ଡାକ୍ତର ଓ କର୍ମଚାରୀଙ୍କ ପାଇଁ ଲାଗିବ ବାୟୋମେଟ୍ରିକ୍

୭ ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା, ‘ଉତ୍କର୍ଷ କେନ୍ଦ୍ର’ରେ ପରିଣତ ହେବ ସୁପର ସ୍ପେସାଲିଷ୍ଟ ବିଭାଗ

ଭୁବନେଶ୍ବର : ମେଡିକାଲ କଲେଜରେ ଅଧିକାଂଶ ସମୟରେ ଡାକ୍ତର ଓ ଅନ୍ୟ କର୍ମଚାରୀ ଅନୁପସ୍ଥିତ ରହୁଥିବା ଅଭିଯୋଗ ହେଉଛି। ଯାହାଫଳରେ ରୋଗୀସେବାରେ ବିଭ୍ରାଟ ହେଉଛି। ଏହାର ସମାଧାନ ଲାଗି ସରକାର ବାୟୋମେଟ୍ରିକ୍ ଯନ୍ତ୍ର ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। କେବଳ ବାୟୋମେଟ୍ରିକ୍ ଲଗାଇଦେଲେ ହେବ ନାହିଁ, ନିୟମିତ ବ୍ୟବଧାନରେ ଏହାକୁ ଯାଞ୍ଚ କରି ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।

ଆଜି ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ସମ୍ମିଳନୀ କକ୍ଷରେ ରାଜ୍ୟର ୭ଟି ମେଡିକାଲ କଲେଜର ଅଧ୍ୟକ୍ଷ ଓ ଅଧୀକ୍ଷକଙ୍କ ସହିତ ସ୍ବାସ୍ଥ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଏଥିରେ ମେଡିକାଲ କଲେଜଗୁଡ଼ିକରେ ରୋଗୀସେବାକୁ ସୁବ୍ୟବସ୍ଥିତ କରିବା ସହିତ ଯୋଗାଇ ଦିଆଯାଇଥିବା ଯନ୍ତ୍ରପାତିଗୁଡ଼ିକର ଅଧିକରୁ ଅଧିକ ସଦୁପଯୋଗ ପାଇଁ କୁହାଯାଇଛି। ବିଶେଷକରି ସୁପର ସ୍ପେସାଲିଷ୍ଟ ବିଭାଗଗୁଡ଼ିକୁ ‘ଉତ୍କର୍ଷ କେନ୍ଦ୍ର’ରେ ପରିଣତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ରି ହାର୍ଟ, କିଡ୍‌ନି ଓ ଯକୃତ ଭଳି ବିଭାଗଗୁଡ଼ିକୁ ଏ କ୍ଷେତ୍ରରେ ଅଗ୍ରାଧିକାର ଦେବା ଲାଗି ନିର୍ଦେଶ ଦିଆଯାଇଛି। ମେଡିକାଲ କଲେଜଗୁଡ଼ିକୁ ଯୋଗାଇ ଦିଆଯାଉଥିବା ଅତ୍ୟାଧୁନିକ ଯନ୍ତ୍ରପାତିଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରତ୍ୟେକ ମେଡିକାଲ କଲେଜରେ ଥିବା ସମସ୍ତ ପ୍ରକାର ଯନ୍ତ୍ରପାତିର ଯେଭଳି ଉପଯୁକ୍ତ ରକ୍ଷଣାବେକ୍ଷଣ ହେବ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ମେଡିକାଲ କଲେଜଗୁଡ଼ିକରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଭିତ୍ତିଭୂମିର ବିକାଶ ଲାଗି ନିର୍ଦେଶ ଦିଆଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍‌କେୱାଇ ଓ ରାଜ୍ୟ ଚିକିତ୍ସା ପାଣ୍ଠି ବା ଓଏସ୍‌ଟିଏଫ୍ ଜରିଆରେ ରୋଗୀମାନେ ଯେପରି ଠିକଣା ସେବା ପାଇପାରିବେ ଓ ଆବଶ୍ୟକ ସ୍ଥଳେ ଅନ୍ୟ ଚିକିତ୍ସାଳୟକୁ ରୋଗୀଙ୍କୁ ରେଫର କରାଯିବାରେ ଯେପରି କୌଣସି ସମସ୍ୟା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ରାଜ୍ୟ ସରକାର ମେଡିକାଲ କଲେଜଗୁଡ଼ିକୁ ଯୋଗାଇ ଦେଉଥିବା ପାଣ୍ଠିର ଯେପରି ଠିକଣା ଭାବେ ବିନିଯୋଗ ହେବ ସେଥିପାଇଁ ପଦପେକ୍ଷ ଗ୍ରହଣ କରାଯିବ। ମେଡିକାଲ କଲେଜଗୁଡ଼ିକର ଆର୍ଥିକ ପରିଚାଳନା ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରିବା ଉପରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦିଆଯାଇଛି।

ଏହି ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶକ ଅର୍ଚ୍ଚନା ପଟ୍ଟନାୟକ, ବିଭାଗର ଯୁଗ୍ମ ସଚିବ ଯାମିନୀ ଷଡ଼ଙ୍ଗୀ, ଡିଏମ୍‌ଇଟି ଡା.ସୋନାମାଲି ବାଗଙ୍କ ସମେତ ୭ଟି ମେଡିକାଲ କଲେଜର ଅଧ୍ୟକ୍ଷ, ଅଧୀକ୍ଷକ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର