ମତ୍ସଜୀବୀଙ୍କ ପାଇଁ ବାୟୋମେଟ୍ରିକ୍‌ କାର୍ଡ ବାଧ୍ୟତାମୂଳକ

କେନ୍ଦ୍ର ଅନୁଦାନ ଦେଲେ ସକ୍ରିୟ ହେବ ୧୩ ସାମୁଦ୍ରିକ ଥାନା

ଭୁବନେଶ୍ୱର : ସମୁଦ୍ରକୁ ମାଛ ଧରିବା ନିମନ୍ତେ ଯାଉଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଓ୍ଵାଟର୍‌ ପ୍ରୁଫ୍‌ ବାୟୋମେଟ୍ରିକ୍‌ ପରିଚୟପତ୍ର ଯୋଗାଇ ଦିଆଯିବ। ମାଛ ଧରିବାକୁ ଯିବା ବେଳେ ସେମାନେ ସାଙ୍ଗରେ ଏହି ପରିଚୟପତ୍ର ନେବା ବାଧ୍ୟତାମୂଳକ କରାଯିବ। ବାୟୋମେଟ୍ରିକ୍‌ କାର୍ଡ ନିମନ୍ତେ ୩,୪୬,୯୪୮ ଜଣ ମତ୍ସ୍ୟଜୀବୀଙ୍କୁ ଚିହ୍ନଟ କରାଯାଇଛି। ତାହା ମଧ୍ୟରୁ ୩,୪୫,୬୪୯ ମତ୍ସ୍ୟଜୀବୀମାନଙ୍କର ବାୟୋମେଟ୍ରିକ୍‌ ଫଟୋ ନିଆଯାଇଛି ଓ ଅବଶିଷ୍ଟ ଲୋକଙ୍କ ଫଟୋ ପରିଚୟପତ୍ର କାର୍ଯ୍ୟ ଚଳିତ ମାସ ସୁଦ୍ଧା ଶେଷ କରାଯିବ।

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ରାଜ୍ୟସ୍ତରୀୟ ତଟ ସୁରକ୍ଷା ସମନ୍ଵୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଓଡ଼ିଶାର ୪୮୭ କିମି ଉପକୂଳ ଅଞ୍ଚଳରେ ତଟ ସୁରକ୍ଷା ପାଇଁ ସାମୁଦ୍ରିକ ଥାନାକୁ ସକ୍ରିୟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱରର ବଳରାମଗଡ଼ି, ଭଦ୍ରକର ଧାମରା, କେନ୍ଦ୍ରାପଡ଼ାର ଜମ୍ବୁ, ଜଗତସିଂହପୁରର ପାରାଦୀପ ଓ ଗଞ୍ଜାମର ଆର୍ଯ୍ୟପଲ୍ଲୀରେ ନିର୍ମାଣ ହୋଇଥିବା ୫ଟି ସାମୁଦ୍ରିକ ଥାନା ପୂର୍ଣ୍ଣ କାର୍ଯ୍ୟକ୍ଷମ ଅଛି। ଦ୍ୱିତୀୟ ପର୍ଯ୍ୟାୟରେ ବାଲେଶ୍ୱରର ତଳସାରି ଓ କସାଫଳ, ଭଦ୍ରକର ଚୂଡ଼ାମଣି ଓ କଷିଆ, କେନ୍ଦ୍ରାପଡ଼ାର ତାଳଚୁଆ ଓ ଜଟାଧାରୀ ମୁହାଣ, ପୁରୀର ଅସ୍ତରଙ୍ଗ, ଚନ୍ଦ୍ରଭାଗା, ପେଣ୍ଠକଟା ଓ ଅରଖକୁଦ, ସୋନପୁରର ବରହମ୍‌ପୁରରେ ୧୩ଟି ଥାନା ପ୍ରତିଷ୍ଠା କରାଯାଇଛି। ଏହିସବୁ ଥାନାକୁ ଫାଷ୍ଟ୍‍ ଇଣ୍ଟର୍‌ସେପ୍ଟର୍‌ ବୋଟ୍‌ ଯୋଗାଇବା, ଜେଟି ନିର୍ମାଣ ପାଇଁ ଆବଶ୍ୟକ ପାଣ୍ଠି ଯୋଗାଇବା ଏବଂ ସମୁଦ୍ରରେ ପାଟ୍ରୋଲିଂ ପାଇଁ ବୋଟ୍‌ ନିମନ୍ତେ ଆବଶ୍ୟକ ପରିମାଣର ଡିଜେଲ୍‌ ଯୋଗାଇବାକୁ ଭାରତ ସରକାରଙ୍କୁ ଅନୁରୋଧ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା।

ଉପକୂଳ ଅଞ୍ଚଳରେ ଅନୁପ୍ରବେଶକାରୀଙ୍କ ଉପରେ ସତର୍କ ଦୃଷ୍ଟି ରଖିବା ଓ ମତ୍ସ୍ୟଜୀବୀ ଗ୍ରାମଗୁଡ଼ିକରେ ବିଦେଶୀମାନଙ୍କ କାରବାର ଓ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ଏଥି ନିମନ୍ତେ ସାମୁଦ୍ରିକ ପୁଲିସ୍‌, ରାଜସ୍ୱ ଅଧିକାରୀ, ସ୍ପେସାଲ୍‌ ବ୍ରାଞ୍ଚ, ଗୁଇନ୍ଦା ବ୍ୟୁରୋ ଆଦି ସଂସ୍ଥା ମଧ୍ୟରେ ସମନ୍ଵୟ ରଖାଯାଇ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ନାଭାଲ୍‌ କୋଷ୍ଟ ଗାର୍ଡଙ୍କ ଦ୍ୱାରା ଓଡ଼ିଶା ପୁଲିସ୍‌ର ଅଧିକାରୀମାନଙ୍କୁ ସାମୁଦ୍ରିକ ପାଟ୍ରୋଲିଂ ବିଷୟରେ ଦିଆଯାଉଥିବା ତାଲିମ୍‌କୁ ଅଧିକ ଗୁଣାତ୍ମକ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ପୁଲିସ୍‌ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମେତ ନୌସେନା ଓ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର