ଖାଁଖାଁ ଯାଜପୁରର ପ୍ରସିଦ୍ଧ ବିରଜା ମନ୍ଦିର, ଘରେ ‌କଟୁଛି ସେବାୟତଙ୍କ ଦିନ, ଭୋକ ଉପାସରେ ଭିକ୍ଷୁକ

ଯାଜପୁର(ଅନିଲ କୁମାର ପଣ୍ଡା) : କରୋନା ପ୍ରଭାବରେ ସାରା ଦେଶରେ ଦେବାଦେବୀଙ୍କ ମନ୍ଦିର ବନ୍ଦ ରହିଥିବା ବେଳେ ଯାଜପୁରର ବିରଜା ମନ୍ଦିର ମଧ୍ୟ ସେଥିରୁ ମୁକୁଳି ନାହିଁ। କରୋନା ଭୟ ଏବଂ ବାହାର ରାଜ୍ୟର ପର୍ଯ୍ୟଟକଙ୍କୁ କଟକଣା କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମା’ ବିରଜା ମନ୍ଦିରକୁ ଗତ ୧୮ ତାରିଖଠାରୁ ବନ୍ଦ ଘୋଷଣା କରିଛି। ତେବେ ଏହା ଭିତରେ ତିନି ସପ୍ତାହ ବିତି ଯାଇଛି। ମନ୍ଦିର ପୂଜା ନୀତିକାନ୍ତିରେ ଶେଷ ହେଉଥିବା ବେଳେ ସାଧାରଣ ଦର୍ଶନ ବନ୍ଦ ରହିଛି।

ଏହାରି ଭିତରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ମନ୍ଦିର ବନ୍ଦ ରହିବା ୨୨ ଦିନ ଅତିକ୍ରାନ୍ତ କରିଥିବା ବେଳେ ମନ୍ଦିର ବେଢ଼ା ଖାଁ ଖାଁ ରହିଛି। ଯେଉଁ ପୀଠରେ ଦୈନିକ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ଭକ୍ତଙ୍କ ଆଗମନ ହୁଏ, ସେଠାରେ ‌ଏବେ ନିଜ ପୂଜା ପାଳି ଥିବା ପୂଜକଙ୍କ ବ୍ୟତୀତ ଆଉ କାହାରି ଦେଖା ମିଳୁନାହିଁ। ମା’ଙ୍କ ପୂଜା ସମୟରେ ପାଳି ଥିବା ବ୍ରାହ୍ମଣଙ୍କର ଦୈନିକ ଏକ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ, ଯାହାକି ପୂଜକ ଭକ୍ତମାନଙ୍କଠାରୁ ସଂଗ୍ରହ କରିଥାନ୍ତି। କିନ୍ତୁ ଏବେ ଭକ୍ତଙ୍କ ଆଗମନ ନ ଥିବାରୁ ପୂଜକ ଧାରକରଜ କରି ପାଳି ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଯେଉଁ ବ୍ରାହ୍ମଣମାନେ ବଡି ଭୋରୁ ରାତିର ପହଡ଼ ପର୍ଯ୍ୟନ୍ତ ମନ୍ଦିରରେ ବସି ରହୁଥିଲେ ଏବେ ସେମାନେ ପରିବାର ସହ ସମୟ କାଟୁଛନ୍ତି। ମା’ଙ୍କ ପୂଜା କାର୍ଯ୍ୟରେ ଥିବା ୧ଶହରୁ ଅଧିକ ବ୍ରାହ୍ମଣ ଏବେ ଅର୍ଥ ଉପାର୍ଜନ ନ ଥିବାରୁ ଚିନ୍ତାରେ ଅଛନ୍ତି।

ସେହିପରି ବିରଜା ମନ୍ଦିର ଭିତରେ କରିଥିବା ଭୋଗ ,ଦୀପ ଓ ଫୁଲ ଦୋକାନୀ ଦୈନିକ ହଜାର ହଜାର ଟଙ୍କାର କ୍ଷତି ସହୁଥିବା ବେଳେ ନିଲାମ ଅର୍ଥ କିପରି ଭରଣା କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ମନ୍ଦିର ସମ୍ମୁଖରେ ବିଭିନ୍ନ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ପରିବାର ଏବେ ଦୁର୍ଦିନରେ ରହିଛନ୍ତି। ବେପାର ନ ଥିବାରୁ ପରିବାର ଚଳାଇବାରେ ସମସ୍ୟା ହେଉଥିବା କହିଛନ୍ତି। ସେହିପରି ମନ୍ଦିର ସମ୍ମୁଖରେ ଥିବା ଜୋତା ଷ୍ଟାଣ୍ଡ, ଗାଡ଼ି ଷ୍ଟାଣ୍ଡ କରିଥିବା ଲୋକ ମଧ୍ୟ ନିଲାମ ଟଙ୍କା ପରିଶୋଧ କରିବା ଚିନ୍ତାରେ ଅଛନ୍ତି। ମନ୍ଦିର ସମ୍ମୁଖ ସିଂହଦ୍ବାର ନିକଟରେ ସକାଳୁ ରାତି ପର୍ଯ୍ୟନ୍ତ ଭିକ୍ଷା ବୃତ୍ତି କରୁଥିବା ଭିକ୍ଷୁକମାନେ ଶ୍ରଦ୍ଧାଳୁମାନଙ୍କଠାରୁ ଦାନ ଟଙ୍କା ନେଇ ପରିବାର ପ୍ରତିପୋଷଣ କରୁଥିଲେ। ‌କିନ୍ତୁ ମନ୍ଦିର ଦର୍ଶନ ବନ୍ଦ ହେବା ଦିନ ଠାରୁ ସେମାନଙ୍କ ଦେଖା ନ ଥିବା ବେଳେ ଭୋକ ଉପାସରେ ଦିନ କାଟୁଛନ୍ତି।

ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁସାରେ ମା’ଙ୍କ ଦର୍ଶନ ବନ୍ଦ କରାଯାଇଛି। ସମସ୍ତଙ୍କ ସମସ୍ୟା ଥିଲେ ବି କରୋନା ପରି ମହାମାରୀର ମୁକାବିଲା ପାଇଁ ଏପରି ନିଷ୍ପତ୍ତିକୁ ଗ୍ରହଣ କରିବାକୁ ପଡ଼ିବ ବୋଲି ମନ୍ଦିର ମୁକ୍ତିମଣ୍ଡପ ସେବାୟତ ପରିଷଦ ସଭାପତି ଦେବୀ ପ୍ରସାଦ ପାଣି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର