କର୍ମଚାରୀ ଅଭାବରୁ ଆଦର୍ଶ ହରାଇବ ବୀରମହାରାଜପୁର ଆଦର୍ଶ ଥାନା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନାକୁ ଆଦର୍ଶ ଥାନା ଭାବରେ ରାଜ୍ୟ ସରକାର ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ନଭେମ୍ବର ୨୬ ତାରିଖରେ ବୀରମହାରାଜପୁର ଆଦର୍ଶ ଥାନାକୁ ଉଦ୍‌ଘାଟନ କରିଥିଲେ। ଜନସାଧାରଣଙ୍କ ବିଶ୍ବାସ ଥିଲା ଆଦର୍ଶ ଥାନାରେ ସମସ୍ତ ସୁବିଧା ସୁଯୋଗ ମିଳିବ। ଏଠାରେ ସମସ୍ତ ପଦପଦବି ମଧ୍ୟ ପୂରଣ ହେବ। କିନ୍ତୁ ତାହା ହେଲା ନାହିଁ।

ଆଦର୍ଶ ଥାନାରେ ୨ ଜଣ ଇନ୍‌ସପେକ୍ଟର ରହିବା। କଥା ଏଠାରେ ଜଣେ ଅଛନ୍ତି ଜଣେ। ତାଙ୍କର ପଦୋନ୍ନତି ହୋଇଯାଇଛି। ସେ କେତେବେଳେ ବି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଯୋଗଦାନ କରିବେ। ସେହିପରି ୪ ଏସ୍‌ଆଇ ପଦବିରେ ୨ ଜଣ, ୬ ଏଏସ୍‌ଆଇ ପଦବିରେ ୨ ଜଣ, ୧୮ କନେଷ୍ଟବଳ ପଦବିରେ ୯ ଜଣ ଅଛନ୍ତି। ପିସିଆର୍‌ ପାଇଁ ୨ ଜଣ ଅଫିସର୍‌ ଆବଶ୍ୟକ ଥିବା ବ‌େଳେ କର୍ମଚାରୀ ଅଭାବରୁ ପାଟ୍ରୋଲିଂରେ ଅସୁବିଧା ହେଉଛି।

ଏପଟେ କମ୍ ସଂଖ୍ୟକ କର୍ମଚାରୀ ଓ ଅଫିସର୍‌ ଥିବାରୁ ଏହାର ସୁଯୋଗ ନେଉଛନ୍ତି ଚୋର ଡକାୟତ। ଗୋଟିଏ ମାସ ଭିତରେ ଦୁଇଟି ବଡ଼ ଧରଣର ଡକାୟତି ହୋଇଥିଲା। ଯଦିଓ ଏହି ଘଟଣାରେ ସମସ୍ତ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। କିନ୍ତୁ କମ୍ ସଂଖ୍ୟକ ଅଫିସର୍‌ ଥିବାରୁ କାର୍ଯ୍ୟ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାନୁଆରିରୁ ଆଜି ପର୍ଯ୍ୟନ୍ତ ୮୫ ଟି ମାମଲା ପଞ୍ଜୀକୃତ ହୋଇସାରିଲାଣି। ତେବେ କମ୍‌ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଏହାର ମୁକାବିଲା କରିବା କଷ୍ଟକର ହୋଇପଡ଼ୁଛି। ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର