ବିପ୍ଳବୀ ଚକ୍ରଧରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଦାବି

ଭୁବନେଶ୍ବର : କନିକାର ଅବିସମ୍ବାଦିତ ପ୍ରଜାନେତା ତଥା ଓଡ଼ିଶାର ଗାନ୍ଧୀବାଦୀ ପ୍ରବୀଣ ରାଜନେତା ବିପ୍ଳବୀ ଚକ୍ରଧର ବେହେରାଙ୍କର ପୁଣ୍ୟ ଜୟନ୍ତୀ ଜୁଲାଇ ୧୬ ତାରିଖକୁ ରାଜ୍ୟ ସରକାର ଚଳିତ ବର୍ଷଠାରୁ ତାଙ୍କର ସୂଚନା- ଲୋକସ˚ପର୍କ କିମ୍ବା ସ˚ସ୍କୃତି ବିଭାଗ ଆନୁକୂଲ୍ୟରେ ରାଜଧାନୀ ଭୁବନେଶ୍ବର ସହ ଭଦ୍ରକରେ ପାଳନ କରିବା ଲାଗି ଚାନ୍ଦବାଲି- ଭଦ୍ରକ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଦାବି ଜଣାଇଛନ୍ତି। ‘ସମ୍ବାଦ’କୁ ଦେଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତିରେ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ତାଙ୍କ ସହ ଭଦ୍ରକ ଜିଲ୍ଲାର ପୂର୍ବତନ ଓ ଏବର ସମସ୍ତ ବିଧାୟକ, ରାଜ୍ୟ ସ˚ସ୍କୃତି ବିଭାଗର ଶାସନ ସଚିବ, ନିର୍ଦ୍ଦେଶକ ଏବ˚ ଅନ୍ୟାନ୍ୟ ଅଧିକାରୀମାନଙ୍କୁ, ବିଳମ୍ବରେ ହେଲେ ମଧ୍ୟ ରାଜଧାନୀ ଭୁବନେଶ୍ବରର ରାଜଭବନ ଛକ ନିକଟରେ ବିପ୍ଳବୀ ଚକ୍ରଧରଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଇଥିବାରୁ କୃତଜ୍ଞତା ଜଣାଇବା ସହ ଏହି ଜନନେତାଙ୍କ ସ୍ମୃତି ଓ କୀର୍ତ୍ତିରାଜିକୁ ବଞ୍ଚେଇ ରଖିବା ଲାଗି ଛାତ୍ରଛାତ୍ରୀମାନଙ୍କ ଭିତରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବିପ୍ଳବୀ ଚକ୍ରଧର ବେହେରା ଅଧୁନା ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଆଙ୍କପଡ଼ା ଗ୍ରାମରେ ୧୮୯୪ ମସିହା ଜୁଲାଇ ୧୬ ତାରିଖରେ ଜନ୍ମ ନେଇଥିଲେ ଏବ˚ ୧୯୭୩ ମସିହା ଜାନୁଆରି ୧ ତାରିଖରେ ହଳଦିଆଠାରେ ତାଙ୍କର ପରଲୋକ ହୋଇଥିଲା। ତାଙ୍କର ଜୀବନ ସ˚ଗ୍ରାମ ରୋମାଞ୍ଚକର ତଥା ବିସ୍ମୟକର ଥିଲା। ସେ କନିକା ପ୍ରଜା ଆନ୍ଦୋଳନର ନେତୃତ୍ବ ନେବା ସହ ଏହି ଅଞ୍ଚଳ ଚାଷୀମାନଙ୍କ ସମସ୍ୟାକୁ ଉତ୍କଳମଣି ଗୋପବନ୍ଧୁ ଦାସ, ମହାତ୍ମା ଗାନ୍ଧୀ ଏବ˚ ହରେକୃଷ୍ଣ ମହତାବଙ୍କ ଦୃଷ୍ଟିକୁ ଆଣିଥିଲେ। ସେ ଏକାଧିକବାର ଚାନ୍ଦବାଲି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କନିକାର ରାଜଶାସନ ଓ ବ୍ରିଟିଶ ଶାସନ ବିରୋଧରେ ସ˚ଗ୍ରାମ କରି ସେ ବହୁବାର କାରାବରଣ କରିଥିଲେ। ସେ କେବଳ ଜନନେତା ନୁହେଁ, ଜଣେ ସମାଜ ସ˚ସ୍କାରକ, ସାମ୍ବାଦିକ ଏବ˚ ସାରସ୍ବତ ସାଧକ ଥିଲେ। ଏଭଳି ଜଣେ ପ୍ରବାଦ ପୁରୁଷଙ୍କ ସ୍ମୃତିରକ୍ଷା ନିମନ୍ତେ ରାଜ୍ୟ ସରକାର ଚଳିତ ବର୍ଷଠାରୁ ଯଥାଯଥ ପଦକ୍ଷେପ ଗ୍ରହଣ କରିବେ ବୋଲି ଚକ୍ରଧର ସ୍ମୃତି ସମିତି ପକ୍ଷରୁ ଶାନ୍ତିଲତା ନାଗ, ନରହରି ସେଠୀ, ଧୀରେନ୍ଦ୍ର ବେହେରା ଏବ˚ ଗୌରହରି ଦାସ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର