ବ୍ୟାସନଗର : ବ୍ୟାସନଗର ପୌରାଞ୍ଚଳରେ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୌର କର୍ତ୍ତୃପକ୍ଷ ତଥା ଗୃହ ନିର୍ମାଣ ବିଭାଗ ଓ ନଗର ଉନ୍ନୟନ ବିଭାଗର ନିର୍ଦେଶକୁ ଏହି ପୌରାଞ୍ଚଳରେ ଥିବା କିଛି ଠିକାସଂସ୍ଥା ଗୁରୁତ୍ବ ଦେଉନାହାନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ମଧ୍ୟ ଏଠାରେ ଅଣଦେଖା କରାଯାଉଛି। ପୌରାଞ୍ଚଳର ହୁଡ଼ିସାହିରେ ଥିବା ବାୟୋ ମାଇନିଂ ପାର୍କରେ ଏପରି ଅଭିଯୋଗ ହୋଇଛି। ହୁଡ଼ିସାହିରେ ଥିବା ବାୟୋ ମାଇନିଂ ପାର୍କକୁ ଗତ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସ୍‌ରେ ଲୋକାର୍ପଣ କରିଥିଲେ। ହେଲେ ଏହାର ନିର୍ମାଣ ଦାୟିତ୍ବରେ ଥିବା ଠିକାସଂସ୍ଥା ଏହାକୁ ତାଲା ପକାଇ ରଖିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଡିସେମ୍ବର ୧୫ ତାରିଖରେ ଜିଲ୍ଲାରେ ଶତାଧିକ ପ୍ରକଳ୍ପର ଲୋକାର୍ପଣ କରିଥିବା ବେଳେ ବ୍ୟାସନଗର ସହରରେ ମଧ୍ୟ କେତେକ ପ୍ରକଳ୍ପର ଲୋକାର୍ପଣ କରିଥିଲେ। ଏନେଇ ଗଣମାଧ୍ୟମରେ ମଧ୍ୟ ସୂଚନା ଦିଆଯାଇଥିଲା। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୨.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବାୟୋ ମାଇନିଂ ପାର୍କ ପ୍ରକଳ୍ପକୁ ନେଇ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା। ଦୀର୍ଘଦିନ ହେଲା ନିର୍ମାଣ ଚାଲିଥିବା ଏହି ପ୍ରକଳ୍ପର ମନ୍ଥରତାକୁ ନେଇ ପୂର୍ବରୁ ମଧ୍ୟ ଖବର ପ୍ରକାଶ ପାଇଥିଲା। ହେଲେ ଏହାକୁ ତୁରନ୍ତ ଲୋକାର୍ପଣ କରାଯିବ ବୋଲି ପୌର କର୍ତ୍ତୃପକ୍ଷ କହି ଆସୁଥିଲେ। ଏବେ ଲୋକାର୍ପଣ ପରେ ମଧ୍ୟ ଫାଟକରେ ତାଲା ପଡ଼ିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏହାର ଲୋକାର୍ପଣ ସମୟରେ ଫାଟକରେ ବେଲୁନ ସଜା ଓ ଫଳକ ଉନ୍ମୋଚନ ହୋଇଥିଲା। ଏତେସବୁ କାର୍ଯ୍ୟକ୍ରମ ପରେ ମଧ୍ୟ ପାର୍କ ନଖୋଲିବାରୁ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

publive-image

ଦାୟିତ୍ବରେ ଥିବା ଠିକାସଂସ୍ଥାର କର୍ମଚାରୀ ଏହା ସମ୍ପୂର୍ଣ୍ଣ ହୋଇନାହିଁ କହୁଛନ୍ତି। ସମ୍ପୂର୍ଣ୍ଣ ହୋଇନଥିବା ଏକ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କିପରି ଲୋକାର୍ପଣ କରାଗଲା ବୋଲି ମଧ୍ୟ ଲୋକମାନେ ପ୍ରଶ୍ନ କରୁଛନ୍ତି। ଗତ କିଛିଦିନ ଧରି ପ୍ରତି ସନ୍ଧ୍ୟାରେ ଏହି ପାର୍କ ବୁଲିବାକୁ ଲୋକମାନେ ଆସୁଛନ୍ତି। ହେଲେ ସେମାନଙ୍କୁ ନିରାଶ ହେବାକୁ ପଡ଼ୁଛି। ସେହିପରି ପ୍ରାୟ ଅଢ଼େଇ କୋଟି ଟଙ୍କାର ଏହି ପ୍ରକଳ୍ପ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଏହାର ଚାରିପଟେ ଥିବା ପାଚେରିରେ ରଙ୍ଗ ଓ ବିଭିନ୍ନ ଚିତ୍ର ଫିକା ପଡ଼ିଗଲାଣି। ପାର୍କ ମଧ୍ୟରେ ପିଲାଙ୍କ ପାଇଁ କେତୋଟି ଜିମନାଷ୍ଟ ସାମଗ୍ରୀ ଓ କେତେଗୁଡ଼ିଏ ଚେୟାର ନିର୍ମାଣ କରାଯାଇଛି। ଏଥିରେ କଳଙ୍କି ଲାଗିଲାଣି। ପାର୍କ ମଧ୍ୟରେ ପୂର୍ବରୁ ଓ ପରେ ଚିତ୍ର ସମ୍ବଳିତ ସୂଚନା ଫଳକରେ କେବଳ ପୂର୍ବରୁ ଥିବା ଅଳିଆ ଗଦାର ଫଟୋ ରହିଛି। ପରେ ସ୍ଥାନରେ କୌଣସି ଚିତ୍ରପଟ୍ଟ ଲାଗିନାହିଁ। ପାର୍କ ପଡ଼ିଆ ମଧ୍ୟରେ ଥିବା ଖାଲୁଆ ଜମିରେ ମାଟିମୁଠେ ପଡ଼ିନାହିଁ। ଫଳରେ ଏହା ମଧ୍ୟରେ ନିର୍ମାଣ କରାଯାଇଥିବା ଅଧିକାଂଶ ପାଦଚଲା ରାସ୍ତା ବ‌ର୍ଷାଦିନରେ ପାଣିରେ ବୁଡ଼ିରହୁଛି। ଏନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଥିବା ବେଳେ ପୌର କର୍ତ୍ତୃପକ୍ଷ ଉଦାସୀନତା ଅବଲମ୍ବନ କରୁଛନ୍ତି।

ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କୁ ପଚାରିବାରୁ, ବାୟୋ ମାଇନିଂ ପାର୍କକୁ ଗତ ୧୫ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସରେ ଲୋକାର୍ପଣ କରିଥିବା କହିବା ସହ ଫାଟକରେ ତାଲା ପଡ଼ିଥିବା ସମ୍ପର୍କରେ ସେ ଜାଣିନାହାନ୍ତି ବୋଲି ପ୍ରକାଶ କରିଥିଲେ। ଦାୟିତ୍ଵରେ ଥିବା ଅଧିକାରୀଙ୍କ ସହ ଏସମ୍ପର୍କରେ ଆଲୋଚନା କରି ଆସନ୍ତାକାଲି ଠାରୁ ଫାଟକରୁ ତାଲା ଖୋଲି ଦିଆଯିବ ବୋଲି ଦୃଢ଼ୋକ୍ତି କରିଥିଲେ। ସେହିପରି ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ବିଜୟ କେତନ ମହାପାତ୍ରଙ୍କୁ ପଚାରିବାରୁ ଏହାର ଲୋକାର୍ପଣ ହୋଇଯାଇଛି। ହେଲେ ମେଣ୍ଟେନାନ୍ସ ଚାଲିଥିବାରୁ ଫାଟକରୁ ତାଲା ଖୋଲାଯାଇନାହିଁ। ଆସନ୍ତାକାଲି ଠାରୁ ତାଲା ଖୋଲି ଦିଆଯିବ ବୋଲି କନିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି।