କଲେଜରେ ଲାଗିବ ବାୟୋମେଟ୍ରିକ୍‌ ମେସିନ୍‌

ସରକାରୀ ଅଧ୍ୟାପକଙ୍କ ମନଇଚ୍ଛା ଯିବା ଆସିବା ବନ୍ଦ ହେବ

ପ୍ରତି ସରକାରୀ କଲେଜରେ ହେବ ଆଇସିଟି କ୍ଲାସ ରୁମ୍‌

ଭୁବନେଶ୍ୱର : ସରକାରୀ କଲେଜ ଅଧ୍ୟାପକଙ୍କ ଉପରେ ଲାଗିବ ଲଗାମ। ମନ ଇଚ୍ଛା ଆଉ କଲେଜ ଆସିପାରିବେନି କି ଯାଇପାରିବେନି। ଅଧ୍ୟାପକଙ୍କ ପ୍ରତିଟି କାର୍ଯ୍ୟକଳାପ ଉପରେ ରହିବ ନଜର। କ୍ୟାମ୍ପସକୁ ଆସିବା ଓ ଯିବା ସମୟ ବାୟୋମେଟ୍ରିକ୍‌ ମେସିନ୍‌ରେ ରହିବ। ପ୍ରତ୍ୟେକ ସରକାରୀ କଲେଜରେ ଦୁଇଟି ଲେଖାଏ ବାୟୋମାଟ୍ରିକ୍‌ ମେସିନ୍‌ ଲଗାଇବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ୨୦ ଲକ୍ଷ ଟଙ୍କାର ବଜେଟ ହୋଇଛି। ଏହାର ପରିଚାଳନା ଲାଗି ଏକ ସେଣ୍ଟ୍ରାଲ ସର୍ଭର ରହିବ। ଉଚ୍ଚଶିକ୍ଷା ନିର୍ଦେଶକଙ୍କ ଦ୍ୱାରା ଏହା ପରିଚାଳିତ ହେବା ସହ ରକ୍ଷଣାବେକ୍ଷଣ କରାଯିବ।

ସରକାରୀ କଲେଜଗୁଡ଼ିକର ଶିକ୍ଷାଦାନ ପ୍ରଣାଳୀରେ ଉନ୍ନତି ଆଣିବା ଲାଗି ମଧ୍ୟ ନିଷ୍ପତ୍ତି ହୋଇଛି। ପ୍ରତ୍ୟେକ ସରକାରୀ କଲେଜରେ ଗୋଟିଏ ଲେଖାଏ ଆଇସିଟି ସୁବିଧା ଥିବା କ୍ଲାସ୍‌ରୁମ୍‌ କରାଯିବ। ଓ୍ଵାଇଫାଇ ସୁବିଧା ସହ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସୁବିଧା ରହିବା ବାଧ୍ୟତାମୂଳକ। ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ସଦସ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟିରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇଟି ବିଭାଗ ମୁଖ୍ୟ, ଉଚ୍ଚଶିକ୍ଷା ନିର୍ଦେଶକ ସଦସ୍ୟ ରହିବେ। ଉକ୍ତ କମିଟି ଦ୍ୱାରା ଏଥିପାଇଁ ଆବଶ୍ୟକ ବୈଷୟିକ ବ୍ୟବସ୍ଥା କରାଯିବା ନେଇ ନିଷ୍ପତ୍ତିିି ହେବ। ଆଇସିଟି କ୍ଲାସରୁମ୍‌ ପ୍ରତିଷ୍ଠା ଲାଗି ୪ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବ ଉଚ୍ଚଶିକ୍ଷା ବିଭାଗ। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରିବ।

ଯୁକ୍ତ୩ କଲେଜଗୁଡ଼ିକରେ ଚଏସ୍‌ ବେସ୍‌ଡ କ୍ରେଡିଟ୍‌ ସିଷ୍ଟମ(ସିବିସିଏସ୍‌) ଲାଗୁ ହୋଇଥିବାରୁ ୫୦ଟି ସରକାରୀ କଲେଜ ଲାଗି ସିବିସିଏସ୍‌ ଅନୁଯାୟୀ ପାଠ୍ୟପୁସ୍ତକ କିଣିବା ଲାଗି ନିଷ୍ପତ୍ତି ହୋଇଛି। ୫୦୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ୨୬ଟି କଲେଜ ଲାଗି ୩ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ଏଥିସହ ୫୦୦ରୁ ଏକ ହଜାର ପର୍ଯ୍ୟନ୍ତ ପିଲା ଥିବା ୨୨ଟି କଲେଜ ଲାଗି ୪ ଲକ୍ଷ ଟଙ୍କା ଲେଖାଏ ଓ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ଥିବା ଦୁଇଟି କଲେଜ ପାଇଁ ୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବାକୁ ସ୍ଥିର ହୋଇଛି। ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ପୁସ୍ତକ ଚୟନ ନେଇ ନିଷ୍ପତ୍ତି ହେବ। ଏହି କମିଟିରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଜଣେ ପ୍ରତିନିଧି, ଉତ୍କଳ ବିଶ୍ୱବିଦ୍ୟାଳୟ ଲାଇବ୍ରେରି ଆଣ୍ଡ ଇନ୍‌ଫରମେସନ ସାଇନ୍ସ ବିଭାଗ ମୁଖ୍ୟ, ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ ସଦସ୍ୟ ରହିବେ। ସରକାରୀ କଲେଜ ଛାତ୍ରଛାତ୍ରୀଙ୍କ ପାଖରେ ଏଣିକି ଇ-ଜର୍ଣ୍ଣାଲ୍‌ ପହଞ୍ଚିବ। ଅନ୍‌-ଲାଇନ୍‌ ଡିଜିଟାଲ ଜର୍ଣ୍ଣାଲ ଲାଗି ୮୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ସିଷ୍ଟମ ଅନୁଯାୟୀ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ ଏଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।

୨୦୧୭-୧୮ ଶିକ୍ଷାବର୍ଷରେ ସରକାରୀ କଲେଜଗୁଡ଼ିକ ଭିତ୍ତିଭୂମି ବିକାଶ ଲାଗି ମୋଟ ୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହାଦ୍ୱାରା ଶିକ୍ଷାଦାନ ଢ଼ାଞ୍ଚାରେ ପରିବର୍ତନ ଆସିବ। ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ମିଳିପାରିବ ବୋଲି ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୨୦୧୮ ଏପ୍ରିଲ ୩୦ ତାରିଖ ସୁଦ୍ଧା ବ୍ୟୟବରାଦ ହୋଇଥିବା ଖର୍ଚ୍ଚର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର