ମା’ ବିରଜାଙ୍କ ରଥଯାତ୍ରା ପାଇଁ ଅନୁମତି ପ୍ରସଂଗ: ଯାଜପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିକଟରୁ ରିପୋର୍ଟ ତଲବ

କଟକ : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ଚଳିତ ବର୍ଷ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ପ୍ରସଂଗ ନେଇ ଦାୟର ମାମଲାରେ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କ ନିକଟରୁ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇଟି ମାମଲାର ଶୁଣାଣି କରି ମା’ ବିରଜାଙ୍କ ମନ୍ଦିରରେ ରଥଯାତ୍ରା ଆୟୋଜନ ଅନୁମତି ପ୍ରସଂଗରେ ପକ୍ଷ ରଖିବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ବିରଜା ମନ୍ଦିର ମୁକ୍ତି ମଣ୍ଡପ ସେବାୟତ ପରିଷଦ ସଭାପତି ଦେବୀପ୍ରସାଦ ପାଣି, କାର୍ଯ୍ୟକାରୀ ସଭାପତି ସୁକାନ୍ତ ପାଣି ଓ ଯାଜପୁର ଜିଲ୍ଲା ଆଇନଜୀବୀ ସଂଘ ଅନ୍ତରୀଣ କମିଟିର ଅଧ୍ୟକ୍ଷ ପ୍ରବୀର କୁମାର ରାୟଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଯେ ଶାରଦୀୟ ଦୁର୍ଗା ପୂଜା ଅବସରରେ ମା ବିରଜାଙ୍କ ମନ୍ଦିରରେ ନବ ଦିନାତ୍ମକ ରଥଯାତ୍ରା କେଉଁ ଆବହମାନ କାଳରୁ ଅନୁଷ୍ଠିତ ହୋଇଆସୁଛି। ଏହି ୯ ଦିନ ବ୍ୟାପୀ ମା ବିରଜାଙ୍କ ଚଳନ୍ତି ପ୍ରତିମା ବିଜୟା ରଥରେ ମନ୍ଦିର ପରିକ୍ରମା କରନ୍ତି। ମା ରଥରେ ଥିବା ବେଳେ ସପ୍ତସତୀ ଚଣ୍ଡୀ, ଷୋଡ଼ଶ ଉପଚାର ପୂଜା ଓ ଅନ୍ୟାନ୍ୟ ରତି ନୀତି ରଥ ଉପରେ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ରଥଯାତ୍ରା ଆୟୋଜନ ନେଇ ଆଶଙ୍କା ଦେଖା ଦେଇଛି। ତେବେ କରେନା କଟକଣା ଭିତରେ ଅକ୍ଟୋବର ୧୭ରୁ ୨୪ ପର୍ଯ୍ୟନ୍ତ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥି ସହିତ ଶରଦୀୟ ଦୁର୍ଗା ଉତ୍ସବର ସମସ୍ତ ରୀତିନୀତି ସଂପାଦନ ପାଇଁ ମଧ୍ୟ ଅନୁମତି ଦିଆଯାଉ। ତେବେ ରଥଯାତ୍ରା ବନ୍ଦ ହୋଇଗଲେ ଦୀର୍ଘ ବର୍ଷର ପରମ୍ପରା ଭାଙ୍ଗିଯିବ। ଅନ୍ୟ କୌଣସି ଶକ୍ତି ପୀଠରେ ରଥଯାତ୍ରା ହେଉ ନଥିବା ବେଳେ କେବଳ ବିରଜାକ୍ଷେତ୍ରରେ ମାଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାକୁ ବନ୍ଦ କରିବା ଉଚିତ ନୁହଁ। ଯେଉଁ ଭଳି ଭାବେ ପୁରୀ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା ସେହିପରି ଭାବେ ମା ବିରଜାଙ୍କ ରଥଯାତ୍ରା ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ରଥଯାତ୍ରାରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ସେବକ ଓ ପୁଲିସ କର୍ମଚାରୀଙ୍କ ଏଥି ପୂର୍ବରୁ କରୋନା ପରୀକ୍ଷଣ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଦେବୋତ୍ତର କମିସନର, ଯାଜପୁର ଜିଲ୍ଲାପାଳ, ଏସପି ଓ ମା ବିରଜା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ, ବିଜୟ କୁମାର ରଗଡ଼ ବିପ୍ଳବ କୁମାର ତ୍ରିପାଠୀ ଓ ସୁରେଶ ଚନ୍ଦ୍ର ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର