କୁତ୍ରା (ସୁନ୍ଦରଗଡ଼):ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ୍ ଅନ୍ତର୍ଗତ କଟଙ୍ଗଜଙ୍ଗର ପଡା ଏବେ ବେଶ୍ ଚଳଚଞ୍ଚଳ ହୋଇଉଠିଛି। କାରଣ ଦୀର୍ଘ ୨୦ ବର୍ଷ ପାକିସ୍ତାନ ଜେଲରେ ବିତାଇବା ପରେ ପଡାର ପୁଅ ବିରଜୁ କୁଲୁ ଘରକୁ ଫେରୁଛନ୍ତି। ତାଙ୍କୁ ଆଣିବା ପାଇଁ ପ୍ରଶାସନର ଏକ ଦଳ ଆଜି ଅମୃତସରରେ ପହଞ୍ଚିଛି। ହେଲେ ବିରଜୁ ଏହା ଭିତରେ ଓଡ଼ିଆ ଭୁଲି ଯାଇଛନ୍ତି। ସୁନ୍ଦରଗଡ଼ରୁ ତାଙ୍କ ନିକଟକୁ ଯାଇଥିବା ସୁନ୍ଦରଗଡ଼ ପ୍ରଶାସନର ଟିମ୍ ପ୍ରଥମେ ତାଙ୍କ ସହ ଓଡ଼ିଆରେ କଥା ହେବାକୁ ଚେଷ୍ଯା କରିଥିଲେ। କିନ୍ତୁ ସେ ବୁଝିପାରି ନ ଥିଲେ। ସେହିପରି ସୁନ୍ଦରଗଡ଼ି ଭାଷା ମଧ୍ୟ ସେ ଠିକ ଭାବେ ବୁଝି ପାରୁ ନଥିବା ଦେଖାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜକୁ ୨୫ ବର୍ଷ ତଳେ ମାରକୁସ କୁଲୁ ଓରଫ୍ ବିରଜୁ ମାନସିକ ଅନଗ୍ରସର ଭାବେ କୈଶୋର ଅବସ୍ଥାରେ ଘରଛାଡି ଝାଡଖଣ୍ଡକୁ ଚାଲି ଯାଇଥିଲେ। ପରିବାରବର୍ଗ ତାଙ୍କୁ ଢେର ଖୋଜାଖୋଜି କରିଥିଲେ। ପତ୍ତା ପାଇଲେନି । ପରେ ଝାଡଖଣ୍ଡର ରାଞ୍ଚିଠାରେ ଏକ ହୋଟେଲରେ ସେ କାମ କରୁଥିବା ଖବରପାଇ ପରିବାର ତରଫରୁ ତାକୁ ଯେତେବେଳେ ଆଣିବାକୁ ଗଲେ, ସେଠୁ ମଧ୍ୟ ସେ କୁଆଡେ ଚାଲି ଯାଇଥିଲେ। ଇତି ମଧ୍ୟରେ ବାପା ମା’ ବିରଜୁଙ୍କ ଫେରିବା ବାଟକୁ ଅନାଇ ଆରପାରିକୁ ଚାଲିଗଲେଣି । ବଡ ଭଉଣୀ, ଖୁଡି ଓ ଦାଦାପୁଅ ଭାଇମାନେ ବିରଜୁ ଆଉ ଇହଜଗତରେ ନାହାନ୍ତି ବୋଲି ଭାବିନେଇ ଥିଲେ ।
ଏତିକି ବେଳେ ହଠାତ୍ ନିକଟ ଅତୀତରେ ତାଙ୍କ ପରିଚୟ ଓ ଠିକଣା ଯାଞ୍ଚ ପାଇଁ ପୁଲିସ୍ ବିରଜୁଙ୍କ ଘରେ ପହଞ୍ଚି ଥିଲା । ଏହାପରେ ବିରଜୁ ପାକିସ୍ତାନ ଜେଲରେ ସଜା କାଟୁଥିବା ଜଣା ପଡିଥିଲା । ସେ ଭୁଲବଶତଃ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିବାରୁ ତାଙ୍କୁ ପାକିସ୍ତାନୀ ସୈନ୍ୟମାନେ ଭାରତର ଗୁପ୍ତଚର ଭାବି ଧରି ନେଇ ଲାହୋର ଜେଲରେ ୨୦ ବର୍ଷ ରଖିଥିବା ଜଣା ପଡ଼ିଥିଲା। ସେଠି ସେ ୨୦ ବର୍ଷ ବନ୍ଦୀ ଭାବେ ଜୀବନ କାଟିବା ପରେ ଗତ ୨୬ ତାରିଖରେ ସେ ସେଠାରୁ ମୁକୁଳିଥିଲେ ଓ ପାକିସ୍ତାନୀ ସୈନ୍ୟ ତାଙ୍କୁ ୱାଘା ବର୍ଡରରେ ଭାରତକୁ ହସ୍ତାନ୍ତର କରିଥିଲେ ।
ବିରଜୁ ଅମୃତସରଠାରେ ପହଞ୍ଚିବା ପରେ ତାଙ୍କୁ ନାରାୟଣଗଞ୍ଜ ଠାରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଖବର ଜିଲ୍ଲା ପ୍ରଶାସନ ପାଇବା ପରେ ଜିଲ୍ଲା ପ୍ରଶାସନର ଅନୁମତିକ୍ରମେ କୁତ୍ରା ବ୍ଲକ ପ୍ରଶାସନର ଏକ ସ୍ବତନ୍ତ୍ର ଟିମ୍ ଗତ ଶୁକ୍ରବାର ଦିନ ବୋଲେରୋ ଯୋଗେ ୧୭୫୦ କିଲୋମିଟର ଅମୃତସରକୁ କୁତ୍ରା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମଦନ ସିଂହଙ୍କ ସମେତ ୨ ଜଣ ଗାଡ଼ି ଚାଳକ ଆସିକ୍ ମଲ୍ଲିକ ଓ ମହମ୍ମଦ ବାବରଙ୍କ ସହ ଯାତ୍ରା ଆରମ୍ଭ କରି ଦୀର୍ଘ ୫୭ ଘଣ୍ଟା ପରେ ବିରଜୁଙ୍କ ପାଖରେ ପହଞ୍ଚିଛନ୍ତି । ତେବେ ସେ ସେଠି ରହି ନିଜର ମାତୃଭାଷା ଭୁଲିଯାଇଥିବା ଜଣା ପଡ଼ିଛି। ସେମାନେ ଶୀଘ୍ର କୁତ୍ରା ଫେରିବେ ବୋଲି ସୂଚନା ମିଳିଛି।