ସ୍ୱାମୀ ଓ ତାଙ୍କ ପରିବାର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ବୀରମିତ୍ରପୁର ଥାନା ଅଧିକାରୀ

ରାଉରକେଲା: ପୁଲିସ ଅଧିକାରୀଙ୍କୁ ନିର୍ଯାତନା ଦେଉଛନ୍ତି ତାଙ୍କର ଅଧ୍ୟାପକ ସ୍ୱାମୀ ଓ ଶାଶୁ ଘର ଲୋକେ । ରାଉରକେଲାର ରଘୁନାଥପାଲି ଥାନାରେ ଏନେଇ ଅଭିଯୋଗ ଆଣିଛନ୍ତି ବୀରମିତ୍ରପୁର ଥାନା ଅଧିକାରୀ ସ୍ନିଗ୍ଧାରାଣୀ ସୁନା ।

ଆଇଆଇସି ସ୍ନିଗ୍ଧାରାଣୀଙ୍କ ଅଭିଯୋଗ ଅନୁସାରେ ସେ ବଲାଙ୍ଗୀର ଜିଲ୍ଲା ନିବାସୀ ତଥା ପାନପୋଷ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ଅଧ୍ୟାପକ ସୁରେଶ ବାଗଙ୍କୁ ବିବାହ କରିଛନ୍ତି । କିନ୍ତୁ ସେ ବିବାହର କିଛି ମାସ ପରଠାରୁ ସ୍ୱାମୀଙ୍କ ଦ୍ୱାରା ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇଆସୁଛନ୍ତି । ସ୍ୱାମୀଙ୍କ ସହିତ ପରିବାର ଲୋକେ ମଧ୍ୟ ତାଙ୍କୁ ଯେତୁକ ଜନିତ ନିର୍ଯାତନା ଦେଉଛନ୍ତି । ଅଧ୍ୟାପକ ସୁରେଶ ତାଙ୍କୁ ପିଟିବା, ଗାଳି ଦେବା ସହ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଉଛନ୍ତି ।

ବୀରମିତ୍ରପୁର ଥାନା ଅଧିକାରୀଙ୍କ ଅଭିଯୋଗକ୍ରମେ ରଘୁନାଥପାଲି ଥାନା ପୁଲିସ ନିର୍ଯ୍ୟାତନା (୪୯୮), ଦୁର୍ଷ୍ମମ (୩୭୬) ଓ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଏ ନେଇ ରାଉରକେଲା ଜୋନାଲ ଡିଏସପି ତଥା ପାନପୋଷ ଏସଡିପିଓ ଶାନ୍ତା ନୂତନ ସାମଦ କହିଛନ୍ତି, ଜଣେ ମହିଳା ତାଙ୍କ ସ୍ୱାମୀ ଓ ପରିବାର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଏହି କ୍ରମରେ ଆମେ ଘଟଣାର ତଦନ୍ତ କରୁଛୁ । ଘଟଣାର ସତ୍ୟାସତ୍ୟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ।

ସମ୍ବନ୍ଧିତ ଖବର