କଟକ ବଡ଼ ଡାକ୍ତରଖାନାରେ ଭିନ୍ନ ନିୟମ : ୮ ବର୍ଷ ହେଲା ବାୟୋମେଟ୍ରିକ୍‌ ଅଚଳ, ଡାକ୍ତର ଓ କର୍ମଚାରୀଙ୍କ ପାଇଁ ରହିଛି ଖାତାକଲମ ବ୍ୟବସ୍ଥା

କଟକ : ସରକାରୀ ଅଫିସରେ, କଲେଜରେ ସରକାର ବ‌ାୟୋମେଟ୍ରିକ ବ୍ୟବସ୍ଥା ବାଧ୍ୟତାମୂଳକ କରିଛନ୍ତି। ଅଧିକାରୀ, କର୍ମଚାରୀ ଓ ଅଧ୍ୟାପକମାନେ ଅନୁଷ୍ଠାନ ବା ଅଫିସକୁ ଯିବା ଆସିବା ସମୟରେ ଆଙ୍ଗୁଠି ଚିହ୍ନ ଦେବା ବ୍ୟବସ୍ଥା କରାଯାଇଛି। କିନ୍ତୁ କଟକ ବଡ ମେଡିକାଲରେ ଡାକ୍ତର ଓ କର୍ମଚାରୀଙ୍କ ପାଇଁ କାହିଁକି ବାୟୋମେଟ୍ରିକ୍‌ ବ୍ୟବସ୍ଥା କରାଯାଉ ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠୁଛି। ସେମାନଙ୍କ ପାଇଁ ଏବେ ବି ରହିଛି ଖାତାକଲମ ବ୍ୟବସ୍ଥା। ୨୦୧୧ ମସିହାରେ କଟକ ବଡଡାକ୍ତରଖାନାରେ ବାୟୋମେଟ୍ରିକ୍‌ ବ୍ୟବସ୍ଥା ପ୍ରଚଳନ ପାଇଁ ବ୍ୟବସ୍ଥା କରାଯାଇଥିଲେ ବି ତାହା ୮ ବର୍ଷ ହେଲା ଅଚଳ ‌ହୋଇ ପଡ଼ିଥିବା କୁହାଯାଉଛି। କେତେକ ସ୍ଥାନରେ ବାୟୋମେଟ୍ରିକ୍‌ ମେସିନ ତ ଆଉ କିଛି ସ୍ଥ‌ାନରେ ବାୟୋମେଟ୍ରିକ୍‌ ପାଇଁ ତିଆରି ହୋଇଥିବା ବାକ୍ସ ପଡି ରହି ଖତ ଖାଉଛି। ବ୍ୟବସ୍ଥା ଆରମ୍ଭ ହୋଇ ବନ୍ଦ ହୋଇଯାଇଥିବାବେଳେ ଏବେ ମୋ ସରକାର, ୫-ଟି ଯୋଜନାରେ ପୁଣି ବାୟୋମେଟ୍ରିକ୍‌ ବ୍ୟବସ୍ଥା ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଅବଶ୍ୟ ଜଣେ ବରିଷ୍ଠ ପଦାଧିକାରୀ ସୂଚନା ଦେଇଛନ୍ତି।

କଟକ ବଡ ଡାକ୍ତରଖାନାରେ ସବୁବେଳେ ମନ୍ତ୍ରୀ, ସଚିବ ବଦଳିଲେ ବଦଳିଯାଏ ନିୟମ। ନିୟମ କରାଯିବା ଏବଂ ପୁଣି ତାକୁ ଭାଙ୍ଗାଯିବା ଏସ୍‌ସିବିରେ କିଛି ନୂଆ କଥା ନୁହେଁ। ସ୍ବାସ୍ଥ୍ୟ ସଚିବ ଅନୁ ଗର୍ଗଙ୍କ ସମୟରେ ଏସ୍‌ସିବିରେ ଆରମ୍ଭ ହୋଇଥିଲା ବାୟୋମେଟ୍ରିକ୍‌ ବ୍ୟବସ୍ଥ‌ା। ପ୍ରଶାସନିକ ଅଧିକାରୀ ସଂଜିତା ଦ‌ାସଙ୍କ ସମୟରେ ୨୦୧୧ ଡିସେମ୍ବରରେ କାର୍ଯ୍ୟକାରୀ ହୋଇଥିଲା ଏହି ବ୍ୟବସ୍ଥା। ପ୍ରତି ବିଭାଗ ସମ୍ମୁଖରେ ଲାଗିଥିଲା ବାୟୋମେଟ୍ରିକ୍‌ ମେସିନ। ଡାକ୍ତର କେତେବେଳେ ଆସିଲେ, ତାର ଉପସ୍ଥାନ ରେକର୍ଡ କରାଯାଉଥିଲା। କିନ୍ତୁ ଏହି ବ୍ୟବସ୍ଥା କିଛି ଦିନ ଧରି ବେଶ୍‌ ଭଲରେ ଚାଲିବା ପରେ ବଦଳିଗଲେ ସଚିବ। ସଚିବଙ୍କ ବଦଳି ପରେ ବନ୍ଦ ହୋଇଗଲା ବାୟୋମେଟ୍ରିକ୍‌ ବ୍ୟବସ୍ଥା। ଏବେ ଦୀର୍ଘ ୮ବର୍ଷ ହେଲା ଏହି ବ୍ୟବସ୍ଥା ବନ୍ଦ ହୋଇଯିବା ସହ ଖାତାରେ ନିଜର ଉପସ୍ଥାନ ଦେଉଛନ୍ତି ଡାକ୍ତର, କର୍ମଚାରୀ। କିନ୍ତୁ ବଡ ଡାକ୍ତରଖାନାରେ ଠିକାସଂସ୍ଥା ଜରିଆରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ରହିଛି ବାୟୋମେଟ୍ରିକ୍‌ ବ୍ୟବସ୍ଥା। ସରକାର କାର୍ଯ୍ୟକ୍ଷେତ୍ରରେ ସ୍ବଚ୍ଛତା ଆଣିବା ପାଇଁ ମୋ ସରକାର, ୫-ଟି ଯୋଜନା ଲାଗୁ କରିଥିବା ବେଳେ କଟକ ବଡଡାକ୍ତରଖାନାରେ କାହିଁକି ବାୟୋମେଟ୍ରିକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠୁଛି। କାଜୁଆଲିଟି, ଓପିଡି ହେଉ କି ୱାର୍ଡ, ସବୁଠି ଡାକ୍ତର ଠିକ୍‌ ସମୟରେ ଆସୁନଥିବା ଅଭିଯୋଗ ବେଶ୍‌ ପୁରୁଣା। ବିଶେଷଜ୍ଞଙ୍କ ସ୍ଥାନରେ ପିଜି ଛାତ୍ରଛାତ୍ରୀ ଯୋଗାଇଥାନ୍ତି ରୋଗୀ ସେବା। ତେଣୁ ବାୟୋମେଟ୍ରିକ ବ୍ୟବସ୍ଥା ଏଥିରେ କିଛିଟା ସୁଧାର ଆଣି ପାରିବ ବୋଲି ଆଶା କରାଯାଉଛି। ତେବେ ଏସ୍‌ସିବିରେ ଖୁବ୍‌ଶୀଘ୍ର ନୂତନ ବାୟୋମେଟ୍ରିକ୍‌ ବ୍ୟବସ୍ଥା ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର