ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମାଗୁରବେଡ଼ା ଗାଁ ନିକଟରେ ନର୍ମିତ ଲୋୟର ସୁକତେଲ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍ଘାଟନ କରିଛନ୍ତି। ୫୩୦୦ କୋଟି ବ୍ୟୟରେ ନିର୍ମିତ ଏହି ବୃହତ୍ ଜଳସେଚନ ପ୍ରକଳ୍ପର ଉଦ୍ଘାଟନ ଅବସରରେ ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଲୋୟର ସୁକତେଲ ପ୍ରକଳ୍ପ ଦ୍ବାରା ବଲାଙ୍ଗୀରର ଚାଷୀଭାଇଙ୍କ ଜଳ କଷ୍ଟ ଦୂର ହେବା ସହ ଏହା ଜଳସେଚନ ଓ କୃଷି କ୍ଷେତ୍ରରେ ରୂପାନ୍ତର ଆଣିବ। ଏହା ବଲାଙ୍ଗୀର ଜିଲ୍ଲାର ବିକାଶରେ ନୂଆ ଯୁଗ ଆଣିବ। କୃଷକ ରାଜ୍ୟ ଅର୍ଥନୀତିର ସାରଥି। ସେମାନଙ୍କ ପାଇଁ କାଳିଆ ଯୋଜନା, ଏକ ଲକ୍ଷ ଟଙ୍କାର ବିନା ସୁଧରେ ଋଣ, ମାଗଣା ଫସଲବୀମା, ଚାଷୀ ଘର ପିଲାଙ୍କ ପାଇଁ ବୃତ୍ତି ଏବଂ ଆହୁରି ଅନେକ ଯୋଜନା ଜାରି ରହିଛି।
ଏହି ପ୍ରକଳ୍ପ ଯୋଗୁଁ ତ୍ୟାଗ କରିଥିବା ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୫୨୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ୨୨୨୦ କୋଟି ଟଙ୍କା ବ୍ୟୟରେ ୧୧୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ୩୦୫ କୋଟି ଟଙ୍କା ବ୍ୟୟରେ ୬୯ଟି ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ବଲାଙ୍ଗୀରର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ, ଏବେ ବଲାଙ୍ଗୀର ଜିଲ୍ଲା ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ଜୋରଦାର ଉନ୍ନତି କରୁଛି। ହରିଶଙ୍କର ପୀଠ ସହ ଜିଲ୍ଲାର ମଠମନ୍ଦିରର ରୂପାନ୍ତର କାମ ଚାଲିଛି। ଏବେ କୃଷି କ୍ଷେତ୍ରରେ ଉନ୍ନତି ସହ ଜିଲ୍ଲାରେ ରୂପାନ୍ତରର ଏକ ନୂଆ ଯୁଗ ଆସିବ। ବଲାଙ୍ଗୀର ରାଜ୍ୟର ବିକାଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ସେ କହିଥିଲେ।
ବଲାଙ୍ଗୀରର ଜଳସେଚନ ଓ କୃଷି କ୍ଷେତ୍ରରେ ରୂପାନ୍ତର ହେବ: ମୁଖ୍ୟମନ୍ତ୍ରୀ
ବଲାଙ୍ଗୀର, ସୋନପୁରର ୨୦୩ଟି ଗାଁର ଏକ ଲକ୍ଷ ଏକର ଚାଷଜମି ଜଳସେଚିତ ହେବ
ଜଳସେଚନ ପାଇଁ କୌଣସି ବିସ୍ଥାପନ ହେବ ନାହିଁ
ସୂଚନାଯୋଗ୍ୟ ଯେ ୩୧ ମିଟର ଉଚ୍ଚତା ବିଶିଷ୍ଟ ଏହି ଲୋୟର ସୁକତେଲ ପ୍ରକଳ୍ପ ରାଜ୍ୟର ନବମ ସର୍ବବୃହତ୍ ବନ୍ଧ । ଏହାଦ୍ବାରା ବଲାଙ୍ଗୀର ଓ ସୋନପୁର ଦୁଇ ଜିଲ୍ଲାର ୨୦୩ଟି ଗାଁ ର ଏକ ଲକ୍ଷ ଏକର ଜମିକୁ ପାଣି ମାଡ଼ିବ ଏବଂ ଏଥିରେ ୮୦ ହଜାରରୁ ଅଧିକ ଚାଷୀ ଉପକାର ପାଇବେ । ଜିଲ୍ଲାର ୭୦ ହଜାରରୁ ଅଧିକ ଲୋକ ପିଇବା ପାଣି ସୁବିଧା ମଧ୍ୟ ପାଇବେ। ୨୦୧୯ ମସିହାରୁ ୫-ଟି ଉପକ୍ରମରେ ପ୍ରକଳ୍ପ ତ୍ବରାନ୍ବିତ କରାଯାଇ କାମ ସଂପୂର୍ଣ୍ଣ କରାଯାଇଛି । ଭୂତଳ ପାଇପ ଲାଇନ ଜରିଆରେ ଜଳସେଚନ କରାଯିବ, ଜଳସେଚନ ପାଇଁ କୌଣସି ବିସ୍ଥାପନ ହେବ ନାହିଁ ସୂଚନା ଦିଆଯାଇଛି।
ଜଳସଂପଦ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ ଲୋୟର ସୁକତେଲ ଆଜି ବଲାଙ୍ଗୀରବାସୀଙ୍କ ପାଇଁ ସୁଖର ସୁକତେଲରେ ପରିଣତ ହୋଇଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପାଟଣାଗଡ଼ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସରୋଜ ମେହେର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ, ବଲାଙ୍ଗୀର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଉନ୍ନୟନ କମିସନର ଅନୁ ଗର୍ଗ ସ୍ବାଗତ ଭାଷଣ ଏବଂ ଜିଲ୍ଲାପାଳ ଚଞ୍ଚଳ ରାଣା ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/fshfhfhfshfshfh.jpg)