗକୁ ଦିଆଯାଇଛି। କିନ୍ତୁ ନୂଆ ଇନସିନେରେଟର ତିନି ପ୍ରମୁଖ ବଡ଼ ଡାକ୍ତରଖାନାରେ ନିୟମ ଅନୁସାରେ ବସା ଯାଉ ନାହିଁ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏହାପରେ ହାଇକୋର୍ଟ ଏହି ପ୍ରସଂଗରେ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅଜୟ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର