ରୋଜଗାର ପାଇଁ ବୀରମହାରାଜପୁରରୁ ଟ୍ରେନ୍‌ରେ ତାମିଲନାଡୁ ଯାଉଥିଲେ, ଅଧବାଟରେ ଯୁବକ ନିଖୋଜ

ପରିବାର ଲୋକ ଚିନ୍ତାରେ, ଦଲାଲଙ୍କ ଭୂମିକା ସନ୍ଦେହ ଘେରରେ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହର ଉପକଣ୍ଠ ଉଫୁଲା ଗ୍ରାମର ୨୮ ବର୍ଷର ସୁବ୍ରତ ଦଣ୍ଡସେନାଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ରୋଜଗାର ପାଇଁ ଟ୍ରେନ୍‌ରେ ତାମିଲନାଡୁକୁ ଯାଉଥିଲେ। କିନ୍ତୁ ଅଧବାଟରେ ସେ ନିଖୋଜ ହୋଇଯାଇଛନ୍ତି। ସୁବ୍ରତ ନିଖୋଜ ହେଲା ପରେ ପରିବାର ଲୋକଙ୍କର ଚିନ୍ତା ବଢ଼ିଯାଇଥିବା ବେଳେ ତାଙ୍କୁ ନେଇକି ତାମିଲନାଡୁ ଯାଉଥିବା ଦାଦନ ଦଲାଲଙ୍କ ଭୂମିକା ସନ୍ଦେହ ଘେରରେ ରହୁଛି।

ସୂଚନା ଅନୁସାରେ ସୁବ୍ରତ, ତାଙ୍କର ସ୍ତ୍ରୀ ରଞ୍ଜିତା, ଶାଶୁ କଳ୍ପନା ଓ ଏକ ଶିଶୁ ଗତ ୨ ତାରିଖରେ ବିନିକା ଯାଇଥିଲେ। ସେଠାରୁ ଜଣେ ଦାଦନ ଦଲାଲଙ୍କ ସହିତ ତାମିଲନାଡୁ ଅଭିମୁଖେ ବାହାରିଥିଲେ। ରଞ୍ଜିତା ଓ କଳ୍ପନାଙ୍କ କହିବା ଅନୁସାରେ ୨ ତାରିଖରେ ସେମାନେ ପ୍ରଥମେ ବଲାଙ୍ଗୀରରୁ ଟିଟିଲାଗଡ଼ ଦେଇ ଟ୍ରେନ ଯୋଗେ ତାମିଲନାଡୁ ଯାଉଥିଲେ। ରାତି ପ୍ରାୟ ଆଠଟା ବେଳେ ଦୁର୍ବାଦ ଷ୍ଟେସନ ପରେ ସୁବ୍ରତ ଶୌଚାଳୟ ଯାଇଥିବା ବେଳେ ପ୍ରବଳ ଭିଡ଼ ଯୋଗୁଁ ଟ୍ରେନରୁ ତଳେ ପଡ଼ିଯାଇଥିଲେ। ଟ୍ରେନ୍‌ରେ ଘଟଣା ସଂପର୍କରେ ଅନ୍ୟମାନଙ୍କ ଠାରୁ ଶୁଣିବା ପରେ ଚେନ୍‌ ଟାଣି ଟ୍ରେନକୁ ଅଟକା ଯାଇଥିଲା। କିନ୍ତୁ ସେତେବେଳକୁ ଟ୍ରେନ୍‌ଟି ପ୍ରାୟ ଆଠ କିଲୋମିଟର ଦୁରରେ ଅଟକି ଥିଲା। ସେଠାରୁ ବହୁତ ଖୋଜାଖୋଜି କଲାପରେ ମଧ୍ୟ ସୁବ୍ରତର କୌଣସି ପତ୍ତା ମିଳିନାଥିଲା।

ଏହା ପରେ ପରିବାର ଲୋକଙ୍କୁ ଫୋନ ମାଧ୍ୟମରେ ଚାରି ତାରିଖରେ ସୂଚନା ଦିଆଯାଇଥିଲା। ପରିବାରର ଲୋକମାନଙ୍କ କହିବା କଥା ହେଲା ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଝିରେ ମଝିରେ କଳି ହେଉଥିଲା। ସୁବ୍ରତ ଜଣେ ବୁଦ୍ଧିମାନ ଯୁବକ। ସେ ଟ୍ରେନରୁ କେମିତି ଖସି ପଡ଼ିବ ବୋଲି କହୁଛନ୍ତି। ସେପଟେ କଳ୍ପନା ଓ ରଞ୍ଜିତିକୁ ନେଇ ଦାଦନ ସର୍ଦ୍ଦାର ଉଫୁଲାକୁ ଆଣିବି କହି ଉଫୁଲା ଠାରୁ ଏକ କିଲୋମିଟର ଦୂର କାନପୁର ଛକ ଠାରେ ମା’-ଝିଅଙ୍କୁ ଓହ୍ଲାଇ ଫେରି ଯାଇଥିଲା। ସେଥିପାଇଁ ଦଲାଲର କାର୍ଯ୍ୟ ସନ୍ଦେହ ଘେରରେ ରହିଛି।

କଳ୍ପନାଙ୍କ କହିବା ଅନୁସାରେ ଦଲାଲଙ୍କ ଘର ବିନିକା ଥାନା କଉଡ଼ିଆମୁଣ୍ଡା। ସୋମବାର ଦିନ ପରିବାର ଲୋକେ କଉଡ଼ିଆମୁଣ୍ଡା ଯାଇଥିଲେ ମଧ୍ୟ ଦଲାଲର କୌଣସି ଖବର ପାଇନଥିଲେ। ଏଣୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୁଲିସ୍ ପ୍ରଶାସନ ତରଫରୁ ତୁରନ୍ତ ହସ୍ତକ୍ଷେପ କରି ସଠିକ୍ ତଦନ୍ତ କଲେ ଘଟଣା ବିଷୟରେ ଜଣାପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର