ବିଦାୟ ନେଲେ ବିପ୍ଳବୀ କବି ରବି ସିଂ : ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ

କଟକ : ବିଶି‌ଷ୍ଟ ସ୍ବାଧୀନତା ସଂଗ୍ରାମୀ, ପ୍ରବୀଣ ସାମ୍ବାଦିକ, ବିପ୍ଲବୀ କବି ରବି ସିଂ ଆଉ ନାହାନ୍ତି। ରବିବାର ଭୋର ୪ଟା‌ରେ ଖପୁରିଆ ଲେବର କଲୋନି ବାସଭବନରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୮୯ବ‌ର୍ଷ ହୋଇଥିଲା। ରବି ସିଂ ୧୯୬୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଏବଂ ୨୦୧୭ରେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଲାଭ କରିଥିଲେ। ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଇଚ୍ଛା ଅନୁଯାୟୀ କଟକର ସତୀଚଉରାଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ରବି ସିଂ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ। ଗତ ଜାନୁଆରି ୫ରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଚିକିତ୍ସିତ ଅବସ୍ଥାରେ ଦୁଇଦିନ ରହିଥିଲେ। ଏହାପରେ ପୁଣିଥରେ ଗତ ଜାନୁଆରି ୭ ତାରିଖ ଦିନ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ୧୯ ତାରିଖ ପର୍ଯ୍ୟନ୍ତ ଚିକିତ୍ସିତ ହେବା ପରେ ଖପୁରିଆସ୍ଥିତ ଘରକୁ ଫେରିଥିଲେ। ଆଜି ସକାଳେ ହଠାତ୍‌ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଶେଷ ଶଯ୍ୟା ନିକଟରେ ପୁଅ ପିନାକୀ ସିଂ, ଚନ୍ଦ୍ରଜିତ ସିଂ, ଝିଅ ମନୀଷା ସିଂ, ବୋହୂ ସ୍ନେହଲତା ସିଂ, ସସ୍ମିତା ସିଂ, ନାତି ପୂର୍ଣ୍ଣେନ୍ଦୁ ସ୍ବାଇଁ, ନାତୁଣୀ ଶୁଭସ୍ମିତା ସିଂ, ସୁଚିସ୍ମିତା ସିଂଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

ପରଲୋକ ଖବର ପାଇ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ, ସଂସ୍କୃତି କମିସନର-ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଓଡ଼ିଆ ଭାଷା ସାହିତ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ସୁଚିସ୍ମିତା ମନ୍ତ୍ରୀ, ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ, ବରିଷ୍ଠ ସାମ୍ବାଦିକ ରବି ଦାସ, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ଅଧ୍ୟାପକ ଗୌରହରି ମହାନ୍ତି, ସିପିଏମ୍ ନେତା ଜନାର୍ଦ୍ଦନ ପତି, କେନ୍ଦ୍ର ସାହିତ୍ୟ ଏକାଡେମି ସଦସ୍ୟ କବି ଅମରେଶ ପଟ୍ଟନାୟକ, ଉତ୍କଳ ସାହିତ୍ୟ ସମାଜ ଉପ-ସଭାପତି ସଞ୍ଜିତ କୁମାର ପଟ୍ଟନାୟକ, ସରୋଜିନୀ ମିଶ୍ର ପଣ୍ଡା, ସାହିତ୍ୟିକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, କବି ଶୈଳଜ ରବି, ବିନ୍ଦୁସାଗର ଓଝା, ଅଜୟ ରାଉତ, ଅମୀୟ ପାଣ୍ଡବ, ନିରାକାର ଦାସ ପ୍ରମୁଖ ତାଙ୍କ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ମରଶରୀରକୁ ଶୋଭାଯାତ୍ରା ନିଆଯାଇ ସତୀଚଉରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯାଦା ସହ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ବଡ଼ ପୁଅ ପିନାକୀ ସିଂ ମୁଖାଗ୍ନି ଦେଇଥିଲେ।

ସ୍ବର୍ଗତ ସିଂ ୧୯୩୧ ଜାନୁଆରି ୨୭ତାରିଖରେ ଜଗତସିଂହପୁର ଜିଲ୍ଲା ନବାପାଟଣା ସିଂହାରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ରାମଚନ୍ଦ୍ର ସିଂହ ଓ ମା ଶାରଦା ଦେବୀ ଥିଲେ ସ୍ବାଧୀନତା ସଂଗ୍ରାମୀ। କବି ସିଂଙ୍କର କୌଣସି ଆନୁଷ୍ଠାନିକ ଶିକ୍ଷାଗତ ଯୋଗ୍ୟତା ନ ଥିଲେ ମଧ୍ୟ ସ୍ବକୀୟ ସାଧନା ବଳରେ ଅନେକ ଭାଷାରେ ସେ ଦକ୍ଷତା ଅର୍ଜନ କରିଥିଲେ। ୧୯୫୫ରେ ସାରସ୍ବତ ସାଧନା ଆରମ୍ଭ କରିଥିବା କବି ସିଂ ବିବାହ ପୂର୍ବରୁ ଏକମାତ୍ର କବିତା ସଂକଳନ ‘ଚରମପତ୍ର’ ରଚନା କରିଥିଲେ। ପତ୍ନୀ ସ୍ବର୍ଗତ ବକୁଳ ସିଂଙ୍କ ପ୍ରେରଣା ଓ ପ୍ରୋତ୍ସାହନରେ କବି ସିଂହ ୫୦ରୁ ଅଧିକ ପୁସ୍ତକ ରଚନା କରିଥିଲେ। ତାଙ୍କ ପୁସ୍ତକ ମଧ୍ୟରେ କବିତା ସଂକଳନ ଲାଲ୍‌ ପାଗୋଡାର ପ୍ରେତ, ଖସାଅ ମୁକୁଟ, ପୃଥିବୀ ଟଳମଳ, ବାଟୋଇ, ଦୁର୍ଗମ ଗିରି, ଝଡ଼ ଗାନ୍ଧାର, ଫୁଙ୍ଗୁଳା ଫର୍ଦ୍ଦ, ପଥଭୁଲା ରାଜହଂସ, ପଥପ୍ରାନ୍ତର କବିତା, ଶିଥିଳ ବଳଗ, ଭ୍ରୂକୁଟୀ, ବିଦୀର୍ଣ୍ଣ, ଅପ୍ରୀତିକର କବିତା ଆଦି ଅନ୍ୟତମ। ଏହାଛଡ଼ା ସେ ଅନେକ ପ୍ରବନ୍ଧ ସଂକଳନ ମଧ୍ୟ ରଚନା କରିଛନ୍ତି। ତାଙ୍କ ଆତ୍ମଜୀବନୀ ‘ନିସଙ୍ଗ ପଦାତିକ’ ତିନି ଖଣ୍ଡରେ ପ୍ରକାଶ ପାଇଥିଲା। କବିତା ସଂକଳନ ‘ଚରମ ପତ୍ର’ ପାଇଁ ସେ ୧୯୬୧ରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ। ଏହାବ୍ୟତୀତ ୨୦୧୭ରେ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ୧୯୮୯ରେ ଝଙ୍କାର ପୁରସ୍କାର, ସାହିତ୍ୟ ଭାରତୀ ସମ୍ମାନ, ୧୯୯୬ରେ ଉତ୍କଳ ସାହିତ୍ୟ ସମାଜ ସମ୍ମାନ, ସୋଭିଏତ୍‌ ଦେଶ ନେହରୁ ସମ୍ମାନ, ବିପ୍ଲବୀ ଧରଣୀଧର ଭୂୟାଁ ସମ୍ମାନ, ସାରଳା ପୁରସ୍କାର, କବି ଅନନ୍ତ ପଟ୍ଟନାୟକ ସମ୍ମାନ ଆଦି ବହୁ ସମ୍ମାନ ଲାଭ କରିଥିଲେ।

ସାହିତ୍ୟ ସହିତ କବି ସିଂଙ୍କର ରାଜନୀତିରେ ମଧ୍ୟ ସମ୍ପୃକ୍ତି ରହିଥିଲା। ୧୯୪୮ରେ କଂଗ୍ରେସ ସୋସିଆଲିଷ୍ଟ୍‌ ପାର୍ଟିରେ ଓ ପରେ ୧୯୫୩ରେ ଅବିଭାଜିତ କମ୍ୟୁନିଷ୍ଟ ପାର୍ଟିରେ‌ ଯୋଗ ଦେଇଥିଲେ। ଏହାବ୍ୟତୀତ ବହୁ ସାରସ୍ବତ ଅନୁଷ୍ଠାନର କର୍ମକର୍ତ୍ତା ଭାବେ କାର୍ଯ୍ୟ କରୁଥ‌ିଲେ। ୧୯୭୫ରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ବହୁଦିନ ଜେଲ୍‌ରେ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ସଂଗ୍ରାମୀ ଗୁରୁଚରଣ ପଟ୍ଟନାୟକ, ପ୍ରାଣନାଥ ପଟ୍ଟନାୟକଙ୍କ ସହିତ କାମ କରିବାକୁ ସୁଯୋଗ ପାଇଥିଲେ। କବି ସିଂଙ୍କ ପରଲୋକରେ ‘ସମ୍ବାଦ ସଂପାଦକ(ଫିଚର) ଡକ୍ଟର ଗୌରହରି ଦାସ, କେନ୍ଦ୍ର ସାହିତ୍ୟ ଏକାଡେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ, ଉତ୍କଳ ସାହିତ୍ୟ ସମାଜ ସଭାପତି ତରୁଣ କୁମାର ସାହୁ ଗଭୀର ଶୋକପ୍ରକାଶ କରିବା ସହିତ ଓଡ଼ିଆ ସାହିତ୍ୟର ଅପୂରଣୀୟ କ୍ଷତି ଘଟିଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର